ବିଶ୍ୱ ରେକର୍ଡ଼ କଲା ଦକ୍ଷିଣ କୋରିୟାର କୃତ୍ରିମ ସୂର୍ଯ୍ୟ

1 min read

ନୂଆଦିଲ୍ଲୀ:  ଅକ୍ଷୟ ଶକ୍ତିର ସବୁଠାରୁ ବଡ଼ ସ୍ରୋତ ହେଉଛି ସୂର୍ଯ୍ୟ । କିନ୍ତୁ ଏହା ସହିତ ଏଭଳି କିଛି ଚ୍ୟାଲେଞ୍ଜ ରହିଛି ଯେଉଁ କାରଣରୁ ଏହାର ପ୍ରକୃତ ଉପଯୋଗ ଆବଶ୍ୟକ ଅନୁସାରେ ହୋଇପାରୁ ନାହିଁ । ଏଥିପାଇଁ ବୈଜ୍ଞାନିକ ଆଣବିକ ଶକ୍ତିକୁ ଏକ ଉତ୍ତମ ସ୍ରୋତ ଭାବେ ମାନି ନେଇଛନ୍ତି ଏବଂ ସୂର୍ଯ୍ୟଭଳି ପୃଥିବୀରେ ନ୍ୟୁକ୍ଲିୟର ଫ୍ୟୁଜନ ଜରିଆରେ ଶକ୍ତି ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । । କିନ୍ତୁ ଏହି ଧାରାରେ ଦକ୍ଷିଣ କୋରିୟାର କୃତ୍ରିମ ସୂର୍ଯ୍ୟ ଉଚ୍ଚ ତାପମାତ୍ରା ବିଶିଷ୍ଟ ପ୍ଲାଜମା ୨୦ ସେକେଣ୍ଟ ପର୍ଯ୍ୟନ୍ତ କାଏମ ରଖିବାରେ ନୂଆ ବିଶ୍ୱ ରେକର୍ଡ଼ କରିଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବଯେ ସତରେ କ’ଣ କୃତ୍ରିମ ସୂର୍ଯ୍ୟ ସମ୍ଭବ ହୋଇପାରେ? ବାସ୍ତବରେ ପୃଥିବୀରେ କ’ଣ ଆଉ ଏକ ସୂର୍ଯ୍ୟ ଦେଖିବାକୁ ମିଳିବ?

କୋରିଆର ଏହି କୃତ୍ରିମ ସୂର୍ଯ୍ୟ ନ୍ୟୁକ୍ଲିୟର ସୁପରକଣ୍ଡକ୍ଟିଙ୍ଗ୍ ଫ୍ୟୁଜନ ଉପକରଣ । ଯାହାକୁ କୋରିଆ KSTAR ବା ସୁପରକଣ୍ଡକ୍ଟିଙ୍ଗ୍ କୋକାମାକ ଆଡଭାନ୍ସ ରିସର୍ଚର ନାମ ଦେଇଛି । ଏହି ଉପକରଣ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଆୟନ ତାପମାତ୍ରାକୁ ଦଶ କୋଟି ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କାଏମ ରଖିବାରେ ସଫଳ ହୋଇଛି । ରିପୋର୍ଟ କହୁଛି ଏହା ପୂର୍ବରୁ କେବେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିନଥିଲା ।

ଗତ ମାସରେ କୋରିୟା ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟୁଜନ ଏନର୍ଜିର କେଷ୍ଟାର ରିସର୍ଚ ସେଣ୍ଟର ଘୋଷଣା କରିଥିଲାଯେ ସିୟୋଲ ନ୍ୟାସନାଲ ୟୁନିଭର୍ସିଟି ଏବଂ ଆମେରିକାର କୋଲମ୍ବିୟା ୟୁନିଭର୍ସିଟିର ମିଳିତ ଗବେଷଣାରେ ପ୍ଲାଜମାକୁ ୧୦ କୋଟି ଡିଗ୍ରୀ ସେଲସିୟସରୁ ଅଧିକ ଆୟନ ତାପମାତ୍ରାରେ ସ୍ଥିର ରଖିବାରେ ସଫଳ ହୋଇଛି ।

ଏହା ପୂର୍ବରୁ ୨୦୧୯ରେ କେଷ୍ଟାର ପ୍ଲାଜମା ଅଭିଯାନରେ କେବଳ ୮ ସେକେଣ୍ଡ ଗୋଟିଏ ସ୍ଥିତିରେ କାଏମ ରହି ବିଶ୍ୱ ରେକର୍ଡ଼ କରିଥିଲା । ୨୦୧୮ରେ ହୋଇଥିବା ପ୍ରୟୋଗରେ ପ୍ରଥମ ଥର ପ୍ଲାଜମା ଆୟନ ତାପମାତ୍ରା ୧୦ କୋଟି ଡିଗ୍ରୀ ସେଣ୍ଟିଗ୍ରେଟ୍ ପର୍ଯ୍ୟନ୍ତ ହାସଲ ହୋଇଥିଲା, କିନ୍ତୁ ମାତ୍ର ୧.୫ ସେକେଣ୍ଡ ପର୍ଯ୍ୟନ୍ତ ଏହା କାଏମ ରହିଥିଲା ।

ତେବେ କ’ଣ ଏହି ପ୍ଲାଜମାର ମହତ୍ତ୍ୱ:

ପୃଥିବୀରେ ସୂର୍ଯ୍ୟ ଭଳି ଫ୍ୟୁଜନ ପ୍ରତିକ୍ରିୟାକୁ ସୃଷ୍ଟି କରିବା ପାଇଁ ପ୍ଲାଜମାର ସ୍ଥିତିକୁ ସୃଷ୍ଟି କରିବା ନିହାତି ଜରୁରୀ । ଯାହା କେଷ୍ଟାର ଭଳି ଫ୍ୟୁଜନ ଉପକରଣ ମଧ୍ୟରେ ହାଇଡ୍ରୋଜେନ୍ ଆଇସୋଟୋପ ରଖି ସୃଷ୍ଟି କରାଯାଇପାରେ । ଏହି ଅବସ୍ଥାରେ ଆୟନ ଏବଂ ଇଲେକ୍ଟ୍ରନ ଅଲଗା ହୋଇ ଯାଆନ୍ତି ଏବଂ ଆୟନକୁ ଅଧିକ ତାପମାତ୍ରାରେ ଗରମ କରି କାଏମ ରଖିବାକୁ ପଡ଼େ ।

 

ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଫ୍ୟୁଜନ ଉପକରଣ ଶକ୍ତିର ବ୍ୟବସାୟିକ ଉତ୍ପାଦନ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । କେଷ୍ଟାର ଏହି ପ୍ରୟୋଗର ମୁଖ୍ୟ ଫଳାଫଳକୁ ସାରା ଦୁନିଆର ଗବେଷକଙ୍କୁ ଜଣାଇବ । ଆସନ୍ତା ବର୍ଷ ମଇ ମାସରେ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଏଟମିକ୍ ଏନର୍ଜି ଏସୋସିଏସନ୍‌ ଫ୍ୟୁଜନ୍ ଏନର୍ଜି କନଫରେନ୍ସରେ ନିଜ ସଫଳତା ବିଷୟରେ ସାରା ବିଶ୍ୱକୁ ସୂଚନା ଦେବ ।

ବାସ୍ତବରେ ନାଭିକୀୟ ବିଖଣ୍ଡନ ପ୍ରକ୍ରିୟା ମଧ୍ୟ ବିଶାଳ ଶକ୍ତିର ଏକ ସ୍ରୋତ । ଏଥିପାଇଁ ବୈଜ୍ଞାନିକ ନ୍ୟୁକ୍ଲିୟର ଫ୍ୟୁଜନରେ ମନ ବଳାଇଲେ । ଏହି ଗବେଷଣାରୁ ଜାଣିବାକୁ ପାଇଲେଯେ ଏହା ଅକ୍ଷୟ ଶକ୍ତିର ସ୍ରୋତ ହୋଇପାରେ । କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ଏକ ଚ୍ୟାଲେଞ୍ଜ ହେବ । ଦକ୍ଷିଣ କୋରିୟାର ଏହି ଉପଲବ୍ଧି ନିହାତି ଭାବରେ ଏକ ବଡ଼ ପଦକ୍ଷେପ ।

Leave a Reply