ଉପନିର୍ବାଚନ ଲଢେଇ; ବାଲେଶ୍ୱର ଓ ତିର୍ତ୍ତୋଲକୁ ଛୁଟିଛି ଷ୍ଟାର ପ୍ରଚାରକଙ୍କ ସୁଅ

ବାଲେଶ୍ୱର/ତିର୍ତ୍ତୋଲ: ଦୁଲୁକୁଛି ବାଲେଶ୍ୱର । ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ନିଜର ସମସ୍ତ ଶକ୍ତିକୁ ଲଗାଇ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଜୋରଦାର ପ୍ରୟାସ କରୁଛନ୍ତି । ୩ ପ୍ରମୁଖ  ବାମଦଳ ସିପିଆଇ, ସିପିଏମ୍‌ ଓ ଫର୍‌ଓ୍ବାର୍ଡ ବ୍ଳକ୍‌ କଂଗ୍ରେସକୁ ସମର୍ଥନ କରିଛନ୍ତି । ଅନ୍ୟପଟେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ  ପ୍ରଚାର କରିଛନ୍ତି ।

ବିଜେଡି ମଧ୍ୟ ପ୍ରଚାର ଜୋରଦାର କରିଛି । ଦଳର ପ୍ରାର୍ଥୀ ସ୍ୱରୂପ ଦାସ ବିଭିନ୍ନ ୱାର୍ଡ ବୁଲି ପ୍ରଚାର କରିଛନ୍ତି। ଏହାସହ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ସ୍ୱରୂପଙ୍କ ପାଇଁ ମନ୍ତ୍ରୀ ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସମୀର ଦାଶ,ସାଂସଦ ସୁବାସ ସିଂହ, ବିଧାୟକ ଦେବୀ ମିଶ୍ର ପ୍ରମୁଖ ପ୍ରଚାର କରୁଛନ୍ତି । ସେହିଭଳି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଛି ।  ମତଦାନ ଦିନ ଯେତିକି ପାଖେଇ ଆସୁଛି ଗାଁରେ ସେତିକି ବଢୁଛି ନେତା ଓ କର୍ମୀଙ୍କ ଭିଡ଼ ।

ବିରିଡିରେ ଆଜି ରୋଡ ଶୋ’ କରିଥିଲା ବିଜେଡି । ସାଂସଦ ରାଜଶ୍ରୀ ମଲ୍ଲିକ ଓ ଅନ୍ୟନେତା ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଥିଲେ । ସେପଟେ ରଘୁନାଥପୁରରେ କଂଗ୍ରେସର କର୍ମୀ ସମ୍ମିଳନୀ ପରେ ନେତା ସକ୍ରିୟ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ମଧ୍ୟ ପ୍ରଚାର କରୁଛନ୍ତି । ପ୍ରାୟ ସବୁ ଉପନିର୍ବାଚନ ଫଳ ଶାସକ ବିଜେଡି ସପକ୍ଷରେ ଯାଉଥିବାରୁ ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।

Leave a Reply