ଉଦ୍ଧାର ହେଲା ୩ କ୍ୱିଣ୍ଟାଲ ଓ ୧୩ ଫୁଟର ସାଙ୍କୁଚ ମାଛ; ଜାଣନ୍ତୁ କେଉଁଠି

ନିଆଳି: ନଦୀରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ସାଙ୍କୁଚ ମାଛ । ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ପଡ଼ିଥିଲା ଏହି ମାଛ । ମାଛକୁ ଉପରକୁ ଆଣିବା ପରେ କିଛି ସୟମ ରଖି ଜୀବିତ ଅବସ୍ଥାରେ ପାଣିରେ ଛାଡ଼ି ଦେଇଥିଲେ । ସେଠାରେ ମାଛକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ କୁଣ୍ଡିମୁହଁ ବିଳାଶୁଣୀ ନିକଟ କନ୍ଦଳ ନଦୀର ।

ସୂଚାନ ଅନୁଯାୟୀ, ଆଜି ସକାଳୁ କିଛି ମତ୍ସ୍ୟଜୀବୀ ମାଛଧରିବାକୁ କନ୍ଦଳ ନଦୀକୁ ଯାଇଥିଲେ । ମାଛ ଧରୁଥିବା ସମୟରେ ଏକ ବିରଳ ପ୍ରଜାତିର ସାଙ୍କୁଚ ମାଛ ଆସି ଜାଲରେ ଲାଗିଥିଲା । ପ୍ରଥମେ ଗୋଟିଏ ବଡ଼ ମାଛ ଲାଗିଛି କହି ସମସ୍ତେ ଖୁସି ହୋଇଯାଇଥିଲେ । ଜାଲକୁ ଉପରକୁ ଆଣିବା ପରେ ଜଣାପଡ଼ିଥିଲା କି ଏହା ସାଙ୍କୁଚ ମାଛ ବୋଲି । ମାଛର ଓଜନ ୩ କ୍ୱିଣ୍ଟାଲ ରହିଥିବା ବେଳେ ଲମ୍ବ ୧୩ ଫୁଟ ଓ  ଚଉଡ଼ା ୭ ଫୁଟ ହେବ ବୋଲି ଜଣାପଡିଛି ।

ଏନେଇ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ବନବିଭାଗକୁ ଜଣାଇଥିଲେ । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାଙ୍କୁଚକୁ ଉଦ୍ଧାର କରିବା ପରେ ତାର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ତାର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ଏହାପରେ ମାଛକୁ କନ୍ଦଳ ନଦୀରେ ଛାଡ଼ି ଦିଆଯାଇଥିବା ବନବିଭାଗ ପ୍ରକାଶ କରିଛି । ତେବେ ଏତେବଡ ସାଙ୍କୁଚ ମହାନଦୀକୁ କିଭଳି ଆସିଲା ତାହା ଏପର୍ଯ୍ୟସ୍ତ ସ୍ପଷ୍ଟ ହୋଇନାହିଁ । ସାଙ୍କୁଚ ମାଛକୁ ଦେଖିବା ପାଇଁ ନଦୀ କୂଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା  ।

Leave a Reply