ଏଥର କଟକଣାରେ ସ୍ୱାଧୀନତା ଦିବସ, ଉପସ୍ଥିତ ରହିବେ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର: କରୋନା କଟକଣାରେ ପାଳନ ହେବ ସ୍ଵାଧୀନତା ଦିବସ । ଏ ନେଇ ଆଜି ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପରେଡ଼ ରିହରସେଲ ଆୟୋଜିତ ହୋଇଛି । ଏହି ରିହରସେଲରେ ଏସଏସବି, ଓଡ୍ରାଫ , ଓଏସଏପି, ଏବଂ ୭ମ ବଟାଲିୟନ ବ୍ରାସବ୍ୟାଣ୍ଡ ଭାଗ ନେଇଛନ୍ତି । ଏହି ରିହରସେଲରେ ଭୁବନେଶ୍ଵର କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଉମାଶଙ୍କର ଦାସ, ଏସଓଜି ବଟାଲିୟନ କମାଣ୍ଡାଣ୍ଟ ଅଜୟ ପ୍ରଧାନ , ୭ମ ବଟାଲିୟନର ବିଜୟ ସାହୁଙ୍କ ଭଳି ଅନେକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏଥର କୋଭିଡ ନିୟମ ଭିତରେ ସ୍ୱାଧୀନତା ଦିବସ କିପରି ପାଳନ ହେବ ସେ ନେଇ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଗୋଟିଏ କିମ୍ବା ଦୁଇଟି ପୋଲିସ ବାହିନୀ ମୁଖ୍ୟ ଅତିଥିଙ୍କ ସ୍ୱାଗତ ପାଇଁ ନିୟୋଜିତ ହେବେ । ଚଳିତବର୍ଷ ମହାମାରୀ ସ୍ଥିତିକୁ ନଜରରେ ରଖି ପରେଡ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି । ଚଳିତବର୍ଷ ସ୍ୱାଧିନତା ଦିବସ ପାଳନରେ ସାଧାରଣ ଲୋକେ ସାମିଲ ହେବେ ନାହିଁ ।

ଅତିଥି ସଂଖ୍ୟା ୫୦ରୁ ୭୫ ରହିବ । ସେମାନଙ୍କ ମଧ୍ୟରେ ୧୫ରୁ ୨୦ ଜଣ କୋଭିଡ୍ ଯୋଦ୍ଧା ରହିବେ । ପତାକା ଉତ୍ତୋଳନ ସ୍ଥାନକୁ ପ୍ରଥମେ ସାନିଟାଇଜ କରାଯିବ । ଏଥିସହ ପ୍ରବେଶ ପଥରେ ସାନିଟାଇଜର ରହିବ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି । ଅନଲାଇନ କୁଇଜ, ରଚନା ପ୍ରତିଯୋଗିତା ହୋଇପାରିବ। ବୃକ୍ଷ ରୋପଣ ବି ହୋଇପାରିବ। ଏହି ନିୟମ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରରେ ଏହି ନିୟମ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି।

Leave a Reply