ମନେପଡନ୍ତି ସୁଭାଷ; ମୁକ୍ତି ଆକାଶର ମୁକ୍ତ ଇଗଲ, ସ୍ୱାଧିନତା ପାଇଁ ଶାନ୍ତି ନୁହେଁ ମାଗୁଥିଲେ ରକ୍ତ

ଶାନ୍ତି କିମ୍ବା ସହାନୁଭୁତି ନୁହେଁ, ମୁକ୍ତି ପାଇଁ ଆବଶ୍ୟକ ସଂଗ୍ରାମ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତି କରିହେବ । ଏ ଉକ୍ତି ଥିଲା ମୁକ୍ତ ଆକାଶର ଅଭେଦ୍ୟ ଇଲାକାରେ ଉଡିବୁଲୁଥିବା ଇଗଲର । ଯିଏ ପ୍ରତିଟି ମୂହୂର୍ତ୍ତରେ ଗୋରା ସରକାରକୁ ନିଜ ପଞ୍ଝାରେ ପାଛୋଟି ନେଇ ଶିକାର କରିବାର ଆଶାରେ ଆତୁର ଥିଲେ । ଅହିଂସା ନୁହେଁ ରକ୍ତ ଝରାଇ ସ୍ୱାଧିନତା ଛଡାଇ ଆଣିବାକୁ ସେ ଥିଲେ ଅଙ୍ଗୀକାର । ସେଥିପାଇଁ ତ ସେ କହୁଥିଲେ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି । ସମଗ୍ର ବିଶ୍ୱର ସେହି ସଂଗ୍ରାମୀ ପୁରୁଷ ଥିଲେ ବିସ୍ମୟୀ ବିଦ୍ରୋଦୀ ସୁବାଷ ଚନ୍ଦ୍ର ବୋଷ ।

ଐତିହ୍ୟ ନଗରୀ, ପ୍ରାଚୀର ଦୁର୍ଗର ଦୁଃସାହାସୀ ସହର ସିଲିଭର ସିଟିରେ ଜନ୍ମ ନିଅନ୍ତି ସୁଭାଷ । ବାପା ଜାନକୀ ନାଥ ବୋଷ ଏବଂ ମାତା ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ପରାକ୍ରମୀ ଉତ୍କଳ ମାଟିରେ ପଡେ ଶୈଶବ ସୁଭାଷଙ୍କ କୁନି ପାଦ । ଆଉ ବିଦ୍ୟାଳୟରେ ପ୍ରଥମ ଦିନରୁ ହିଁ ସୁଭାଷଙ୍କ ପ୍ରତିଭାକୁ ପରଖି ନେଇଥିଲେ ପ୍ରଧାନଶିକ୍ଷକ ବେଣିମାଧବ ଦାସ । ୧୯୦୯ ମସିହାରେ ଉଚ୍ଚ ଶିକ୍ଷା ପାଇଁ ରେଭେନ୍ସା କଲେଜିଏଟ ସ୍କୁଲ ଏବଂ ପରବର୍ତ୍ତୀ ସମୟରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ନ୍ତି । ସେହି ଠାରେ ହିଁ ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତି ନେତାଜୀ ।

ଦେଶପ୍ରେମର ପ୍ରଥମ ବହ୍ନି ଜଳେ ସେହି ପ୍ରେସିଡେନ୍ସୀ କଲେଜରେ । ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ କିଛି ସାଥିଙ୍କ ସହ ମିଶି ସେ ତାଙ୍କୁ କରନ୍ତି ଆକ୍ରମଣ । ପରେ ଏଥିପାଇଁ କିଛି ବର୍ଷ ପାଇଁ କଲେଜରୁ ବହିଷ୍କୃତ ବି ହୁଅନ୍ତି।। କିନ୍ତୁ ଖୁଦୀରାମଙ୍କ ଫାସି ଘଟଣାରେ ପ୍ରଭାବିତ ହୋଇ ବିଦେଶରେ ପାଠପଢା ପରିତ୍ୟାଗ କରି ୧୯୨୩ ମସିହାରେ ଭାରତୀୟ ରାଜନୀତିରେ ପ୍ରବେଶ କରନ୍ତି ସୁଭାଷ ଚନ୍ଦ୍ର ବୋଷ । ୧୯୨୪ ମସିହାରେ କଲିକତାର ମେୟର ହୁଅନ୍ତି । ପରେ ନିଜର ନିଷ୍ଠା ଏବଂ ବଳିଷ୍ଠ ନେତୃତ୍ୱ ବଳରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ଏବଂ ଜାତୀୟ କଂଗ୍ରେସର ସଭାପତି ଆସନ ଅକ୍ତିଆର କରନ୍ତି । କିନ୍ତୁ ବ୍ରିଟିଶ ସରକାରର ନିର୍ଦୟ ନିର୍ଯାତନା ଏବଂ ଭାରତୀୟଙ୍କ ଅସହ୍ୟ ଯନ୍ତ୍ରଣା ତାଙ୍କ ମନରେ ବିପ୍ଲବର ବହ୍ନି ଜଳାଏ । ପରବର୍ତ୍ତୀ ସମୟରେ ୧୯୩୯ ମସିହାରେ ଜନ୍ମନିଏ ସୁଭାଷଙ୍କ ମାନସ ସନ୍ତାନ ‘ଫରୱାର୍ଡ଼ ବ୍ଳକ’।

ସଶସ୍ତ୍ର ଆନ୍ଦୋଳନ ହିଁ ଦେଶକୁ ବ୍ରିଟିଶ ସାମ୍ରାଜ୍ୟରୁ ମୁକ୍ତ କରିପାରିବ, ଏହି ବିଶ୍ୱାସ ରଖୁଥିବା ସୁଭାଷ, ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ପ୍ରତ୍ୟାଖାନ କରି ଭାରତ ଛାଡିଥିଲେ । ବିଦେଶ ମାଟିରେ ବୁଣିଥିଲେ ଭାରତ ସ୍ୱାଧିନତାର ମଞ୍ଜି । ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ ଋଷ ଦେଇ ପହଞ୍ଚିଥିଲେ ବର୍ଲିନରେ। ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତକୁ ଦେଇଥିଲେ ସଂଗ୍ରାମୀ ଆହ୍ୱାନ । ଏବଂ ପ୍ରତିଟି ଭାରତୀୟଙ୍କ କାନରେ ପଡିଥିଲା ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି

କିନ୍ତୁ ୧୯୪୫ ମସିହାରେ ହଠାତ ଆସେ ଏକ ଅବିଶ୍ୱସନୀୟ ଖବର । ସ୍ୱାଧିନ ଭାରତର ସ୍ୱପ୍ନ ନେଇ ବିଦେଶ ମାଟିରେ ଡେଣା ଝାଡି ଉଡୁଥିବା ଏହି ଶିକାରୀ ଇଗଲ ଆକାଶାରେ ହୋଇଯାଆନ୍ତି ନିଶ୍ଚିହ୍ନ । ବିମାନ ଦୁର୍ଘଟଣା ଭଳି ଏକ ଖବର ଯାହା ଅନ୍ଧାରୀ କାଗଜର ଅଲିଭା କାଳିରେ ଆକସ୍ମିକ ରେଖାୟିତ । ଯାହାର ସତ୍ୟତା ଘଟଣାର ୭୭ ବର୍ଷ ପରେ ମଧ୍ୟ ସନ୍ଦୀହାନ । ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ ।

Leave a Reply