ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ୍ ଅଧିବେଶନ, କକ୍ଷତ୍ୟାଗ କଲେ ବିରୋଧୀ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ । ଗୃହରେ ରାଜ୍ୟପାଳ ନିଜ ଅଭିଭାଷଣ ରଖିଛନ୍ତି । ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ୨୨ ତାରିଖରେ ବଜେଟ ଉପସ୍ଥାପନ ହେବ।

ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା କ୍ଷଣି କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ହଟଗୋଳ ଓ ନାରାବାଜୀ କରିଥିଲା । ଏହାସହ କଂଗ୍ରେସ କକ୍ଷତ୍ୟାଗ କରିଛି । କୋଟିଆ ପ୍ରସଙ୍ଗ ସହିତ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ବିରୋଧ କରି କକ୍ଷତ୍ୟାଗ କରିଛି କଂଗ୍ରେସ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ବିଜେପି ସଦସ୍ୟ ମଧ୍ୟ କକ୍ଷତ୍ୟାଗ କରିଛନ୍ତି ।

ତେବେ ନିଜ ଅଭିଭାଷଣରେ ଦିବଙ୍ଗତ ପୂର୍ବତନ ସମସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶହିଦ ଯବାନ ଏବଂ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ । ନିଜ ଅଭିଭାଷଣରେ ରାଜ୍ୟପାଳରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ଶିଶୁ ଓ ଗର୍ଭବତୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ସରକାର । ସମାଜର ସବୁ ବର୍ଗ ପାଇଁ କାମ କରୁଛନ୍ତି ସରକାର । ଜନସ୍ୱାସ୍ଥ୍ୟ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସଫଳତା ପାଇଛି ରାଜ୍ୟ । କରୋନାରେ ଲୋକଙ୍କୁ ଦିଆଯାଇଛି ମାଗଣା ରାସନ ସାମଗ୍ରୀ । ରାଜ୍ୟରେ କୋଭିଡ ପରିଚାଳନାକୁ ମିଳିଛି ପ୍ରଶଂସା । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଖୁବ ସଫଳତା ମିଳିଛି । ସୁନ୍ଦରଗଡରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ମହିଳା ସଶକ୍ତିକରଣକୁ ମଧ୍ୟ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି ।  ମୋ ସରକାର ପାରଦର୍ଶିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ସରକାର କାମ କରୁଛନ୍ତି । ଷ୍ଟାର୍ଟଅପ୍ ଓଡ଼ିଶା ପଲିସି ସରକାର ଆଣିଛନ୍ତି ।

ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଫ୍ଲିପକାର୍ଟ ସହିତ ବୁଝାମଣା ହୋଇଛି, ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ସରକାର କାମ କରୁଥିବା ରାଜ୍ୟପାଳ କହିଛନ୍ତି । କୋଣାର୍କ, ଭିତରକନିକା, ଦାରିଙ୍ଗବାଡି ଭଳି ଅଂଚଳରେ ଭିତ୍ତିଭୂମି ବିକାଶ ଚାଲିଛି । ୫ ହଜାର କିଲୋମିଟରରୁ ଅଧିକ ଗ୍ରାମ୍ୟ ସଡକ ନିର୍ମାଣ ହୋଇଛି । ରାଜ୍ୟରେ ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ ସରକାର ଉଦ୍ୟମ କରୁଛନ୍ତି ଏବଂ ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ଭାବେ ଉଭା ହୋଇଛି । ମହିଳା ଏସଏଚଜି ଗଠନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଥିବା ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ।

ଓଡ଼ିଶା ତାର ସଂସ୍କୃତି ପାଇଁ ପରିଚିତ । ଓଡ଼ିଶା ସଂସ୍କୃତିର ପ୍ରଚାର ପାଇଁ ମୋ ସରକାର ସର୍ବଦା ଉଦ୍ୟମରତ । ଓଡ଼ିଶା ତାର ଭୌଗଳିକ ଉପସ୍ଥିତି ପାଇଁ ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହେଉଛି, କିନ୍ତୁ ଓଡ଼ିଶା ସରକାର ଏହାର ମୁକାବିଲ ଦିଗରେ ସଫଳ ହୋଇଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି । ପୋଲିସ କୋଭିଡ୍ ମୁକାବିଲାରେ ସଫଳ ହୋଇଛି । କୋଭିଡ ମୁକାବିଲାରେ ୫୯ ଜଣ ପୋଲିସ ଅଧିକାରୀ ପ୍ରାଣତ୍ୟାଗ କରିଛନ୍ତି । ଓଡ଼ିଶା ଆଗ୍ନିକ ସେବା ପ୍ରାକୃତିକ ବିପର୍ଯ୍ୟୟ କାଳରେ ଉଦାହରଣୀୟ ସେବା ପ୍ରଦାନ କରିଛନ୍ତି । ଅନ୍ୟପଟେ ମାଛଚାଷରେ କଳାହାଣ୍ଡିକୁ ମିଳିଛି ଜାତୀୟ ପୁରସ୍କାର । କୋଭିଡ୍ କାଳରେ ପେନସନ ଧାରକଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାରେ ରିହାତି ଦିଆଯାଇଥିବା ମଧ୍ୟ ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି  ।

Leave a Reply