ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା

1 min read

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ହାର୍ଟର ହେବ ବାଇପାସ୍‌ ସର୍ଜରୀ । ଅପରେସନର ଗୁରୁତ୍ୱ ଯେତିକି, ରିସ୍କ ତା ଠୁ ଢେର୍‌ ଅଧିକ । ହଠାତ ଖୋଜାପଡ଼ିଲା ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଅତି କୁଶଳୀ ସର୍ଜନଙ୍କୁ । ଅନେକ ବିଶିଷ୍ଟ ଡାକ୍ତରଙ୍କ ନାଁ ତାଲିକାକୁ ଆସିଲା । କିନ୍ତୁ ମେଡିକାଲ ସାଇନ୍ସର ଏକ୍ସପର୍ଟମାନେ ଯାହାଙ୍କ ହାତରେ ଏହି ଗୁରୁଦାୟିତ୍ୱ ଦେଲେ, ସେ ହେଲେ ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା । ୨୦୦୯ ଜାନୁଆରୀ ୨୪ରେ ଆରମ୍ଭ ହେଲା ଅପରେସନ୍‌ । କେବଳ କେନ୍ଦ୍ର ସରକାର କାହିଁକି, ତମାମ ଦେଶବାସୀଙ୍କ ନଜର ଥିଲା ଏହି ବିରଳ ଅସ୍ତ୍ରୋପଚାର ଉପରେ । କାରଣ ଦେଶର ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି ସେତେବେଳେ ତାଙ୍କ ରୋଗୀ ଆଉ ସେ ତାଙ୍କ ଆରୋଗ୍ୟ ଦାୟିତ୍ୱରେ ଥିବା ଡାକ୍ତର । ୭୬ ବର୍ଷୀୟ ପ୍ରଧାନମନ୍ତ୍ରୀଙ୍କ ହାର୍ଟରେ ମଲଟିପୁଲ୍‌ ବ୍ଲକେଜ୍‌ । ଏନେଇ ସମସ୍ତଙ୍କ ଉଦବେଗ ବଢ଼ି ଚାଲିଥିଲା । ରମାକାନ୍ତଙ୍କ ନେତୃତ୍ୱରେ ହେଲା କ୍ରିଟିକାଲ ରେଡୋ ସର୍ଜରୀ, ଯେଉଁଥିରେ ପାଞ୍ଚଟି ବାଇପାସ୍‌ କରାଯାଇଥିଲା । ଏଥର ବି ରମାକାନ୍ତ ସମସ୍ତଙ୍କୁ ନିରାଶ କରିଥାନ୍ତେ କେମିତି ! ପୂର୍ବରୁ ୩ ହଜାର ହାଇ ରିସ୍କ ଅପରେସନ୍‌ କରି ବିରଳ ସଫଳତା ସାଉଣ୍ଟିଥିବା ଡାକ୍ତର ପଣ୍ଡା ଏଥର ବି ଆଉ ଏକ ଇତିହାସ ରଚିଲେ । ମେଡିକାଲ ସାଇନ୍ସରେ ମ୍ୟାଜିକ୍‌ ପାଇଁ ଜଣାଶୁଣା ଡାକ୍ତର ପଣ୍ଡା ମନମୋହନ ସିଂହଙ୍କୁ ଆରୋଗ୍ୟ କରି ନିଜ ବାୟୋଗ୍ରାଫିରେ କେବଳ ଆଉ ଏକ ଲମ୍ବା ଫର୍ଦ୍ଦ ଯୋଡ଼ିଲେନି, ଜଣେ ଓଡ଼ିଆ ଭାବେ ପୁଣିଥରେ ସବୁ ଓଡ଼ିଆଙ୍କୁ ଗର୍ବିତ କରାଇଲେ ।

