କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ 360 ଡିଗ୍ରୀ ଆପ୍ରୋଚ୍

1 min read

ଭୁବନେଶ୍ୱର: ହାଡ଼ଫୁଟି ଠାରୁ ଅଧିକ ସଂକ୍ରାମକ କରୋନା । ତେଣୁ ଭୟଭୀତ ନହୋଇ ସଚେତନ ରୁହନ୍ତୁ । ନିଜେ ୧୪ ଦିନ ପାଇଁ ଭିଡ଼ ଠାରୁ ଦୂରେଇ ରଖନ୍ତୁ । ଏଭଳି କିଛି ଆହ୍ଵାନ ସହ ଆଜି ରାଜ୍ୟ ସରକାର ଆରମ୍ଭ କରିଛନ୍ତି କରୋନା ବିରୋଧୀ ବଡ଼ ଅଭିଯାନ । ଅଭିଯାନର ଫୋକସ୍‌ରେ ପିଲା ଓ ବୁଢ଼ା । ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନୱାଡ଼ି କେନ୍ଦ୍ର । ଏହି ସମୟରେ ଶିଶୁଙ୍କ ପାଇଁ ଶୁଖିଲା ରାସନ ଘରେ ପହଞ୍ଚାଯିବ । ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ ପାଇଁ ଆବଶ୍ୟକ ସମସ୍ତ ଶୁଖିଲା ରାସନ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ପହଞ୍ଚାଇବେ ।

ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରତି ଗାଁରେ ANM ଓ ଆଶାକର୍ମୀଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ରହିବ । ଯେମିତି କି ପାରାସିଟାମଲ ଏବଂ ଓଆରଏସ୍‌ । ସବୁଠାରୁ ବଡ଼ କଥା ହେଲା ପ୍ରତି ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରାଯିବ । ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୫ ଲକ୍ଷ ଟଙ୍କାର ଅର୍ଥରାଶି ଅନୁମୋଦନ କରି ସାରିଛି । ଏହାବାଦ୍‌ ଅତ୍ୟାବଶ୍ୟକ ଏବଂ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଉଣ୍ଟରରେ ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି ।

ସେପଟେ ଆସନ୍ତାକାଲି ପଞ୍ଚାୟତ ସଭା ବସିବ । ଏଥିରେ ଗାଁୱାରୀ ଭତ୍ତା ବଣ୍ଟନ ପାଇଁ ସ୍ଥିର କରାଯିବ । ଏକକାଳୀନ ୪ ମାସ ପାଇଁ ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଦିଆଯାଉଥିବା ମାସିକ ଭତ୍ତା । ଜନସମାବେଶ ରୋକିବାକୁ ଗାଁ ଗାଁରେ ଦିଆଯିବ ଭତ୍ତା ।

ସେହିପରି NFS ଆକ୍ଟ ଅନୁସାରେ ହିତାଧିକାରୀଙ୍କୁ ଆସନ୍ତା ଏପ୍ରିଲ ୧ରୁ ୧୫ ମେ ପର୍ଯ୍ୟନ୍ତ ଅର୍ଥାତ ୪୫ ଦିନ ମଧ୍ୟରେ ଚାଉଳ, ଗହମ ଓ କିରୋସିନି ଯୋଗାଇ ଦିଆଯିବ । କୋଭିଡ-୧୯ ଏକ ସଂକ୍ରମକ ରୋଗ ହୋଇଥିବାରୁ E-POS, ବାୟୋମେଟ୍ରିକ ଓ IRIS ସ୍କାନିଂ କରାଯିବ ନାହିଁ ।

Leave a Reply