କାହିଁକି କୁହାଯାଏ ବୁଝ୍ ନ ବୁଝ୍ ପଢ୍ ଗୀତା…

ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା । ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଆରେ ସହଜେ ମିଳେ ନାହିଁ । ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗବତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି ଆଧ୍ୟାତ୍ମିକ ପୁସ୍ତକକୁ ବୁଝାଏ  ।

ଆଧ୍ୟାତ୍ମିକ ପୁସ୍ତକ ପଢିଲେ କ’ଣ ଲାଭ ହୁଏ ସେ ନେଇ ଅନେକ ଗବେଷଣା ହୋଇଛି ।

୧. ଜଣେ ବ୍ୟକ୍ତି ଯଦି ଧର୍ମୀୟ କାର୍ଯ୍ୟରେ ମନୋନିବେଶ କରେ ତାହେଲେ ଜୀବନରୁ କ୍ଳାନ୍ତି ଦୂର ହୋଇଯାଇଥାଏ  

୨. ଆଧ୍ୟାତ୍ମିକତାରେ ବିଶ୍ୱାସ ରଖୁଥିବା ଲୋକମାନେ ବିଭିନ୍ନ ଚାପରେ ଥିଲେ ମଧ୍ୟ ସେମାନଙ୍କ ମନକୁ ନକରାତ୍ମକ ଚିନ୍ତାଧାରା ସିନଥାଏ ଯାହା ଦ୍ୱାରା ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାଙ୍ଗି ପଡ଼ି ବରଂ ତାକୁ ସାମ୍ନା କରନ୍ତି

୩.  ଧର୍ମ, ପ୍ରାର୍ଥନା ଯୋଗ ଦି ଦ୍ୱାରା ଶାରୀରିକ ମାନସିକ ସ୍ତରରେ ବିକାଶ ଘଟିବା ସହିତ ମାନସିକ ଚାପ କମ୍ ରହିଥାଏ  ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇଥିବା ବ୍ୟକ୍ତି ବିଶେଷ ଶାବାଦୀ ହେବା ସହ ସୁସ୍ଥ ଜୀବନଯାପନ କରନ୍ତି  ।

ତେବେ ଏଠାରେ ଏକ ସୁନ୍ଦର ଗଳ୍ପର ଅବତାରଣା କରାଯାଇପାରେ…

ଏକଦା ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଜଣେ ବୃଦ୍ଧଙ୍କୁ ତାଙ୍କ ନାତି ପଚାରିଲେ ଜେଜେ ଆପଣ ସବୁଦିନେ ଧର୍ମ ପୁସ୍ତକ ପଢ଼ି କଣ ଲାଭ ପାଉଛନ୍ତି ? ମୁ ଆପଣଙ୍କ ବହି ପଢ଼ିଲି, କିଛି ବୁଝି ପାରିଲିନି, ସେଗୁଡା ମନେ ବି ରହୁନି । ବୃଦ୍ଧ ଜଣଙ୍କ କହିଲେ ଆମ ବାଡ଼ିପଟେ ଯେଉଁ କୋଇଲା ବୋଝେଇ ବାସ୍କେଟ ଅଛି ତାକୁ ନେଇ ନଈରେ ଫିଙ୍ଗି ଦେବୁ ଆଉ ନଈରୁ ବାସ୍କେଟ ଭର୍ତ୍ତି କରି ପାଣି ଆଣିବୁ । ନାତି ସେୟା କଲେ, ବାସ୍କେଟ ଧରି ନଈକୁ ଗଲେ, କୋଇଲା ଫିଙ୍ଗିଲେ କିନ୍ତୁ ବାଟରେ ପାଣିତକ ବୋହିଗଲା । ବୃଦ୍ଧ କହିଲେ, ଆଉ ଥରେ ଯାଇ ପାଣି ଆଣି ଆସେ , ପାଣି ଆସିବା ନିହାତି ଦରକାର ।

ନାତି ପ୍ରତି ଥର ନିଜ ଦୌଡ଼ିବା ବେଗ ବଢ଼ାଇ ବାରମ୍ବାର ଉଦ୍ୟମ କଲେ, କିନ୍ତୁ ଘର ପର୍ଯ୍ୟନ୍ତ ପାଣି ଆଣିବା ସମ୍ଭବ ହେଲା ନାହିଁ । ଶେଷରେ ବିରକ୍ତ ହୋଇ କହିଲେ ଜେଜେ ଆପଣ ବେକାର ଏହି ବହି ସବୁ ପଢୁଛନ୍ତି, କିଛି ଲାଭ ନାହିଁ, ବେକାର ପରିଶ୍ରମ, ସମୟ ନଷ୍ଟ । ଜେଜେ କହିଲେ, ଗୋଟିଏ ମିନିଟ ଚିନ୍ତା କରି କହ ଲାଭ ହୋଇଛି କି କ୍ଷତି ହୋଇଛି । ନାତି ଏଥର ଆଖି ବୁଜି ଚିନ୍ତା କଲେ, କହିଲେ କିଛି ନାହିଁ , ବେକାର ପରିଶ୍ରମ, ଝାଳ ନାଳ ଆଣ୍ଠିଏ ହୋଇଗଲିଣି ।

ଜେଜେ କହିଲେ, ଧନରେ ବାରମ୍ବାର ଦୌଡ଼ିବା ଦ୍ୱାରା ଅପରିଷ୍କାର ରକ୍ତ ଝାଳ ଆକାରରେ ବାହାରି ଯାଇଛି, ଯାହା ତୋ ଶରୀର ପାଇଁ ଆବଶ୍ୟକ ନଥିଲା । ଜେଜେଙ୍କ କଥା ନାତି ମନକୁ ପାଇଲା । ଜେଜେ କହିଲେ, ସେତିକି ନୁହେଁ; ଆହୁରି ଲାଭ ହୋଇଛି, ପୁଣି ଚିନ୍ତା କରେ । ନାତି ଚିନ୍ତାମଗ୍ନ ଥିବା ବେଳେ ଆଖି ପଡ଼ିଲା ବାସ୍କେଟ ଉପରେ । ଦେଖିଲା ବାସ୍କେଟଟି ବାରଂବାର ଧୋଇ ହୋଇ ସଫା ହୋଇଯାଇଛି, ଯାହା ଅନ୍ୟ କାମରେ ଲାଗିପାରିବ । ନାତି ଏଥର ଜେଜେଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରି କହିଲା ଜେଜେ ଆପଣ ଆଖି ଖୋଲି ଦେଲେ ।

ଜେଜେ କହିଲେ ବାରମ୍ବାର ଧର୍ମ ପୁସ୍ତକ ପଢ଼ିଲେ ଆମ ମନରୁ ମଇଳା ଦୂର ହୋଇଯାଏ । ଆମର ଚିନ୍ତା ଶକ୍ତିର ବିକାଶ ଘଟେ, କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ । କାର୍ଯ୍ୟ କ୍ଷେତ୍ରକୁ ଯିବା ପୂର୍ବରୁ ସକାଳର ପ୍ରାର୍ଥନା ଦ୍ୱାରା ସବୁ କିଛି ଶୃଙ୍ଖଳିତ ହୋଇଯାଏ, ସର୍ବୋପରି ଆମର ଦିନ ଭଲରେ କଟେ ।

Leave a Reply