Dr Panda with Manmohan Singh
Dr Panda with Ex PM Dr. Manamohan Singh

ଯେଉଁଠି ସବୁ ଆଶା ମଉଳିଯାଏ, ସେ ଜନ୍ମ।ଇଥାନ୍ତି ନୂତନ ଆଶା । ଯେଉଁଠି ବଞ୍ଚିବାର ସର୍ବନିମ୍ନ ସମ୍ଭାବନା ଶେଷ ହୋଇଥାଏ, ସେ ଧରାଇଥାଆନ୍ତି ଜୀବନର କଅଁଳ କିରଣ । ୧୮ ହଜାର ହାର୍ଟ ଅପରେସନ୍‌, ୩ ହଜାର ହାଇ ରିସ୍କ ସର୍ଜରୀ, ୧୮୦୦ରୁ ଅଧିକ ରେଡୋ ବାଇପାସ୍‌ ସର୍ଜରୀ, ଅଫ୍‌ ପମ୍ପ୍ ବାଇପାସ୍‌ ସର୍ଜରୀ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ଉଲ୍ଲେଖନୀୟ କାର୍ଯ୍ୟ । ବିଦେଶରେ ପ୍ରତିଷ୍ଠିତ ହସପିଟାଲରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ, ଦେଶରେ ହୃଦରୋଗରେ ଗବେଷଣାଜନିତ ଦୃଷ୍ଟାନ୍ତମୂଳକ ସଫଳତା । ଆଉ ଏବେ ଭାରତରେ ହୃଦରୋଗ ଚିକିତ୍ସାର ଶିଳାନ୍ୟାସ, ମୁମ୍ବାଇ ବାନ୍ଦ୍ରାକୁର୍ଲା ସ୍ଥିତ ଏସିଆନ୍‌ ହାର୍ଟ ଇନଷ୍ଟିଚ୍ୟୁଟର ଉପ ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ । ଏଥିସହିତ କାର୍ଡିଓଭାସ୍କୁଲାର ଥୋରାସିସ୍‌ ସର୍ଜରୀର ମୁଖ୍ୟ ପରାମର୍ଶଦାତା । ଭାରତର ଶ୍ରେଷ୍ଠ ହୃଦରୋଗ ସର୍ଜନ ଏବଂ ବିଶ୍ୱସ୍ତରୀୟ ସଫଳ ଓପନ୍‌ ହାର୍ଟ ବାଇପାସ ସର୍ଜନ ଭାବେ ଷ୍ଟାଣ୍ଡାର୍ଡ ୯୯.୬ ପ୍ରତିଶତ ତାଲିକାରେ ଆସୁଥିବା ଏକ୍ସପର୍ଟ । ହୃଦରୋଗ ଚିକିତ୍ସା କ୍ଷେତ୍ରର ଇତିହାସ କୁହାଯାଉଥିବା ‘ଅଫ୍‌ ପମ୍ପ୍ ବାଇପାସ୍‌ ସର୍ଜରୀ’ ଓ ‘ଟୋଟାଲ ଆର୍ଟେରିଆଲ ରିଭାସ୍କୁଲାରାଇଜେସନ୍‌’ ପଦ୍ଧତି କାର୍ଯ୍ୟକାରୀ କରିବାରେ ସେ ହେଉଛନ୍ତି ଦେଶର ପ୍ରଥମ ଡାକ୍ତର । ଏମିତି ହେଉଛି ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସଫଳତାର ପୃଷ୍ଠା ।

