ଅଫିସ୍‌କୁ ଲଙ୍କାଗୁଣ୍ଡ ନେଇ ଯାଉଛନ୍ତି ତହସିଲଦାର, କାହିଁକି ?

1 min read

ହାଇଦ୍ରାବାଦ: ସରକାରୀ କର୍ମଚାରୀଙ୍କୁ ଏବେ ଜୀବନ ଭୟ । କେତେବେଳେ କେଉଁ ଗୁଣ୍ଡା ଶ୍ରେଶୀୟ ଲୋକ ବା ମାଫିଆ ସରକାରୀ ବ୍ୟବସ୍ଥାରେ ରାଗ ସୁଝାଉଛି ତ କେଳେବେଳେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶୀକାର ହେଉଛନ୍ତି ବାବୁ । ଓଡ଼ିଶାରେ ବିଶେଷ କରି ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ ସମୟେ ସମୟେ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଆମ ରାଜ୍ୟ ନୁହେଁ ପଡୋଶୀ ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଦୃଶ୍ୟ । ଆକ୍ରମଣରୁ ବର୍ତ୍ତିବା ପାଇଁ ସରକାରୀ କର୍ମଚାରୀ ଆପଣାଇଛନ୍ତି ଭିନ୍ନ ତରିକା । ଗତ ନଭେମ୍ବର ୪ ତାରିଖରେ ହାଇଦ୍ରାବାଦର ଅବଦୁଲ୍ଲାପୁରମିତରେ ଜଣେ ତହସିଲଦାର ବିଜୟା ରେଡ୍ଡିଙ୍କୁ ଅଫିସ୍‌ ଭିତରେ କିଛି ଦୁର୍ବୃତ୍ତ ଜିଅନ୍ତା ଜାଳିଦେବା ପରେ ଏବେ ଭୟରେ ଅନ୍ୟାନ୍ୟ କର୍ମଚାରୀ । ଆଶା ଆଶଙ୍କାରେ ଆସିବାକୁ ପଡ଼ୁଛି ଅଫିସ କାର୍ଯ୍ୟାଳୟରେ ।

MRO murder

ଏଭଳି ସ୍ଥିତିରେ ରାଜ୍ୟର ମହିଳା ତହସିଲଦାରମାନେ ଆପଣେଇଛନ୍ତି ଆତ୍ମରକ୍ଷାର ଭିନ୍ନ କୌଶଳ । ସମ୍ଭାବ୍ୟ ଆକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ ପାଖରେ ରଖୁଛନ୍ତି ଲଙ୍କା ଗୁଣ୍ଡ ସ୍ପ୍ରେ । ଯଦି କିଏ ହଠାତ୍‌ ଆକ୍ରମଣ କରିବାକୁ ଚେଷ୍ଟା କରିବ ପାଖରେ ରଖିଥିବା ଲଙ୍କା ଗୁଣ୍ଡ ସ୍ପ୍ରେ ତା ଆଖିକୁ ମାରିଦେଲେ ବର୍ତ୍ତିଯିବାର ସମ୍ଭାବନା ଦେଖିଛନ୍ତି ସରକାରୀ ଅଧିକାରୀ ।

Pepper Spray

ଏନେଇ ଡେପୁଟି କଲେକ୍ଟର ସଂଘର ସଭାପତି ଚିନ୍ତା ପ୍ରକଟ କରିବା ସହ ଆତ୍ମରକ୍ଷା ପାଇଁ ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଥିବା କହିଛନ୍ତି । ଏଥିସହ ଯିଏ ବି କିଛି ଶୁଣାଣି ବା ଅଭିଯୋଗ ନେଇ ଅଫିସ୍‌କୁ ଆସୁଛନ୍ତି ବିନା ବ୍ୟାଗ୍‌ରେ ହାତରେ କେବଳ ଅଭିଯୋଗ ପତ୍ର ଧରି ଭିତରକୁ ପ୍ରବେଶ କରିବାକୁ ପଡ଼ୁଛି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଘଟଣା ପରେ ତହସିଲ ଅଫିସ୍‌ରେ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ଲୋକଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । କିଛି ସ୍ଥାନକୁ ସିସିଟିଭି ଲଗାଇବାକୁ ପଦକ୍ଷେପ ନିଆଯାଇଛି । ତେବେ ରାଜ୍ୟରେ ପାଖାପାଖି ଏକ ହଜାର ତହସିଲଦାରଙ୍କ ଭିତରେ ୪ ଶହ ମହିଳା ତହସିଲଦାର ଅଛନ୍ତି ଯେଉଁମାନେ ଏ ଘଟଣା ପରେ ଖୁବ୍ ଚିନ୍ତାରେ ଥିବା କହିଛନ୍ତି । ')}

Leave a Reply