ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା

2 min read

ବଙ୍ଗୋପସାଗରରେ ଗଭୀର ଅବପାତର ରୂପନେଲା ସାଇକ୍ଲୋନନ୍ ନିଭାର । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ୫ ଟାରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ଏହି ସାଇକ୍ଲୋନ୍‌ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନ୍‌ ଯୋଗୁଁ ଅନେକ ଟ୍ରେନ୍‌ ବାତିଲ କରାଯାଇଛି । ରେଳବାଇରୁ ମିଳିଥିବା ସୂଚନା ଅନୁଯାୟୀ, ୧୨ ଯୋଡ଼ି ଅର୍ଥାତ୍ ୨୪ ଟି ଟ୍ରେନ୍ ୨୫ ନଭେମ୍ବରରେ ସମ୍ପୂର୍ଣ୍ଣ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଛି । ତେବେ ସମ୍ପୂର୍ଣ୍ଣ ରୂପେ ବାତିଲ ହୋଇଥିବା ଟ୍ରେନ୍‌ର ଟିକଟ୍‌ ଫି ନିୟମ ଓ ସର୍ତ୍ତ ଅନୁସାରେ ଯାତ୍ରୀଙ୍କୁ ଫେରସ୍ତ କରାଯିବ ଏବଂ ଆଂଶିକ ବାତିଲ ହୋଇଥିବା ଟ୍ରେନ୍‌ର ଟିକଟ୍‌ ଫି ମଧ୍ୟ ସେହିଭଳି ଫେରସ୍ତ କରାଯିବ ।

ନଭେମ୍ବର ୨୫ରେ ବାତ୍ୟା ଆସିବାର ଆଶଙ୍କା

ପାଣିପାଗ ବିଭାଗର ସୂଚନାନୁସାରେ, ୨୫ ନଭେମ୍ବର ସନ୍ଧ୍ୟାରେ କରାଇକାଲ ଏବଂ ମମଲାଲାପୁରମ୍ ମଧ୍ୟରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିଲୋମିଟର ବେଗ‌ରେ ପବନ ବହିବାର ଆଶଙ୍କା କରାଯାଉଛି । ଘୂର୍ଣ୍ଣିବଳୟର ପ୍ରଭାବରେ ଏବେଠାରୁ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ପୁଡୁଚେରୀର ଗାନ୍ଧୀ ଉପକୂଳରେ ପ୍ରବଳ ପବନ ବହିବା ମଧ୍ୟ ଆରମ୍ଭ ହୋଇଛି । ପବନ ଯୋଗୁଁ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବାର ଦେଖାଯାଇଛି ।

ପୁଡୁଚେରୀରେ ଆଜି ରାତିରୁ ଧାରା ୧୪୪ ଲାଗୁ

ବାତ୍ୟା ଆଶଙ୍କା ଥିବାରୁ ପୁଡୁଚେରୀ ଜିଲ୍ଲା ମାଜିଷ୍ଟ୍ରେଟ୍ ମଙ୍ଗଳବାର ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଧାରା ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୪୪ ଲାଗୁ ସମୟରେ ସବୁ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଥିବା ବେଳେ ଦୁଗ୍ଧ ଦୋକାନ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରଖିବାକୁ ଅନୁମତି ରହିଛି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି ।

ତାମିଲନାଡୁ-ପୁଡୁଚେରୀରେ NDRF ଦଳ

ତାମିଲନାଡୁ-ପୁଡୁଚେରୀରେ ବାତ୍ୟା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏନ୍‌ଡିଆରଏଫ୍‌ ଡିଜିଙ୍କ କହିବାନୁଯାୟୀ ଅନ୍ଧ୍ରପଦେଶ, ପୁଡୁଚେରୀ ଓ ତାମିଲନାଡ଼ୁରେ ୩୦ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ‌ ମୁତୟନ କରାଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆଶ୍ୱସନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମୋଦି ଟ୍ୱିଟ୍‌ କରି ମଧ୍ୟ ସୂଚନା ଦେଇଛନ୍ତି ।

Leave a Reply