କେମିତି ସ୍ୱପ୍ନ ହେଲା ବାସ୍ତବ

ଦାମୋଦରପୁରରୁ ଦିଲ୍ଲୀ, କଟକରୁ କ୍ଲିଭେଲ୍ୟାଣ୍ଡ କ୍ଲିନିକ୍‌ (ଆମେରିକା), ଏମ୍ସରୁ ଇଂଲଣ୍ଡ- ଏପରି ଜୟଯାତ୍ରା ଖୁବ୍‌ କମ୍‌ ଡାକ୍ତରଙ୍କ ଭାଗ୍ୟରେ ଥିବ । ଏହା ଭାବିଲା ବେଳେ ମନକୁ ପ୍ରଶ୍ନ ଆସେ ଏ ବିରାଟ ସ୍ୱପ୍ନର ମୂଳଦୁଆ ପଡ଼ିଲା କେମିତି ?  କିପରି ସ୍ୱପ୍ନ ନେଲା ବାସ୍ତବତାର ରୂପ ?  ଯେତେବେଳେ ପୂରା ବିଶ୍ୱରେ ଓପନ୍‌ ହାର୍ଟ ସର୍ଜରୀ ନେଇ ଗଭୀର ସଂକଟ, ସେତେବେଳେ ରମାକାନ୍ତଙ୍କ ଆଖିରେ ନେସି ହୋଇଯାଇଥିଲା ହୃଦରୋଗ ବିଭାଗର ଡାକ୍ତର ହେବାର ନିଶା। ଭାରତରେ ତ ନାମକୁ ମାତ୍ର ଗୋଟିଏ ଦୁଇଟି ଓପନ୍‌ ହାର୍ଟ ସେଣ୍ଟର ଥିଲା। ଏହି ସମୟରେ ୧୯୬୮ରେ ବିଶ୍ୱର ପ୍ରଥମ ସଫଳ ହାର୍ଟ ଟ୍ରାନ୍‌ସପ୍ଲାଣ୍ଟ ହେଲା । ପ୍ରାୟ ସବୁ ଦେଶର ପ୍ରଥମ ପୃଷ୍ଠାରେ ବାହାରିଥିଲା ଏ ଖବର। ସ୍ୱାଭାବିକ ଭାବେ ଓଡ଼ିଆ ଖବରକାଗଜରେ ବି ବାହାରିଲା। ଯାଜପୁର ଜିଲ୍ଲା ଦୋମୋଦରପୁରର ସ୍କୁଲ ଯାଉଥିବା ରମାକାନ୍ତ ଖବରକାଗଜରୁ ଏହା ପଢ଼ିବା ପରେ ସେବେଠୁ ସଂକଳ୍ପ ନେଇଥିଲେ ଜଣେ ହୃଦରୋଗ ବିଭାଗ ଡାକ୍ତର ହେବାକୁ । କିନ୍ତୁ ଏ ସ୍ୱପ୍ନ କେମିତି ସମ୍ଭବ ହେବ ? ଗାଁରେ ସ୍କୁଲ ନାହିଁ। ଭଲ ସ୍କୁଲ କହିଲେ ଗାଁଠୁ ୭ କିଲୋମିଟର ଦୂର । ଖରା ବର୍ଷା ଶୀତରେ ପ୍ରତିଦିନ ୭ କିଲୋମିଟର ଲେଖାଏଁ ମୋଟ୍‌ ୧୪ କିଲୋମିଟର ଯାଉଥିବା ପିଲାଟା କେବଳ ସ୍ୱପ୍ନ ଦେଖିଲେ କଣ ହେବ ! ତାକୁ ରୂପ ଦେବାକୁ ଉଦ୍ୟମ ଦରକାର । କିନ୍ତୁ ସ୍ୱପ୍ନ ପୂରଣ ପାଇଁ ଏହାହିଁ ମାଧ୍ୟମ ହେଲା । ସଂଯୋଗବଶତଃ ନିଜ ଗାଁ ଲୋକଙ୍କ ଦୂରବସ୍ଥା ଓ ହଟହଟା ତାଙ୍କର ଏ ସ୍ୱପ୍ନକୁ ସଫଳ କରିବାକୁ ବାଧ୍ୟ କଲା।

ଭିଭିଆଇପି ରୋଗୀ

ମାଆ ପ୍ରତିରକ୍ଷା ବିଭାଗର ଡାକ୍ତର । ମାମୁଁ ବି ଇଏନଟି ଡାକ୍ତର । ମାଆ ଓ ମାମୁଁଙ୍କ ଲଗାତର ପ୍ରେରଣା ତାଙ୍କୁ ସଫଳତା ବାଟରେ ଗତିଶୀଳ କଲା । ଗାଁ ସ୍କୁଲ ପରେ ବିଜେବି କଲେଜ ଆଉ ତାପରେ ସିଧା ମେଡିକାଲ ଶିକ୍ଷା । କଟକ ଏସସିବି ମେଡିକାଲ କଲେଜରେ ଏମବିବିଏସ୍‌ ଆଉ ତା ପରେ ଏମ୍‌ସ । ଏହିଠାରେ ହିଁ ହାର୍ଟ ସର୍ଜରୀରେ ପୋଷ୍ଟ ଗ୍ରାଜୁଏସନ୍‌ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସବୁଠି ରମାକାନ୍ତ ଟପ୍ପର । ଆଉ ତାପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଆଉ ଗୋଟେ ହାର୍ଟ ସର୍ଜରୀ କରି ବ୍ରେଭ୍‌ ହାର୍ଟ ଭାବେ ପରିଚିତ ହୋଇଛନ୍ତି । ହାର୍ଟରେ ୧୭ ବ୍ଲକେଜ୍‌ ଥିବା କର୍ଣ୍ଣାଟକ ବ୍ୟବସାୟୀ ମିତାଲାଲ ଢୋକାଙ୍କ ଅପରେସନ୍‌ ହେଉ, ୭ ବର୍ଷୀୟ ଇରାକୀ ବାଳକର ଅତି ଜଟିଳ ଅପରସନ୍‌ ଅଥବା ୭୬ ବର୍ଷୀୟା ବୃଦ୍ଧା ଯଶୋବତ୍ରୀ ଆଜମୀରାଙ୍କ ୧୦ ଘଣ୍ଟିଆ ସର୍ଜରୀ, ଏମିତି ଏକାଧିକ ବିରଳ ଅପରେସନରେ ସଫଳ ହୋଇ ସେମାନଙ୍କୁ ନୂତନ ଜୀବନ ଦେଇଛନ୍ତି ରମାକାନ୍ତ । ଲାଲୁପ୍ରସାଦ ଯାଦବ, ତରୁଣ ଗୋଗେଇ, ଡି. ରାଜା, ପ୍ରତିରକ୍ଷା ମୃନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ, ଅଭିନେତା ଦିଲ୍ଲୀପ କୁମାର ପ୍ରମୁଖ ଭିଭିଆଇପିଙ୍କ ଚିକିତ୍ସା ସଫଳତାର ସହ କରିଛନ୍ତି।

Dr Ramakant

କ୍ଲିଭେଲ୍ୟାଣ୍ଡ କ୍ଲିନିକ୍‌: ଟର୍ଣ୍ଣିଂ ପଏଣ୍ଟ

ରମାକାନ୍ତ କହନ୍ତି, ବିଶ୍ୱର ଶ୍ରେଷ୍ଠ ହୃଦରୋଗ କେନ୍ଦ୍ର ଆମେରିକାର କ୍ଲିଭେଲ୍ୟାଣ୍ଡ କ୍ଲିନିକରେ ଫେଲୋସିପ୍‌ ଟ୍ରେନିଂ ତାଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ । ଏଠାରେ କାମ କରୁଥିବା ବେଳେ ସେ ଭାରତ ଓ ଆମେରିକାରେ କାର୍ଡିଓଲୋଜି ଚିକିତ୍ସା ପଦ୍ଧତିରେ ଦେଖିଥିଲେ ବଡ଼ ଗ୍ୟାପ୍‌ । ନିଜ ଦେଶରେ ହୃଦରୋଗ ଚିକିତ୍ସାକୁ ଏକ ଉଚ୍ଚତାକୁ ନେବା ପାଇଁ ଏହି ଗ୍ୟାପ୍‌ ତାଙ୍କୁ ଆହୁରି ପ୍ରତିବଦ୍ଧ କରାଇଥିଲା । ଚାଲିଲା ଆହୁରି ଗବେଷଣା । ବିଭିନ୍ନ କେସ୍ ଷ୍ଟଡି, ନୂଆ କୈାଶଳ ଅନ୍ୱେଷଣ ଆଦି ଉପରେ ରହିଲା ଫୋକସ୍‌ । ଏହା ପରେ ଇଂଲଣ୍ଡର ହେୟାରଫିଲ୍ଡ ହସପିଟାଲରେ ସିନିଅର ରେଜିଷ୍ଟ୍ର।ର ଭାବେ କାମ କରିବା ରମାକାନ୍ତଙ୍କୁ ନିଜ ଗବେଷଣାରେ ଆଉ ଦି ପାଦ ଆଗେଇ ନେଇଥିଲା । ରମାକାନ୍ତଙ୍କ ଉଦ୍ୟମରେ ଭାରତରେ ପ୍ରତିଷ୍ଠା ହେଲା ଏସିଆନ୍‌ ହାର୍ଟ ଇନଷ୍ଟିଚ୍ୟୁଟ, ଯାହା ଅନ୍ତର୍ଜାତୀୟ ସ୍ତରରେ କୈାଣସି ବଡ ହୃଦ୍‌ ଚିକିତ୍ସାଳୟର ସମକକ୍ଷ ।

