କିନ୍ନରଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଗଠନ ହେବ ‘ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌’

Kinner

ଭୁବନେଶ୍ୱର: କିନ୍ନରଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଖୁବ୍ ଶୀଘ୍ର ଗଠନ ହେବ ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌ । ଏହି ସେଲ୍‌ର ଅଧ୍ୟକ୍ଷ ରହିବେ ପୋଲିସ ମହାନିର୍ଦ୍ଦେଶକ । କେବଳ ନ୍ୟାୟ ପ୍ରଦାନ ନୁହେଁ, ଟ୍ରାନ୍‌ସଜେଣ୍ଡର ସମୁଦାୟଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏହି ସେଲ୍ କାର୍ଯ୍ୟ କରିବ ।

ତୃତୀୟ ଲିଙ୍ଗଙ୍କ ପ୍ରତି ଶାରୀରିକ ଓ ମାନସିକ ନିର୍ଯାତନା ରୋକିବା ପାଇଁ ରାଜ୍ୟ ସରକାରଙ୍କ ଏହା ବଡ଼ ପଦକ୍ଷେପ । ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହା କାର୍ଯ୍ୟକ୍ଷମ ହେବ । କିନ୍ନରଙ୍କ ଦ୍ୱାରା ଦାଏର ହୋଇ ପଡ଼ିଥିବା ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରି ନ୍ୟାୟ ପ୍ରଦାନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ କଟକ ଏବଂ ଭୁବନେଶ୍ୱରରେ ସେଲ୍ ଗଠନ ପାଇଁ ପ୍ରସ୍ତାବ ରହିଛି ।

ଗତ ସପ୍ତାହରେ ଏନେଇ ରାଜ୍ୟ ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଭାଗୀୟ ସଚିବ ରାଜ୍ୟରେ ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ୍ ସେଲ୍ ଖୋଲିବାକୁ ଡିଜିପିଙ୍କ ଅଫିସକୁ ଚିଠି ଲେଖିଥିଲେ । ଟ୍ରାନ୍‌ସଜେଣ୍ଡର ପର୍ସନ ଆକ୍ଟ ୨୦୧୯ ଅନୁସାରେ ତୃତୀୟ ଲିଙ୍ଗଙ୍କୁ ନିଯୁକ୍ତି, ଶିକ୍ଷା, ସାମାଜିକ ସୁରକ୍ଷା, ହାଉସିଂ, ସ୍ୱାସ୍ଥ୍ୟକ୍ଷେତ୍ରରେ ଅଣଦେଖା ପରିବର୍ତ୍ତେ ସମ୍ମାନ ଓ ସୁଯୋଗ ଦେବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ସେଲ୍ ଗଠନ ପ୍ରସ୍ତାବକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଓଡ଼ିଶା ପୋଲିସର ସୂଚନା ଆଧାରରେ ରାଜ୍ୟରେ କିନ୍ନରଙ୍କ ଉପରେ ନିର୍ଯାତନା ଅଭିଯୋଗ ଅତି ନଗଣ୍ୟ । ଟ୍ରାନ୍‌ସଜେଣ୍ଡରଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Leave a Reply