ଆସିପାରେ ତୃତୀୟ ଅର୍ଥନୈତିକ ପ୍ୟାକେଜ,ଜାଣନ୍ତୁ ଏହାଦ୍ୱାରା ଆପଣଙ୍କୁ ମିଳିବ କେଉଁ ଫାଇଦା ?

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାର କୌଣସି ବି ସମୟରେ ତୃତୀୟ ପର୍ଯ୍ୟାୟ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିପାରନ୍ତି । ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ କହିଛନ୍ତି ଯେ, ‘ଦିନକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବିଷୟରେ ସୂଚନା ଦେଇଥିଲେ । ଲକଡାଉନ ପରେ ବିଭିନ୍ନ କ୍ଷେତ୍ରଗୁଡିକରେ ପୁନରୁଦ୍ଧାର ଦେଖିବାକୁ ମିଳିଛି । ତେବେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ଏପର୍ଯ୍ୟନ୍ତ କରୋନା ପ୍ରଭାବରୁ ମୁକୁଳି ପାରିନି । କାରଣ ଲୋକ ଏବେ ମଧ୍ୟ  ଯାତ୍ରା କରିବାକୁ ଏବଂ ବାହାରେ ଖାଇବା ପାଇଁ  ସଂକୋଚ ପ୍ରକାଶ କରୁଛନ୍ତି ।  ଆଶା କରାଯାଉଛି ଯେ ନୂଆ ପ୍ୟାକେଜରେ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହା ବ୍ୟତୀତ ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଉପରେ ମଧ୍ୟ ସରକାର ଧ୍ୟାନ ଦେବେ। ତେଣୁ ଏସବୁ ଉପରେ କାର୍ଯ୍ୟ କରିବାକୁ କୁହାଯାଇଥିବା ସେ ସ୍ପଷ୍ଟ କହିଛନ୍ତି ।

ସଚିବ କହିଛନ୍ତି ଯେ, ବିଭିନ୍ନ ଶିଳ୍ପରୁ ମିଳିଥିବା ପରାମର୍ଶକୁ ଆଧାର କରି ଆମେ ଏହା ଉପରେ କାର୍ଯ୍ୟ କରୁଛୁ । ଏଭଳି ପରିସ୍ଥିତିରେ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ସୋମବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୫ତମ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂଙ୍କ ଅଟୋବାୟୋଗ୍ରାଫିକର ଭର୍ଚୁଆଲ୍ ଲଞ୍ଚ ପରେ କହିଥିଲେ ଯେ, ସରକାର ଆଉ ଏକ ଅର୍ଥନୈତିକ ପ୍ୟାକେଜ୍ ଆଣିବାକୁ ପ୍ରସ୍ତୁତି କରୁଛନ୍ତି ।

ଅର୍ଥନୈତିକ ପ୍ୟାକେଜରେ  କେଉଁ ସେକ୍ଟର ପାଇବେ ରିଲିଫ ?

ମିଳିଥିବା ସୂଚନା ଅନୁସାରେ, ଅର୍ଥନୈତିକ ପ୍ୟାକେଜ୍ ପାଇଁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଉଛି, କେଉଁ କ୍ଷେତ୍ରକୁ ଅଧିକ ସହାୟତା ଆବଶ୍ୟକ ସେନେଇ ଆଲୋଚନା ଚାଲିଛି । କୁହାଯାଉଛି ଯେ, ଖାଦ୍ୟ, ଭ୍ରମଣ ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ର ପାଇଁ ଏକ ବଡ଼ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରାଯାଇପାରେ । କାରଣ ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଏହି କ୍ଷେତ୍ରଗୁଡ଼ିକ ହୋଇଛନ୍ତି ।

ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ଦୁଇଟି ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଯାହାର ମୂଲ୍ୟ ଜିଡିପିର ୧.୫ ପ୍ରତିଶତ ରହିଛି । ପ୍ରଥମ ପ୍ୟାକେଜ୍ ଆତ୍ମନିର୍ଭର ଭାରତ ଯୋଜନା ଅନୁସାରେ ମେ ୨୦୨୦ ଅଣାଯାଇଥିଲା । ଆଉ ଏହାପରେ ସପ୍ତାହେ ପୂର୍ବରୁ ସରକାର ଦ୍ୱିତୀୟ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି ।

ସରକାର ଦ୍ୱିତୀୟ ଅର୍ଥନୈତିକ ପ୍ୟାକେଜ୍ ଅକ୍ଟୋବର ୧୨ ରେ ପ୍ରକାଶ କରିଥିଲେ। ଏହି ପ୍ୟାକେଜରେ ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ୟାକେଜର ମୂଲ୍ୟ ୪୬,୬୭୫ କୋଟି ଟଙ୍କା ରହିଛି । ପର୍ବପର୍ବାଣୀ ସମୟରେ ଅର୍ଥନୀତିକୁ ସୁଦୃଢ କରିବାକୁ ସରକାର ଏହି ପ୍ୟାକେଜର ଘୋଷଣା କରିଛନ୍ତି ।

Leave a Reply