ରିୟାଙ୍କ ସହ ସଂପର୍କ ପରେ ସୁଶାନ୍ତ ନେଉଥିଲେ ରହସ୍ୟମୟ ଔଷଧ, ପର୍ସନାଲ ଟ୍ରେନର ଖୋଲିଲେ ଗୁମର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ରହସ୍ୟ ପଦାକୁ ଆସୁଛି । ସେହି କ୍ରମରେ ଆଉ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି ।  ସୁଶାନ୍ତଙ୍କ ବ୍ୟକ୍ତିଗତ ଜିମ୍ ଟ୍ରେନର ସମି ଅହମ୍ମଦଙ୍କ ଅନୁସାରେ ସୁଶାନ୍ତ ଗତ ଡିସେମ୍ବର ମାସରୁ କିଛି ରହସ୍ୟମୟ ଔଷଧ ଖାଉଥିଲେ । ଟ୍ରେନରଙ୍କ ଦାବି ଯେ,ଏଇଥିପାଇଁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ସୁଶାନ୍ତ ଠିକରେ ଛିଡା ହୋଇ ପାରୁନଥିଲେ । ତାଙ୍କ ପାଦ ଥରୁଥିଲା ।

ସମ୍ମି ଗତ ୫ ବର୍ଷ ଧରି ସୁଶାନ୍ତଙ୍କ ଟ୍ରେନର ଥିଲେ । ସୁଶାନ୍ତଙ୍କର ସମ୍ମିଙ୍କ ପରିବାର ସହ ମଧ୍ୟ ସମ୍ପର୍କ ଥିଲା । ଆତ୍ମହତ୍ୟାର ଦୁଇ ସପ୍ତାହ ପୂର୍ବରୁ ସେ ସମ୍ମିଙ୍କୁ ଫୋନ୍ କରିଥିଲେ । ସମ୍ମିଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାରୁ ସେ ସମବେଦନା ଜଣାଇବାକୁ କଲ କରିଥିଲେ । ଏହାସହ ସେ ସମ୍ମିଙ୍କୁ ତାଙ୍କ ବାପାଙ୍କ ଯତ୍ନ ନେବାକୁ ମଧ୍ୟ କହିଥିଲେ । ସମ୍ମିଙ୍କ କହିବା ହେଉଛି ସୁଶାନ୍ତ ଠିକ୍ ଲାଗୁନଥିଲେ ।

ରିପବ୍ଲିକ୍ ଟିଭି ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସମ୍ମିଙ୍କୁ ଅଣ୍ଡରକଭର ରିପୋର୍ଟର ପଚାରିଥିଲେ ଯେ, ସୁଶାନ୍ତଙ୍କ ମେଡିକାଲ କଣ୍ଡିସନକୁ ନେଇ ତାଙ୍କ ପାଖରେ କିଛି ତଥ୍ୟ ରହିଛି କି ? ଏହାର ଉତ୍ତରରେ ସେ ଚମକାଇବା ଭଳି କଥା କହିଛନ୍ତି । ସେ କହିଛନ୍ତି ଯେ, ‘ମୁଁ ଏବାବଦରେ କିଛି ଜାଣିନାହିଁ କାରଣ ରିୟା ଏସବୁ ଭିତରକୁ ଯିବାକୁ ଦେଉ ନଥିଲା । କିନ୍ତୁ ଏତିକି ଜାଣିଛି ଯେ, ଯେବେଠାରୁ ସୁଶାନ୍ତ ରିୟାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ସେବେଠାରୁ ସେ ବହୁତ ବଦଳି ଯାଇଥିଲେ । ସୁଶାନ୍ତ ଆଗରୁ କେବେ ମଧ୍ୟ କୌଣସି ଔଷଧ ଖାଉନଥିଲେ କିନ୍ତୁ ରିୟାଙ୍କ ସହ ମିଶିବା ପରଠାରୁ ଔଷଧ ଖାଇବା ଆରମ୍ଭ  କରିଥିଲେ ।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ଜୁନ୍ ୧୪ ତାରିଖ ଦିନ ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏବେ ତାଙ୍କ ପିତା ରିୟାଙ୍କ ବିରୋଧରେ ପାଟନାରେ ଏତଲା ଦେବା ପରେ ମାମଲାର ତଦନ୍ତ ନୂଆ ଢଙ୍ଗରେ ଆରମ୍ଭ ହୋଇଛି । ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଯେ,ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ । ଅନ୍ୟପକ୍ଷରେ ରିୟା ମାମଲାକୁ ପାଟନାରୁ ସ୍ଥାନାନ୍ତର କରି ମୁମ୍ବାଇ ଆଣିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply