ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ଭିତରେ ହେବ ଘନୀଭୂତ

ଭୁବନେଶ୍ୱର: ରଜ ପୂର୍ବରୁ ଓଡ଼ିଶା ଛୁଇଁପାରେ ମୌସୁମୀ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।  ୪୮ ଘଣ୍ଟା ଭିତରେ ହେବ ଘନୀଭୂତ । ଏହାର ପ୍ରଭାବରେ ଉତ୍ତର ଓଡିଶା ସମେତ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଗାତର ୪ ଦିନ ଧରି ଲାଗିରହିବ ବର୍ଷା । ଏହାସହ ଆଜି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଆସନ୍ତା ୧୨ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ପୁରୀ, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେପଟେ କେନ୍ଦ୍ରୀୟ ଆରବସାଗରରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ପୁଡୁଚେରୀ, ତାମିଲନାଡୁ ବର୍ଷା ଲାଗିରହିଛି । ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ରହିଛି। ବଙ୍ଗୋପସାଗରରେ ଘନୀଭୂତ ହେବାକୁ ଥିବା ଲଘୁଚାପ ମୌସୁମୀକୁ ଓଡିଶା ବାଟ କଢାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପ୍ରତିବର୍ଷ ଜୁନ୍‌ ପହିଲାରେ ଓଡ଼ିଶାରେ ମୌସୁମୀ ସ୍ୱାଭାବିକ ହୋଇଥାଏ। ଚଳିତ ବର୍ଷ ବାତ୍ୟା ନିସର୍ଖ ପ୍ରଭାବରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply