କରୋନା: ସୁରକ୍ଷିତ ନୁହେଁ ମଣିଷ ବିଶୋଧନ, ସତର୍କ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କ୍ରେଜ୍ ସାଜିଛି ଭାଇରସ୍ ନିରାକରଣ ପାଇଁ କେମିକାଲ ସ୍ପ୍ରେ । ସହରର ମୁଖ୍ୟ ଛକରୁ, ଗଳି କନ୍ଦି ସବୁଠି ସ୍ପ୍ରେ ମାନିଆ । କରୋନା ସଂକ୍ରମଣ ଏଡ଼ାଇବାକୁ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି । କେବେ ଭାବିଛନ୍ତି ଏହା କେତେ ସୁରକ୍ଷିତ ? ଭୂତାଣୁ ନିରାକରଣ ପାଇଁ କରାଯାଉଥିବା ଏହି ସ୍ପ୍ରେ ଯୋଗୁଁ ଶାରିରୀକ ଓ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହୋଇପାରନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏନେଇ ଆଡଭାଇଜରୀ ଜାରି କରିଛି ।

ବ୍ୟକ୍ତିଗତ ଓ ସାମୁହିକ ଭାବେ କୌଣସି ଭୂତାଣୁ ନିରାକରଣ କେମିକାଲ ସ୍ପ୍ରେ ମଣିଷ ପାଇଁ ସୁରକ୍ଷିତ ନୁହେଁ । ବରଂ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇବ । କେମିକାଲ ସ୍ପ୍ରେ ଦ୍ୱାରା ଶାରିରୀକ ଓ ମାନସିକ ସ୍ତରରେ ଆପଣ କ୍ଷତିରେ ପଡ଼ିପାରନ୍ତି ।

ଆକ୍ରାନ୍ତଙ୍କ ସହ ମିଶିଥିଲେ ବିଶୋଧନ ଜରୁରୀ ?

ଜଣେ ବ୍ୟକ୍ତି କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଶରୀର ବିଶୋଧନ ଆବଶ୍ୟକ ନାହିଁ । କାରଣ କେମିକାଲ ସ୍ପ୍ରେ ଆପଣଙ୍କ ଶରୀରର ବାହ୍ୟ ଭାଗରେ କରାଯାଇଥାଏ । ଯାହାକି ଭୂତାଣୁକୁ ମାରି ନଥାଏ । କାରଣ ଭୂତାଣୁ ଶରୀର ଭିତରକୁ ପ୍ରବେଶ କରେ । ଏପରିକି ଶରୀର ବିଶୋଧନ ଦ୍ୱାରା ଭୂତାଣୁ ମରିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ।

ଆଖି ଉପରେ ପ୍ରଭାବ

କ୍ଲୋରିନ୍ ଯୁକ୍ତ ସ୍ପ୍ରେ ଆପଣଙ୍କ ଆଖି ଉପରେ ପ୍ରଭାବ ପକାଇବ । ଆଖି ପୋଡ଼ାଜଳା ହେବା ସହିତ ତ୍ୱଚା ସମସ୍ୟା ଦେଖାଦେବ । ଏପରିକି ପାକସ୍ଥଳୀ ଉପରେ ଏହାର ପ୍ରଭାବ ପଡ଼ିପାରେ । ଫଳରେ ବାନ୍ତି, ଅଜୀର୍ଣ୍ଣ ଆଦି ଦେଖାଦେବ । ନାକ, ଗଳା ଆଦି ସଂକ୍ରମିତ ହେବା ସମ୍ଭାବନା ରହିଛି ।

ସ୍ପ୍ରେରେ କଣ ମିଶେ ?

ବିଭିନ୍ନ ସ୍ଥାନରେ କରାଯାଉଥିବା ସ୍ପ୍ରେରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ଭଳି କେମିକାଲ୍ ମିଶ୍ରଣ କରାଯାଇଥାଏ । ଏହା ମୁଖ୍ୟତଃ ବାରମ୍ବାର ଛୁଇଁଥିବା ସ୍ଥାନ, ଦ୍ରବ୍ୟକୁ ଜୀବାଣୁ ଓ ଭୂତାଣୁ ମୁକ୍ତ କରିବାକୁ ବ୍ୟବହାର କରାଯାଏ । ଗ୍ଲୋଭସକୁ ଭୂତାଣୁ ମୁକ୍ତ କରିବାକୁ ଏହାର ବ୍ୟବହାର ହୁଏ ।

Leave a Reply