ପରୀ ହତ୍ୟାକାଣ୍ଡରେ ସୌମ୍ୟଙ୍କ ପଲିଟିକ୍ସ, ମାଇଲେଜ୍‌ ନେବାକୁ କରୁଥିଲେ ଗୁଜବ ପ୍ରଚାର

1 min read
Soumya Pradhan

ନୟାଗଡ଼: ପରୀ ହତ୍ୟାକାଣ୍ଡର ସୌମ୍ୟ ପଲିଟିକ୍ସ । ହତ୍ୟାକାଣ୍ଡକୁ ନେଇ ଗଣମାଧ୍ୟମରେ ବାରମ୍ବାର ଭିନ୍ନ ଭିନ୍ନ ଗୁଜବ ଥିଓରୀ ଉପସ୍ଥାପନ କରିଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନଙ୍କୁ ନେଇ ଏବେ ଚର୍ଚ୍ଚା କାହିଁରେ କଣ ? ପ୍ରଶ୍ନ ଉଠୁଛି, ଘଟଣାଟି ସମ୍ପୂର୍ଣ୍ଣ ସ୍ପର୍ଶକାତର ହୋଇଥିବା ସତ୍ତ୍ୱେ ଏହାକୁ ରାଜନୈତିକ ରଙ୍ଗ ବୋଳିବା ପାଇଁ ଉଦ୍ୟମ କାହିଁକି କରିଥିଲେ ମିଛୁଆ ସୌମ୍ୟ । ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବା ଆଇନଗତ ଅପରାଧ ନୁହେଁ କି ? ତେଣୁ ଯଦୁପୁର ନୁହେଁ, ଓଡ଼ିଶା ପଚାରୁଛି ସୌମ୍ୟ ତଦନ୍ତର ପରିସରଭୁକ୍ତ ହେବା ଉଚିତ ନୁହେଁ କି ? ଜରୁରୀ ନୁହେଁ କି ତାଙ୍କ ଗିରଫଦାରୀ ?

ପର୍ଦ୍ଦାଫାସ ହୋଇସାରିଛି ପରୀ ହତ୍ୟାକାଣ୍ଡର ପାପ । ଏସଆଇଟି ପଞ୍ଝାରେ ଫସି ସାରିଛି ପିଶାଚ ସରୋଜ । କିନ୍ତୁ ଏହା ଭିତରେ ଲୁଚି ଯିବାକୁ ବସିଛି ଆଉ ଏକ ଦିଗ । ମିଛ ଗୁଜବ ଏବଂ ତଦନ୍ତକୁ ବିଭ୍ରାନ୍ତ କରିବାର ଅପଚେଷ୍ଟା । ଘଟଣା ସମ୍ପର୍କରେ ଗୁଜବ ସୃଷ୍ଟି କରିବାର ମୁଖ୍ୟ ଓ ପ୍ରଥମ ଲୋକଟି ହେଲା ଯଦୁପୁରକୁ ଲାଗି ରହିଥିବା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ପ୍ରଧାନ ।

ପରୀ ମୃତ୍ୟୁ ପ୍ରସଙ୍ଗରେ ତଦନ୍ତ ଚାଲିଥିବାବେଳେ ସୌମ୍ୟ ଗୁଜବ ଖେଳାଇଥିଲେ ଅଙ୍ଗ ତସ୍କରୀର । ଏଥିରେ ଯଦୁପୁର ଗାଁର କିଛି ଲୋକ ସାମିଲ ଅଛନ୍ତି ବୋଲି କହିଥିଲେ । ସେହିଭଳି ଘଟଣାକୁ ଅଧିକ ଚର୍ଚ୍ଚିତ, ରୋଚକ ଆଉ ଚାଞ୍ଚଲ୍ୟକର କରିବା ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କ ବାର୍ତ୍ତାଳାପର ଏକ ଅଡିଓ ମଧ୍ୟ ଭାଇରାଲ କରିଥିଲେ ସୌମ୍ୟ । ନିଜକୁ ଅଧିକ ବିଜ୍ଞପିତ କରିବା ପାଇଁ ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ହାଇକୋର୍ଟଙ୍କ ମାଧ୍ୟମରେ ପୋଲିସଠାରୁ ସୁରକ୍ଷା ମାଗିଥିଲେ । ହେଲେ ପ୍ରଶ୍ନ ଉଠୁଛି ଜଣେ ଜନପ୍ରତିନିଧି ହୋଇ ଗୁଜବ ସୃଷ୍ଟି କରି ଏକ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବା ଆଇନଗତ ଅପରାଧ ନୁହେଁ କି ?

ସେପଟେ ଆଇନ ବିଶେଷଜ୍ଞଙ୍କ ମତ ହେଲା ଗୁଜବ ପ୍ରଚାର ହେଉଛି ଏକ ଧର୍ତ୍ତବ୍ୟ ଅପରାଧ । କିଛି ଦିନ ତଳେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ମଧ୍ୟ ଏହି ଗୁଜବ ସଂକ୍ରାନ୍ତରେ ଟୁଇଟ୍‌ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । କହିଥିଲେ, ଅପରାଧ ସହ ଲଢି ହେବ । କିନ୍ତୁ ଅପପ୍ରଚାର ଆଉ ଗୁଜବ ସହ ଲଢିବା କଷ୍ଟ । ମୁଖ୍ୟମନ୍ତ୍ରୀ ମଧ୍ୟ ଗୁଜବ ଓ ଅପପ୍ରଚାରକୁ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ନିନ୍ଦା କରିଥିଲେ ।

ପ୍ରଶ୍ନ ଉଠୁଛି, ପରୀ ହତ୍ୟାକାଣ୍ଡ ପରି ଏକ ସମ୍ବେଦନଶୀଳ ଘଟଣାରେ ସୌମ୍ୟଙ୍କ ପଲିଟିକାଲ ମାଇଲେଜ ଡ୍ରାମା କାହିଁକି ? କୁନି ଝିଅ ପରୀର ବୀଭତ୍ସ ମୃତ୍ୟୁକୁ ନେଇ ସତ ଖୋଜିବା ବଦଳରେ ଗୁଜବ କାହିଁକି ? କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ସେ ଏପରି ବହୁ ମିଛ କେସ୍‌ କରି ଜେଲ୍‌ ଯାଇସାରିଛନ୍ତି । ୨୦୧୬ ମସିହାରେ ନୟାଗଡ ଥାନାରେ ୨୯୪, ୩୪୧, ୩୫୪-କ, ୩୨୩, ୩୪ ଭଳି ଦଫାରେ ମାମଲା ହୋଇ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ୨୦୧୮ରେ ପୁଣି ଥରେ ଏକ ମାମଲାରେ ତାଙ୍କ ବିରୋଧରେ ୩୪୧, ୩୨୩, ୩୭୯, ୨୯୪, ୫୦୬ ଦଫାରେ ନୟାଗଡ଼ ଥାନାରେ ମାମଲା ହୋଇଥିଲା ।

ସେହିଭଳି ୨୦୧୯ ଓ ୨୦୨୦ରେ ମଧ୍ୟ ସଦର ଥାନା ଓ ନୟାଗଡ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି । ସୌମ୍ୟ ରଂଜନ ୨୦୧୯ରେ ଥାନାରେ ମିଛ ଅଭିଯୋଗ କରିଥିଲେ ଯେ, ତାଙ୍କ ପ୍ରତିପକ୍ଷ ତାଙ୍କ ଘର ଉପରକୁ ବୋମା ପକାଇଥିଲେ । କିନ୍ତୁ ତଦନ୍ତ ବେଳେ ଏହା ମିଛ ଅଭିଯୋଗ ଥିଲା ବୋଲି ଧରା ପଡିଥିଲା ।

ପରୀ ମାମଲାରେ ଯଦି ଅଭିଯୁକ୍ତ ସରୋଜ ନୁହେଁ, ତେବେ ସୌମ୍ୟରଂଜନ ଯଦି ପ୍ରକୃତ ଅଭିଯୁକ୍ତକୁ ଜାଣିଛନ୍ତି ତେବେ ଏସ୍‌ଆଇଟିକୁ କିଛି ସୂଚନା ଦେଉନାହାନ୍ତି କାହିଁକି ? ଏଘଟଣାରେ ସୌମ୍ୟଙ୍କୁ ପଚରାଉଚରା କରାଯିବାର ଆବଶ୍ୟକତା ନାହିଁ କି ? ଗୁଜବ ରଟିବା ଅଭିଯୋଗରେ ତାଙ୍କୁ କାହିଁକି ଗିରଫ କରାଯିବନି ?

Leave a Reply