ଏପଟେ ଛେଚୁଛି ସେପଟେ ଆଶ୍ୱାସନା: ରାଜ୍ୟରେ ବନ୍ୟା ଆଶଂକା ନଥିବା କହିଲେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ହାରାହାରି ୬ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା  । ଜୁନ ୧ରୁ ଅଗଷ୍ଟ ୨୬ ମଧ୍ୟରେ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି । ୪ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୧୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ବାକି ୨୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ବୋଲି କହିଛନ୍ତି ଏସଆରସି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୭୬.୬ ମିମି ବର୍ଷା ହୋଇଥିବା ବେଳେ ୯ଟି ଜିଲ୍ଲାରେ ୧୦୦ ମିମିଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୮.୩ ମିମି ବର୍ଷା ହୋଇଛି । ୪ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି ୯୨ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।

ସେପଟେ ରାଜ୍ୟର ତଳି ଅଞ୍ଚଳରେ ପାଣି ଜମିଛି । ଚାଷ ଜମିରେ ବି ପାଣି ଜମିଛି । ସେ ସମସ୍ତ ଅଞ୍ଚଳକୁ ଏନିଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ୍ ପଠାଯାଇଛି । ଶୁଖିଲା ଖାଦ୍ୟ ମହଜୁଦ ଅଛି । ଆବଶ୍ୟକ ହେଲେ ଯୋଗାଇ ଦିଆଯିବ । ବୈତରଣୀରେ ବନ୍ୟା ଆଶଙ୍କା ରହିଛି । ଜିଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଅମାବାସ୍ୟା କି ପୂର୍ଣ୍ଣିମା ନାହିଁ । ତେଣୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇଯିବ । ଅତି ବେଶୀରେ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳର ତଳି ଅଞ୍ଚଳରେ ପାଣି ଜମି ରହିବ । ମହାନଦୀରେ ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ନାହିଁ । କି ଏବେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ । ଲଗାଣ ବର୍ଷା ନେଇ ଏପରି ଆଶ୍ୱାସନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ଉପକୂଳ ଓଡ଼ିଶାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ଅବିଭକ୍ତ କୋରାପୁଟ ଓ ଗଂଜାମ ଜିଲ୍ଲାକୁ ଛାଡ଼ି ସବୁଠି ୧୦୦ ମିଲିମିଟର ବର୍ଷା ହୋଇଛି । କୋଷ୍ଟାଲ ଅଞ୍ଚଳରେ ୧୫୦ ମିଲିମିଟର ବର୍ଷା ହୋଇଛି । ବୈତରଣୀ ଉପରମୁଣ୍ଡ ଚମ୍ପୁଆରେ ୨୦୧ ମିଲିମିଟର, ଠାକରୁମୁଣ୍ଡା ୧୯୩ ମିଲିମିଟର, ସ୍ୱୟଂପାଟଣାରେ ୧୭୬.୪  ମିଲିମିଟର ବର୍ଷା ହୋଇଛି । ଆଖୁଆପଦାଠାରେ ବିପଦ ସଂକେତ ଉପରକୁ ଯାଇଛି । ଦୁଇ ଦିନ ବର୍ଷା ଯୋଗୁ ନିଷ୍କାସନ ଅସୁବିଧା ହୋଇପାରେ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ତେବେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ରହିଛି । ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଅଛି । ବୈତିରଣୀରେ ସବୁ ଜାଗାରେ ବନ୍ଧ ସୁଦୃଢ ଅଛି । ବ୍ରାହ୍ମଣୀ ନଦୀରେ ବି ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ଏ ପର୍ଯ୍ୟନ୍ତ ନାହିଁ । ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳ ସ୍ତର । ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ଅନ୍ୟପଟେ ହୀରାକୁଦର ୧୨ଟି ଗେଟ ଖୋଲା ଅଛି । ୨ ଲକ୍ଷ ୨୮ହଜାର ୮୮୮ କ୍ୟୁସେକ ଜଳ ହୀରାକୁଦରେ ପ୍ରବେଶ କରୁଛି । ୨ ଲକ୍ଷ ୧୯ ହଜାର ୩୫୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Leave a Reply