ଖୁବଶୀଘ୍ର ଦାୟିତ୍ୱ ନେବେ ରାଜ୍ୟ ବିଜେପିର ନୂଆ ନେତୃତ୍ୱ

ଭୁବନେଶ୍ୱର: କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ? କାହା ନେତୃତ୍ୱରେ ବିଜେପି ସଜାଡିବ ଘର ? ଦୀର୍ଘ ଦିନ ଧରି ଏ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିବାକୁ ଯାଉଛି । ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୩୪ଟିରେ ସଭାପତି ନିର୍ବାଚନ ସରିଛି । ବାକି ୨ଟିରେ ସଭାପତି ଚୟନ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଛି । ସେପଟେ ଆସନ୍ତା ୧୭ରେ ରାଜ୍ୟ ସଙ୍ଗଠନର ନୂଆ ମଙ୍ଗୁଆଳ ନିର୍ବାଚନକୁ ମିଳିଛି ସବୁଜ ସଙ୍କେତ ।ଖୁବଶୀଘ୍ର ବିଜେପି ପାଇବ ନୂଆ ସଭାପତି । ଆସନ୍ତା ଶୁକ୍ରବାର ସ୍ପଷ୍ଟ ହେବାକୁ ଯାଉଛି ନାଁ । ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ଖୁବଶୀଘ୍ର ଦାୟିତ୍ୱ ନେବେ ନୂଆ ନେତୃତ୍ୱ । ଆସନ୍ତା ୧୭ ତାରିଖରେ ହେବ ନିର୍ବାଚନ । ଏଥିପାଇଁ ୧୬ ତାରିଖରେ ରେସରେ ଥିବା ପ୍ରାର୍ଥୀମାନେ ଅପରାହ୍ଣ ୩ଟା ସୁଦ୍ଧା ଦାଖଲ କରିବେ ନାମାଙ୍କନପତ୍ର । ସାଢେ ୪ଟାରୁ ସାଢେ ୫ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ହେବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି ସନ୍ଧ୍ୟା ୭ଟା । ୧୭ ତାରିଖ ପୂର୍ବାହ୍ନ ୧୦ଟାରୁ ଗୋଟାଏ ଭିତରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ଅପରାହ୍ଣ ସାଢେ ଗୋଟାଏରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିଦିନ ରାଜ୍ୟର ୨୧ଟି ଲୋକସଭା ଆସନରୁ ୨୧ ଜଣଙ୍କୁ ରାଷ୍ଟ୍ରୀୟ ପରିଷଦଙ୍କ ନାଁ ମଧ୍ୟ ଘୋଷଣା ହେବ ।ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ନ ଭରନ୍ତି ତେବେ ୧୧ଟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସିଧାସଳଖ ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ । ଏଥିପାଇଁ ଗଠିତ ପର୍ଯ୍ୟବେକ୍ଷକ ଟିମ୍‌ରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାଂସଦ ରାଜୀବ ପ୍ରତାପ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ରହିଛନ୍ତି ।ରାଜ୍ୟ ବିଜେପି ସଭାପତି ରେସ୍‌ରେ ଅନେକ ନେତା ଥିବାବେଳେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସବୁଠୁ ଆଗରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ବିଜେପି ସଭାପତି କେ ଭି ସିଂହ ଦେଓ, ଉପସଭାପତି ସମୀର ମହାନ୍ତି ବି ରେସ୍‌ରେ ଅଛନ୍ତି ।

Leave a Reply