Dr Ramakant Panda

ପୃଥିବୀରେ ମଣିଷର ଜୀବନ ହେଉଛି ସବୁଠାରୁ ଉନ୍ନତତର ଜୀବନସତ୍ତା । ଆଉ ଜୀବନସତ୍ତାର ପିଣ୍ଡ ରହିଛି ହୃଦୟ ବା ହାର୍ଟରେ । ସେଇ ହୃଦୟ ଦାନ କରି ଆଜି କୋଟିକୋଟି ମୃଣିଷଙ୍କ ହୃଦୟରେ ଅଛନ୍ତି ରମାକାନ୍ତ । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସଫଳତା ପାଇଁ ସେ ଅପହଞ୍ଚ ଉଚ୍ଚତାର ବ୍ୟକ୍ତିତ୍ୱ ପାଲଟିଛନ୍ତି। ପଦ୍ମ ଭୂଷଣ, ଉତ୍କଳ ରତ୍ନ ସମେତ ଚିକିତ୍ସା ବିଜ୍ଞାନର ବହୁ ସ୍ୱୀକୃତି ଓ ସମ୍ମାନ ପାଇଛନ୍ତି । ଡାକ୍ତରଙ୍କୁ ଯେଉଁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ, ରମାକାନ୍ତ ତାହାକୁ ବାସ୍ତବରେ ପାଳନ କରିଛନ୍ତି । ଅନକେ ଆର୍ଥିକ ଅନଗ୍ରସର ଓ ଅକ୍ଷମ ଲୋକଙ୍କୁ ମାଗଣା ଚିକିତ୍ସା ଦେବାକୁ କୁଣ୍ଠାବୋଧ କରିନାହାନ୍ତି । ଏନେଇ ଡାକ୍ତର ପଣ୍ଡା କହନ୍ତି, ”ମୋ ଦ୍ଵାରା ଯେଉଁମାନେ ଆରୋଗ୍ୟ ହୋଇ ଏବେ ପୂର୍ବପରି ନିଜ ଜୀବନଚର୍ଯ୍ୟାରେ ସକ୍ରିୟ ଅଛନ୍ତି, ସେମାନଙ୍କ ଶୁଭେଛା ହିଁ ମୋ ସଫଳତାର ମୂଳ କାରଣ । ଆଉ କିଛି ନୁହେଁ ।” ଏତେ ସଫଳତା ସତ୍ତ୍ୱେ ବି ଗାଁ ମୋହରୁ ମୁକୁଳି ନାହାନ୍ତି ରମାକାନ୍ତ ନିଜେ ପଢ଼ିଥିବା ସ୍କୁଲରେ ହେଡ ମାଷ୍ଟରଙ୍କ ନାଁରେ ଲାଇବ୍ରେରୀ ପ୍ରତିଷ୍ଠା କରିଛନ୍ତି । ମେଡିକାଲ ପାଇଁ ଅନେକ କିଛି କରିଛନ୍ତି । ଏତେ ସଫଳତାକୁ ତାକୁ ଆଦୌ ଉତ୍ସାହିତ କରିନାହିଁ । ୧୨ ବର୍ଷ ବୟସରେ ସ୍କୁଲକୁ ଯେମିତି ୭ କିଲୋମିଟର ଦୌଡୁଥିଲେ ଲୋକଙ୍କ ସେବା ପାଇଁ ଏବେବି ସେମିତି ଅଣନିଶ୍ୱାସୀ ହୋଇ ଦୌଡୁଛନ୍ତି ।

')}

Leave a Reply