AGR Case : ୧୦ ବର୍ଷରେ ବକେୟା ସୁଝିବେ ସବୁ ଟେଲିକମ୍ ସଂସ୍ଥା, ଜାଣନ୍ତୁ ଭୋଡାଫୋନ୍ ଓ ଏୟାରଟେଲ ଉପରେ କେତେ ବାକି ?

1 min read

ନୂଆଦିଲ୍ଲୀ : ସୁପ୍ରିମ୍ କୋର୍ଟର ଶୁଣାଣି ଅନୁଯାୟୀ ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତରେ ସେବା ଯୋଗାଉଥିବା ଟେଲିକମ୍ୟୁନିକେସନ ସଂସ୍ଥା  ନିଜ ନିଜର ଏଜିଆର ବକେୟା ରାଶି ପଇଠ କରିବେ । ତେବେ  କିସ୍ତିରେ ବକେୟା ପଇଠ କରିବାର ସମୟସୀମା ଏପ୍ରିଲ ୧, ୨୦୨୧ରୁ ଆରମ୍ଭ ହେବ । ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛି । ତେବେ ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରତିବର୍ଷ ଫେବୃଆରୀ ୭ ତାରିଖ ମଧ୍ୟରେ ଟେଲିକମ୍ ସଂସ୍ଥାକୁ ନିଜ ନିଜର ବକେୟା ରାଶି କିଛି ଅଂଶ ପଇଠ କରିବାକୁ ପଡ଼ିବ । ଅର୍ଥାତ୍ ନିଜ ମନ ମୁତାବକ କିସ୍ତିରେ ସଂସ୍ଥମାନେ କେନ୍ଦ୍ର ସରକାରଙ୍କ ବକେୟା ସୁଝିପାରିବେ । ତେବେ କିସ୍ତି ପ୍ରକ୍ରିୟାକୁ ଆସିବା ପୂର୍ବରୁ ଏଜିଆର ରାଶିର ୧୦ ପ୍ରତିଶତ ପ୍ରଥମେ ସୁଝିବା ଆବଶ୍ୟକ । ଅର୍ଥାତ୍ ଯେଉଁ ସଂସ୍ଥା ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଅତିକମରେ ୧୦ ପ୍ରତିଶତର ଏଜିଆର ରାଶି ସୁଝିପାରିନଥିବ, ଉକ୍ତ ସଂସ୍ଥାକୁ ସୁପ୍ରିମ୍ କୋର୍ଟର ଏହି କିସ୍ତି ଭିତ୍ତିକ ବକେୟା ପରିଶୋଧ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ ।

ଏଜିଆର୍ କ’ଣ ?

୧୯୯୪ ମସିହାରେ କେନ୍ଦ୍ର ସରକାର ଦେଶରେ ଟେଲିକମ୍ ସେକ୍ଟରକୁ  ବିତ୍ତୀୟ ଉଦାରୀକରଣ ନୀତି ମଧ୍ୟରେ ସାମିଲ କରିଥିଲେ । ଯାହା ଫଳରେ ଅନେକ ଆନ୍ତର୍ଜାତିକ ସଂସ୍ଥା ସମୟକ୍ରମେ ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଖରେ ପହଞ୍ଚିବା ସହଜ ହୋଇଥିଲା । ତେବେ ପ୍ରତିବଦଳରେ ଭାରତ ସରକାରଙ୍କ ସହ ସମ୍ପୃକ୍ତ ସଂସ୍ଥାକୁ ଚୁକ୍ତି କରିବାକୁ ପଡ଼ିଥାଏ । ମୋଟାମୋଟୀ ଭାବେ ସରକାର କିଭଳି ଭାବେ ଦେଶର ଉଦାରୀକରଣ ଦ୍ୱାରା ଲାଭବାନ ହୋଇପାରିବେ ତାହା ହିଁ ଏହି ଚୁକ୍ତିର ଉଦ୍ଦେଶ୍ୟ  । ଚୁକ୍ତିରେ ଏଜିଆର ଶଦ୍ଦର ବ୍ୟବହାର ହୋଇଥାଏ । ଏଜିଆର୍ କିମ୍ୱା ଆଡଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ ଆଧାରରେ ଟେଲିକମ୍ ସଂସ୍ଥା ସରକାରଙ୍କୁ ନିଜ ଲାଭାଂଶର କିଛି ଅଂଶ ପଇଠ କରନ୍ତି । ଏହି ସଂସ୍ଥା ଭାରତରେ ଏକ ବଜାର ପାଇଥିବା ଓ ବ୍ୟାପାର କରିବାର ସୁଯୋଗ ପାଇଥିବା ହେତୁ ସରକାର ସେମାନଙ୍କଠାରୁ ଅର୍ଥରାଶି ଆଦାୟ କରନ୍ତି । ତେବେ ଏଜିଆରକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇ ସରକାରଙ୍କୁ ଅର୍ଥ ପଇଠ କରାଯାଏ । ପ୍ରଥମତଃ, ବାର୍ଷିକ ଲାଇସେନ୍ସ ଫି’ ଓ ଅନ୍ୟଟି କେନ୍ଦ୍ର ସରକାରଙ୍କ ସ୍ପେକଟ୍ରମ୍ ବ୍ୟବହାର ଅର୍ଥ ରାଶି । ସରକାରଙ୍କ ତରଫରୁ ଏହି ସଂସ୍ଥାକୁ ଉଭୟ ସ୍ପେକଟ୍ରମ୍ ଓ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ପ୍ରତିବଦଳରେ ଟେଲିକମ୍ ସଂସ୍ଥା ସରକାରଙ୍କୁ ଚୁକ୍ତି ନିର୍ଦ୍ଧାରିତ ଅର୍ଥ ପଇଠ କରନ୍ତି । ତାହା ହିଁ ଏଜିଆର୍  । ଆମ ଦେଶର ଜାତୀୟ ଟେଲିକମ୍ ପଲିସି-୧୯୯୪ ଅନୁଯାୟୀ ପ୍ରତି ଟେଲିକମ୍ ସଂସ୍ଥା ସରକାରଙ୍କୁ ଲାଇସେନ୍ସ ଫି’ ବାବଦକୁ ଲାଭାଂଶର ୮ ପ୍ରତିଶତ ଓ ସ୍ପେକଟ୍ରମ୍ ବ୍ୟବହାର ବାବଦକୁ ୩ରୁ ୫ ପ୍ରତିଶତ ସରକାରଙ୍କୁ ଦେବାର ପ୍ରାବଧାନ ରହିଛି ।

ଏଜିଆରକୁ ନେଇ ଦେଶରେ ସମସ୍ୟା କ’ଣ ?

କେନ୍ଦ୍ର ଟେଲିକମ୍ୟୁନିକେସନ୍ ମନ୍ତ୍ରାଳୟ ଅନୁଯାୟୀ କେନ୍ଦ୍ର ସରକାର ଭିନ୍ନ ଭିନ୍ନ ଟେଲିକମ୍ ସଂସ୍ଥାଠାରୁ ୧ଲକ୍ଷ ୯୨ ହଜାର ୨୯୨ କୋଟି ଟଙ୍କାର ବକେୟା ରାଶି ଫେରସ୍ତ ପାଇବାର ଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଟେଲିକମ୍ ସଂସ୍ଥା ୨୫ ହଜାର ୮୯୬ କୋଟି ଟଙ୍କା ସରକାରଙ୍କୁ ଫେରସ୍ତ କରିଛନ୍ତି । ତେବେ ଏତେ ମାତ୍ରର ରାଶି ୨୦ ବର୍ଷରୁ ଅଧିକ ସମୟ ଧରି ବକେୟା ପଡ଼ିରହିଥିବାରୁ କେନ୍ଦ୍ର ଟେଲିକମ୍ୟୁନିକେସନ ବିଭାଗ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା । ପ୍ରତିକ୍ରିୟାରେ ସମସ୍ତ ଟେଲିକମ୍ୟୁନିକେସନ୍ ସଂସ୍ଥା ସୁପ୍ରିମ କୋର୍ଟର ପାଖରେ ନିଜ ନିଜ ଗୁହାରି ଶୁଣାଇଥିଲେ । ତେବେ ପ୍ରାୟ ସମସ୍ତେ ଅଧିକରୁ ଅଧିକ ସମୟ ମାଗିଥିବା ବେଳେ ଭୋଡ଼ାଫୋନ୍ ଓ ଭାରତୀ ଏୟାରଟେଲ୍ ଭଳି ସଂସ୍ଥା ବକେୟା ରାଶି ସୁଝିବା ପାଇଁ ୧୫ ବର୍ଷ ସମୟ ମାଗିଥିଲେ । ଗତ ୨୦୧୯ ଅକ୍ଟୋବର ମାସରେ ସୁପ୍ରିମ କୋର୍ଟ ଏହି ଘଟଣାରେ ଶୁଣାଣି କରି ଟେଲିକମ୍ ସଂସ୍ଥାକୁ ଟଙ୍କା ପଇଠ କରିବାକୁ କହିଥିଲେ ମାତ୍ର ଟେଲିକମ୍ ସଂସ୍ଥାଗୁଡ଼ିକ ଟଙ୍କା ଦେବାର ଅସମର୍ଥ ଥିବା ଜାନୁଆରୀ ୨୦୨୦ରେ ଜଣାଇଥିଲେ । କାରଣ ଦର୍ଶାଇ କହିଥିଲେ ଯେ  ଏତେ ପରିମାଣର ଅର୍ଥ ଏତେ କମ୍ ସମୟ ମଧ୍ୟରେ ଦେଲେ ସଂସ୍ଥା ଦେବାଳିଆ ହେବାର ସମ୍ଭାବନ ରହିଛି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରି ଟେଲିକମ୍ ସଂସ୍ଥାକୁ ୧୦ ବର୍ଷର ସମୟ ସୀମା ଦେଇଛନ୍ତି । କିସ୍ତି ଭିତ୍ତିରେ ଟେଲିକମ୍ ସଂସ୍ଥା ଅର୍ଥ ପଇଠ କରିପାରିବେ ।

କେଉଁ ସଂସ୍ଥା ଉପରେ କେତେ ବାକି ?

ଭୋଡାଭୋନ୍-ଆଇଡିଆ ଟେଲିକମ୍ ସଂସ୍ଥା ଉପରେ ୫୦ ହଜାର କୋଟି ଟଙ୍କାର ବାକି ରହିଥିବା ବେଳେ ଭାରତୀ ଏୟାରଟେଲ୍ ୨୬ ହଜାର କୋଟି ଟଙ୍କାର ବକେୟା ରାଶି ସୁଝିବ । ସେହିଭଳି ଅନେକ ଛୋଟ ଛୋଟ ଟେଲିକମ୍ ସଂସ୍ଥା ଉପରେ ମଧ୍ୟ ବକେୟା ରହିଛି । ଏମାନେ ଆଗାମୀ ୧୦ ବର୍ଷ ମଧ୍ୟରେ ସରକାରଙ୍କୁ ଅର୍ଥରାଶି ପଇଠ କରିବେ । ଅନ୍ୟପକ୍ଷରେ ଅର୍ଥ ବ୍ୟତୀତ ଅନ୍ୟ ସମ୍ୱଳ ମାଧ୍ୟମରେ ବିଭିନ୍ନ ସଂସ୍ଥା ବାକି ସୁଝିବାକୁ ଆଗ୍ରହୀ ଥିବା ବେଳେ ସରକାର ଏହାକୁ ଗ୍ରହଣ କରିବେ କି ନାହିଁ- ସେ ନେଇ କୌଣସି ବିଚାର ହୋଇନାହିଁ । ଖୁବ୍ ଶୀଘ୍ର ଏନେଇ ବିଚାର ହେବ ।

Leave a Reply