Birthday Special: ଏହି କାରଣ ପାଇଁ ସନ୍ନି ଦେଓଲ ତାଙ୍କ ପତ୍ନୀଙ୍କୁ ଲଣ୍ଡନରେ ଲୁଚାଇ ରଖିଥିଲେ !

ମୁମ୍ବାଇ: ଅଜୟ ସିଂ ଦେଓଲ୍ ଓରଫ୍ ସନ୍ନି ଦେଓଲ୍ କେବଳ ଜଣେ ଅଭିନେତା ନୁହେଁ ବରଂ ସେ ନିର୍ଦ୍ଦେଶକ, ନିର୍ମାତା ଓ ରାଜନେତା ଭାବେ ମଧ୍ୟ ପରିଚିତ । ଖାସ୍ କରି ହିନ୍ଦୀ ସିନେମାରେ ତାଙ୍କର ଅଭିନୟ ପାଇଁ ସେ ବେଶ୍ ଜଣାଶୁଣା । ସେଥିପାଇଁ ସେ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଦୁଇଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ବଲିଉଡର ଆକ୍ସନ୍ କିଙ୍ଗ୍ ସନ୍ନି ଦେଓଲ୍ ଆଜି ତାଙ୍କର ୫୯ ତମ ଜନ୍ମଦିନ ପାଳନ କରୁଛନ୍ତି  ।

୧୯୫୬ ମସିହା ଅକ୍ଟୋବର ମାସ ୧୯ ତାରିଖରେ ପଞ୍ଜାବର ସାହେନଓ୍ୱାଲ୍ ଗାଁରେ ଜାଠ୍ ଶିଖ୍ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ସେ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଏବଂ ପ୍ରକାଶ କୋରଙ୍କ ସୁପୁତ୍ର । ଦେଓଲଙ୍କର ଦୁଇ ସାନ ଭାଇ ଅଭିନେତା ବବି ଦେଓଲ୍ ଏବଂ ଦୁଇ ଭଉଣୀ ବିଜୟତା, ଅଜିତା ଅଛନ୍ତି । ୧୯୮୪ ମସିହାରେ ତାଙ୍କର ବିବାହ ପୂଜା ଦେଓଲଙ୍କ ସହ ହୋଇଥିଲା ଏବଂ ଏହି ଦମ୍ପତିଙ୍କର କରନ୍ ଏବଂ ରାଜଭୀର୍ ଦୁଇଟି ପୁତ୍ର ଅଛନ୍ତି ।

୧୯୮୨ ମସିହାରେ ସନ୍ନି ଦେଓଲ୍ ‘ବେତାବ୍’ ଚଳଚ୍ଚିତ୍ରରେ ଅମ୍ରିତା ସିଂଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ କରିଥିଲେ । ସେଥିପାଇଁ ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ନାମାଙ୍କନ ମିଳିଥିଲା । ପରବର୍ତ୍ତୀ ସମୟରେ, ସେ ୧୯୮୦ ଏବଂ ୧୯୯୦ ଦଶକରେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ସେହି ସମୟର ଅନ୍ୟତମ ସଫଳ ତାରକା ଭାବରେ ପରିଗଣିତ ହୋଇଥିଲେ ।

୧୯୯୦ ମସିହାରେ ରାଜକୁମାର ସନ୍ତୋସିଙ୍କ ‘ଘାୟଲ୍’ ଚଳଚ୍ଚିତ୍ରରେ ଦେଓ୍ୱଲଙ୍କ ଅଭିନୟ ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା ଏବଂ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର , ଜାତୀୟ ଚଳଚ୍ଚିତ୍ର ପୁରସ୍କାର – ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଥିଲେ । ୨୦୦୧ ମସିହାରେ ସନ୍ନିଙ୍କ ସିନେମା ‘ଗଦର୍’ : ଏକ ପ୍ରେମ କଥା, ବଲିଉଡରେ ସର୍ବାଧିକ ଆୟ କରିଥିଲା ​​ଏବଂ ତାଙ୍କୁ ଏକ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସନ୍ନି ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିବା ପରେ ପ୍ରଥମେ ଅଭିନେତ୍ରୀ ଅମ୍ରିତା ସିଂହଙ୍କୁ ଡେଟ୍ କରିଥିଲେ । ଉଭୟଙ୍କ ରିଲେସନଶିପ୍ ବିଷୟରେ ବେଶ ଚର୍ଚ୍ଚା ହୋଇଥିଲା । ଅମ୍ରିତା ସନ୍ନିଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ସନ୍ନି ଦେଓଲ ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନଥିଲେ । ତାଙ୍କ ମାଆ ପ୍ରକାଶ ମଧ୍ୟ ଏହି ବିବାହ ପାଇଁ ରାଜି ନଥିଲେ । ଅମ୍ରିତା ସନ୍ନିଙ୍କ ପ୍ରେମରେ ପାଗଳ ଥିଲେ । ହେଲେ ସେହି ସମୟରେ ସନ୍ନି ଲଣ୍ଡନରେ ପୂଜାଙ୍କୁ ବିବାହ କରିଥିଲେ । ସନ୍ନି ତାଙ୍କ ଜୀବନର ଏହି ବଡ଼ କଥା ସମସ୍ତଙ୍କଠୁ ଲୁଚାଇ ରଖିଥିଲେ । କେବଳ ତାଙ୍କ ପରିବାର ଲୋକେ ଏହି ବିଷୟରେ ଜାଣିଥିଲେ ଓ ସେମାନେ ମଧ୍ୟ ଏନେଇ କୌଣସି ଘୋଷଣା କରିନଥିଲେ । ସେଥିପାଇଁ ପୂଜା ଲଣ୍ଡନରେ ହିଁ ରହୁଥିଲେ । ସେହି ସମୟରେ ସନ୍ନି ବାରମ୍ବାର ଲଣ୍ଡନ ଯାଉଥିଲେ । ଏନେଇ ଅମ୍ରିତାଙ୍କୁ ମଧ୍ୟ ସନ୍ନି ମିଛ କହିଥିଲେ । ସେତେବେଳେ ସନ୍ନି ନିଜ କ୍ୟାରିଅରକୁ ଅଧିକ ଗୁରୁତ୍ୱ ବୋଲି ଭାବୁଥିଲେ । ହେଲେ ଧିରେ ଧିରେ ଅମ୍ରିତା ଏହି ବିଷୟରେ ଜାଣିବାକୁ ପାଇଲେ । ପରବର୍ତ୍ତି ସମୟରେ ଦୁହେଁ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ ।

୨୦୧୯ ମସିହାରେ ଏପ୍ରିଲ ମାସ ୨୩ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ସନ୍ନି । ସେ ଗୁରୁଦାସପୁର ନିର୍ବାଚନମଣ୍ଡଳୀରୁ ୨୦୧୯ ଲୋକସଭା ନିର୍ବାଚନରେ ଜିତିଥିଲେ । ଆଜି ବଲିଉଡ୍ ଅଭିନେତା ସନ୍ନି ଦେଓ୍ୱଲଙ୍କ ଜନ୍ମ ଦିନ ଉପଲକ୍ଷେ ସମସ୍ତେ ତାଙ୍କୁ ଖୁବ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି ।

 

Leave a Reply