ଲଢ଼ୁଆ ‘ଲାଡେନ୍’, ପରାକ୍ରମ ଜାଣିଲେ ସାଲ୍ୟୁଟ୍‌ କରିବେ…

1 min read

ଭୁବନେଶ୍ୱର : ପିଲାବେଳେ ‘ସାର୍‌ ଜନ୍‌ଙ୍କ ପ୍ରିୟ ସାଥି ଡିକ୍‌’ ବିଷୟ ପଢ଼ିଥିବେ । କେମିତି ଅନ୍ଧ ମୁନିବର ଆଶା ବାଡ଼ି ପାଲଟିଥିଲା ସେ ପୋଷା କୁକୁର ଆଉ ମାଲିକକୁ ରାସ୍ତା ପାର୍ କରୁଥିଲା ତା ବିଷୟରେ ସମସ୍ତେ ଜାଣିଥିବେ । ବଲିଉଡ ସିନେମା ‘ତେରି ମେହର୍‌ ବାନିଆ’ରେ ଜ୍ୟାକି ସରାଫ୍‌ଙ୍କ ସେ କୁକୁର ନିଜ ମାଲିକଙ୍କ ମୃତ୍ୟୁର କେମିତି ପ୍ରତିଶୋଧ ନେଇଥିଲା ତାହା ବି ସିନେମା ଛବିରେ ଦେଖିଥିବେ । କୁକୁର, ଆମ ଜୀବନର ଗୋଟିଏ ବିଶ୍ୱସ୍ତ ଜୀବ, ଖାଇଥିବା ନମକ୍‌ ପ୍ରତିଦାନରେ ସୁଧ ମୂଳ ସହ ସବୁ ଦେଇଯାଏ । ଭାରତୀୟ ସିନେମାରେ ସମାଜର ଏ ବାସ୍ତବ ପ୍ରତିଛବିକୁ ଅନେକ ସମୟରେ ସ୍ଥାନ ଦିଆଯାଇଛି । ତେବେ ସିନେମାର ଏ କାହାଣୀ ପୁଣି ଥରେ ଦେଖିବାକୁ ମିଳିଛି ବାସ୍ତବ ଜୀବନରେ । ମୁନିବ ପାଇଁ ଜୀବନ ଦେଇଛି ପୋଷା ପଶୁ । କଥା ସିନା କହିପାରୁନି କିନ୍ତୁ ତା କାମ କଥା କହିଛି ।

Laden Dog

ଭୁବନେଶ୍ୱର ଯାଁଳା ମୁଣ୍ଡମୁହାଁଣ ଗାଁର ସୁନୀଲ କୃଷ୍ଣ ସାମନ୍ତରାୟଙ୍କ ପୋଷା କୁକୁର ଲାଡେନ୍‌ । ଗତକାଲି ସଂଧ୍ୟାରେ ସୁନୀଲଙ୍କ ନାତି ନାତୁଣୀ ପୋର୍ଟିକୋ ତଳେ ଖେଳୁଥିଲେ । ଘରେ ସମସ୍ତେ ତାସ ଖେଳରେ ବ୍ୟସ୍ତ ଥିଲେ । ତାଙ୍କ ପାଖରେ ଲାଡେନ ବନ୍ଧା ହୋଇଥାଏ ଚେନ୍‌ରେ । ହଠାତ୍ ଏକ ବଡ଼ ନାଗ ସାପ ଅଗଣାକୁ ପଶି ଆସିଲା । ପରିବାର ଲୋକେ ଏତେ ବଡ଼ ସାପକୁ ଦେଖି ଚିତ୍କାର କରିବାକୁ ଲାଗିଲେ । କଣ କରିବେ ବୁଦ୍ଧି ହଜିଗଲା । ନାଗଟି କିନ୍ତୁ ସିଧାସଳଖ ମାଡ଼ି ଚାଲିଥିଲା ପିଲାଙ୍କ ଆଡ଼େ । କୁନି ଝିଅ ପ୍ରାଚୀ ଭାଇ ସୋମ୍‌କୁ ଧରି ଜୋର୍‌ରେ କାନ୍ଦିବାକୁ ଲାଗିଲା । କିନ୍ତୁ ମଣିଷର ଭାଷା ଓ ଭାବ ବୁଝିପାରୁଥିବା ଲାଡେନ୍‌ କାଳ ବିଳମ୍ବ ନକରି ନାଗ ଉପରକୁ ଲମ୍ପ ମାରିଲା । ଚେନ୍‌ରେ ବନ୍ଧା ହୋଇଥିଲେ ବି ସାପକୁ ପାଟିରେ କାମୁଡ଼ି ଧରି ମାଟିରେ କଚାଡ଼ିଦେଲା । ଦଶ ବାର ଥର କଚାଡ଼ିବା ପରେ ମରିଯାଇଥିବା ନାଗକୁ ପାଟିରୁ କାଢ଼ିଦେଲା ଲାଡେନ୍‌ ।Snake

କିନ୍ତୁ ତା ପରର ଘଟଣା ସମସ୍ତଙ୍କୁ ମର୍ମାହତ କଲା । ଭାବବିହ୍ୱଳ ହୋଇଗଲେ ସମସ୍ତେ । ସାପ ଚୋଟରେ କୁକୁରର କିଛି ହୋଇଥିବ ଭାବି ସୁନୀଲ ବାବୁ ଲାଡେନ୍‌ଙ୍କୁ ନେଇ ହସ୍ପିଟାଲ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ କିନ୍ତୁ ତା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କଲା ଲାଡେନ୍ । ଜଣେ ଲଢ଼ୁଆ ବୀର ସହିଦ ହେବା ଭଳି ଶତ୍ରୁକୁ ମାରି ବୀର ଗତି ପ୍ରାପ୍ତ କଲା ଲାଡେନ୍ । ଦୁଇ ଦୁଇଟି ଶିଶୁଙ୍କ ଜୀବନ ବଞ୍ଚାଇ ଖାଇଥିବା ନମକ୍‌କୁ ସୁଧ ମୂଳ ସହ ସୁଝେଇଦେଲା ପୋଷା କୁକୁର । ନିଜ ମାଲିକର ଦୁଇ ଶିଶୁଙ୍କୁ ବଞ୍ଚାଇବା ପାଇଁ ଲାଡେନ୍‌ର ଏଭଳି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

  ')}

Leave a Reply