ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ହେଉନଥିବାରୁ ସାଧାରଣରେ ଅସନ୍ତୋଷ

1 min read

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ଦୁରାରୋଗ୍ୟରେ ପୀଡ଼ିତ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଲୋକମାନଙ୍କୁ ଟିକା ଦିଆଯାଉଛି । ତେଣୁ ଏନେଇ ସବୁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବେସରକାରୀ ହସ୍ପିଟାଲଗୁଡ଼ିକୁ ସାମିଲ କରାଯିବା ପରେ ଟିକାକରଣ ପ୍ରକ୍ରିୟା ଜୋରଦାର ହେବ ବୋଲି ଆଶା କରାଯାଉଛି । ଟିକା ନେବାକୁ ଆଗ୍ରହୀ ଲୋକମାନେ cowin.gov.in ଓ୍ବେବ୍‌ସାଇଟ୍‌ରେ ନାମ ପଞ୍ଜିକୃତ କରିପାରିବେ । ତେବେ କେତେକ ରାଜ୍ୟରେ ନାମ ପଞ୍ଜୀକରଣ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । କୋ-ଓ୍ବିନ୍‌ ଆପ୍‌ରେ ନାମ ପଞ୍ଜିକୃତ ହୋଇପାରୁ ନ ଥିବାରୁ ମେଡିକାଲରେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ନାଁ ରେଜିଷ୍ଟର କରୁଛନ୍ତି ଜନତା ।

ସେପଟେ ବିହାରର ବେସରକାରୀ ହସ୍ପିଟାଲରେ ବି ଲୋକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ନୀତୀଶ ସରକାର । ନିର୍ବାଚନୀ ପ୍ରତିଶ୍ରୁତି ଯୋଗୁ ମାଗଣାରେ ଲୋକଙ୍କୁ ଟିକା ଦିଆଯିବ ବୋଲି ନୀତିଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିକା ଗ୍ରହଣ କରିଛନ୍ତି । ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ପହଞ୍ଚି ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ୍’ ଦିଆଯାଇଛି । ଏହି ଅବସରରେ କମ୍‌ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଓ ଡାକ୍ତରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍‌ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିଜେ ଟିକା ନେବା ସହ ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । ସେହିପରି ବିନା ଭୟ ଏବଂ ସଙ୍କଟରେ ଟିକା ନିଅନ୍ତୁ ଏବଂ ଦେଶକୁ କରୋନାରୁ ମୁକ୍ତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୧୦ ହଜାର ସରକାରୀ କେନ୍ଦ୍ର ଓ ୨୦ ହଜାର ଘରୋଇ ହସ୍ପିଟାଲରେ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ ।

Leave a Reply