ବାରିପଦାରେ ଶବ ରଖି ମେଡିକାଲ ପରିସରରେ ଧାରଣା, ଭଦ୍ରକରେ ନକଲି ଡାକ୍ତର ନେଲା ଛାତ୍ର ଜୀବନ !

ବାରିପଦା/ଭଦ୍ରକ: ଚିକିତ୍ସା ଅଭାବରୁ ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରୋଗୀ ମୃତ୍ୟୁ । ପ୍ରତିବାଦରେ ମେଡିକାଲ ମୁଖ୍ୟ ଫାଟକ ଆଗରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ଟାଉନ୍‌ ଥାନା ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି । ମୃତକ ହେଉଛନ୍ତି ବାରିପଦା ପୌରପାଳିକା ମଧୁବନ ଅଞ୍ଚଳର ହୃଷିକେଶ ବୈଶାଖ ।ଗତକାଲି ସକାଳେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ଅଣାଯାଇଥିଲା । ତେବେ ସେଠାରେ ଡାକ୍ତର ଓ ନର୍ସ ଉପଯ଼ୁକ୍ତ ଚିକିତ୍ସା କରିନଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା । ବିଳମ୍ବିତ ରାତିରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଆଜି ସକାଳେ ପରିବାର ଲୋକେ ମେଡିକାଲ ପରିସରରେ ଧାରଣା ଦେଇଛନ୍ତି ।

ଜୀବନ ନେଲା ନକଲି ଡାକ୍ତର !

ଅନ୍ୟପଟେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଘଣ୍ଟେଶ୍ୱର ଅଞ୍ଚଳରୁ ଆସିଛି ସାଂଘାତିକ ଅଭିଯୋଗ । ନକଲି ଡାକ୍ତରଙ୍କ ପାଇଁ ଚାଲିଯାଇଛି ଛାତ୍ରଙ୍କ ଜୀବନ । ଘଣ୍ଟେଶ୍ୱର ବଜାରରେ ଥିବା ତାରିଣୀ କ୍ଲିନିକ ବିରୋଧରେ ଏମିତି ଅଭିଯୋଗ ହୋଇଛି । ସେଠାରେ ବିନା କୈାଣସି ଟେଷ୍ଟରେ କ୍ଲିନିକର ମାଲିକ ଔଷଧ ଓ ଇଞ୍ଜେକ୍ସନ ଦେଇଥିଲେ । ଫଳରେ ଘଣ୍ଟେଶ୍ୱର ଗାଁର ଗଙ୍ଗାଧର ବାରିକଙ୍କ ପୁଅର ମୃତ୍ୟୁ ହୋଇଥିଲା । ପୁଅ ଭଲ ହୋଇଯିବ କହି ଘରକୁ ପଠାଇ ଦେଇଥିଲେ ।ତେବେ, ଘରେ ପହଞ୍ଚି ଅବସ୍ଥା ଗୁରୁତର ହୋଇଥିଲା । ଏହା ପରେ ଅସୁସ୍ଥ ପୁଅକୁ ନେଇ ଭଦ୍ରକ ମେଡିକାଲ ଯାଇଥିଲେ ଗଙ୍ଗାଧରଙ୍କ ପରିବାର । ତେବେ ସେଠାରେ ତାଙ୍କୁ ବଞ୍ଚାଇପାରି ନ ଥିଲେ ଡାକ୍ତର । ତେବେ ଡାକ୍ତରଙ୍କ ଅନୁସାରେ ଠିକ୍‌ ମେଡିସିନ ନ ଦେବାରୁ ମୃତ୍ୟୁ ହୋଇଛି । ତେଣୁ କ୍ଲିନିକ କରିଥିବା ଡାକ୍ତରଙ୍କ ଲାଇସେନ୍ସର ଯାଞ୍ଚ କରିବାକୁ ଦାବି ହୋଇଛି । ସେ ପ୍ରକୃତରେ ଡାକ୍ତର ନା ନୁହେଁ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Leave a Reply