Stock Market News : ସୀମାରେ ସଂଘର୍ଷ, ଖୋଲୁ ଖୋଲୁ ବୁଡ଼ିଗଲା ନିବେଶକଙ୍କ ୫ ଲକ୍ଷ କୋଟି

1 min read

ନୂଆଦିଲ୍ଲୀ: ସପ୍ତାହର ଆରମ୍ଭ ସୋମବାର । ସେୟାର ବଜାର ଆରମ୍ଭରୁ ସବୁ କିଛି ଠିକ୍ ଥିଲା । କିନ୍ତୁ, ଏକ ଭାବନା ବଜାରର ଅବସ୍ଥାକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଲା । କାରବାର ବେଳେ ସେନସେକ୍ସ ଆଜି ୧୫୦୦ ଅଙ୍କ ନିକଟରେ ବନ୍ଦ ହୋଇଯାଇଛି । ସେହିପରି ନିଫ୍ଟି ୩୦୦ ଅଙ୍କ ଖସି ୧୧୩୫୦ ତଳକୁ ଖସି ଆସିଛି । ସେୟାର ବଜାରର ଏହି ଝଡ଼ ପଛର କାରଣ ହେଉଛି  ଅଶାନ୍ତ ସୀମାନ୍ତ ।  ଭାରତ ଓ ଚୀନ ସୈନିକ ମୁହାଁମୁହିଁ  ହେବା ଖବର ବଜାରକୁ ଦୋହଲାଇ ଦେଇଛି ।  ଖବର ଆସିଥିଲା ୨୯ ଓ ୩୦ ଅଗଷ୍ଟ ରାତିରେ ଚୀନ ସେନା ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ଯାହା ପରେ ଦୁଇ ଦେଶରେ ସେନା ମୁହାଁମୁହିଁ ହୋଇଥିଲେ । ଏହି ଖବର ନିବେଶକଙ୍କ ମନରେ ଭୟ ସଞ୍ଚାର କରିଥିଲା । ଜିଓ ପଲିଟିକ୍ସ (ଭୌଗଳିକ ରାଜନୀତି) ବଢିବା ଡରରେ ନିବେଶକ ନିଜ ନିବେଶ ଉଠାଇ ନେଇଥିଲେ । ଫଳରେ ନିବେଶକଙ୍କ ପାଖାପାଖି ୫ ଲକ୍ଷ କୋଟି ଟଙ୍କା ଦିନକରେ ବୁଡ଼ି ଯାଇଛି ।

୪୦ ହଜାର ଛୁଇଁବା ପରେ ସେନସେକ୍ସ ହ୍ରାସ

କାରବାର ଆରମ୍ଭରୁ ସେନସେକ୍ସ ୫୦୦ ଅଙ୍କରୁ ଅଧିକ ବଢ଼ି ୪୦ ହଜାର ପାଖାପାଖି ପହଞ୍ଚିଥିଲା । ଯେତେବେଳେ କି ନିଫ୍ଟି ୧୧ ହଜାର ୭୦୦ ପାଖାପାଖି ଥିଲା । ଏବେ ସେନସେକ୍ସ ୧୦୦୦ ଅଙ୍କ ଖସି ୩୮ ହଜାର ୫୦୦ ତଳକୁ ଆସିଥିବା ବେଳେ ନିଫ୍ଟି ୩୦୦ ଅଙ୍କ ହ୍ରାସ ପାଇ ୧୧ ହଜାର ୩୫୦ ତଳକୁ ଖସି ଆସିଛି ।

ବୁଡ଼ିଗଲା ୫ ଲକ୍ଷ କୋଟି

ବଜାରରେ ହଲଚଲରେ ବିଏସଇରେ ଲିଷ୍ଟେଡ୍ କମ୍ପାନୀଙ୍କର ମାର୍କେଟ ଭ୍ୟାଲୁ କ୍ୟାପ୍ ପାଖାପାଖି ୫ ଲକ୍ଷ କୋଟି କମିଛି । ୨୮ ଅଗଷ୍ଟରେ ବିଏସଇର ମାର୍କେଟ୍ କ୍ୟାପ ୧, ୫୮, ୩୨, ୨୨୦.୧୫ କୋଟି ଟଙ୍କାରେ ବନ୍ଦ ହୋଇଥିଲା । ଆଜି ଏହା ଖସିକରି ୧, ୫୩, ୫୫, ୬୭୮.୦୪ କୋଟି ଟଙ୍କା ପାଖାପାଖି ରହିଛି । ଅର୍ଥାତ୍ ଗୋଟିଏ ଥରରେ ନିବେଶକ ପାଖାପାଖି ୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।

ଅଧିକ ବିକ୍ରି ହେଲା ବ୍ୟାଙ୍କ ସେୟାର୍

ଆଜିର କାରବାରରେ ବ୍ୟାଙ୍କ ସେୟାର ଭଲ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ଆଜି ଇଣ୍ଡେକ୍ସରେ ପାଖାପାଖି ୩.୬୪ ପ୍ରତିଶତ ଅର୍ଥାତ୍ ୮୯୨ ଅଙ୍କ ଖସିଥିବା ଜଣାପଡ଼ିଛି । HDFC ବ୍ୟାଙ୍କ, AXIS ବ୍ୟାଙ୍କ, ICICI ବ୍ୟାଙ୍କ, IDFC ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଅଧିକ ହ୍ରାସ ଦେଖିବାକୁ ମିଳିଛି ।

Leave a Reply