ହ୍ୱିଲ୍ ଚେୟାରରୁ ରକ୍ତଦାନ କରି ଉଦାହରଣ ସାଜିଲେ ଭିନ୍ନକ୍ଷମ ବସନ୍ତ

1 min read

ଭୁବନେଶ୍ୱର: ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଏହାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜଗାଙ୍ଗପୁରର ଆନ୍ତର୍ଜାତୀୟ ହ୍ୱିଲ୍ ଚେୟାର କ୍ରିକେଟ୍ ଖେଳାଳି ବସନ୍ତ ନିମ୍ ଶ୍ରିଷ୍ଠ । ଚାଲିବାର ଶକ୍ତି ହରାଇଥିବା ବସନ୍ତ କେବଳ କ୍ରିକେଟରେ ନିଜର ଦକ୍ଷତା ପ୍ରଦର୍ଶନ କରିନାହାଁନ୍ତି । ବରଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ଆଗ୍ରହର ସହ ସାମିଲ୍ ହୋଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।

ଗତ ୨୬ ତାରିଖ ଦିନ ରାଜଗାଙ୍ଗପୁରରେ ‘ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ’ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଉ ଏହି ସାମାଜିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ବସନ୍ତ । ଶିବିରକୁ ଉଦଘାଟନ କରି ନିଜେ ଆଗ ରକ୍ତଦାନ କରିବାକୁ ଆଗଭର ହୋଇଥିଲେ । ଏଥିସହ ନିଜେ ସେଠାରେ ଉପସ୍ଥିତ ରହି ରକ୍ତଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ବସନ୍ତଙ୍କ ନିଷ୍ଠାପରତା ଓ ସେବା ମନୋବୃତ୍ତି ସେଠାରେ ଉପସ୍ଥିତ ଲୋକମାନଙ୍କୁ ଚକିତ କରିଥିଲା । ୧୦୮ ୟୁନିଟ୍ ରକ୍ତ ସଂଗ୍ରହ ସହ ଅଭିଯାନକୁ ସଫଳତା ମିଳିଛି ।

ରକ୍ତଦାନ ଶିବିରରେ ବସନ୍ତଙ୍କ ଉତ୍ସର୍ଗୀକୃତ ମହତ୍ ଯୋଗଦାନ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ସମାଜ ପ୍ରତି ଅଙ୍ଗୀକାରବୋଧ ଥିଲେ କେହି ତାକୁ ଅଟକାଇ ପାରିବେ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଥିଲେ ବସନ୍ତ ନିମ୍ ଶ୍ରିଷ୍ଠ । ଏହି ମହାନ୍ କାର୍ଯ୍ୟ ପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply