ବାଲେଶ୍ୱରରେ ଥାନା ବାବୁଙ୍କ ଫେକ୍ ଫର୍ମୁଲା ! ଜେଲରେ ଥିବାବେଳେ ବିଚାରାଧୀନ କଏଦୀଙ୍କ ନାଁରେ କେସ୍ ଠୁଙ୍କି ସସପେଣ୍ଡ

ବାଲେଶ୍ୱର : ସୋର ପୋଲିସର କାର୍ଯ୍ୟକଳାପ ଏବେ ସନ୍ଦେହ ଘେରରେ । କିଛି ବେଆଇନ୍ କାର୍ଯ୍ୟକୁ ନେଇ ପୋଲିସକୁ ସମାଲୋଚନା ହେବାକୁ ପଡୁଛି । କେହି କେହି ମିଛୁଆ ପୋଲିସ କହିବାକୁ ମଧ୍ୟ ପଛାଉ ନାହାନ୍ତି ।


ସୂଚନା ଅନୁସାରେ ସୋର ଥାନା ଅନ୍ତର୍ଗତ ଚିନ୍ତାମଣିପଦା ଗାଁର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ ନାୟକଙ୍କୁ ଖଇରା ଥାନା ପୋଲିସ ଚଳିତବର୍ଷ ଜାନୁଆରୀ ୧୯ ତାରିଖରେ ଗିରଫ କରିଥିଲା । ତାଙ୍କ ବିରୋଧରେ ୨/୨୦୧୯ରେ ଏକ ମାମଲା ରୁଜୁ କରାଯାଇଥିଲା । ଏହାପରେ ତାଙ୍କୁ ସୋର କୋର୍ଟକୁ ଚାଲାଣ କରାଯାଇଥିଲା । ବାଲେଶ୍ୱର ଜିଲ୍ଲା କୋର୍ଟଙ୍କ ଦ୍ୱାରା ମାର୍ଚ୍ଚ ୨୫ ତାରିଖରେ ତାଙ୍କ ଜାମିନ୍ ଆବେଦନ ଖାରଜ୍ ହୋଇଥିଲା । ଏହାପରେ ମେ ୩୦ରେ ହାଇକୋର୍ଟରେ ସେ ଜାମିନ୍ ଆବେଦନ କରିଥିଲେ । ଅଗଷ୍ଟ ୨ ତାରିଖରେ ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିବା ପରେ ସେ ଜେଲରୁ ବାହାରିଥିଲେ ।


କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଜେଲରେ ବିଚାରାଧୀନ ଥିବା ବେଳେ, ମେ ୨୩ ତାରିଖରେ ଏକ ଚୋରି ଅଭିଯୋଗରେ ରଞ୍ଜିତଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଯେତେବେଳେ କି ସୋର ଜେଲରେ ଥିଲେ ରଞ୍ଜିତ । ମେ ୨୩ରେ ୧୬ ନଂ ଜାତୀୟ ରାଜପଥ ସୋର ଥାନା ଅଧିନ ବିଦୁ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ନିକଟରୁ କିଛି ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ସୋର ପୁଲିସ ଏହି ଘଟଣାରେ ନିଜ ଆଡୁ ୨୩୭/୧୯ ଆଧାରରେ ସୋର ଥାନାରେ ଏକ ମାମଲା ଋଜୁ କରିଥିଲା । ସେହି ଚୋରୀ ମାମଲାରେ ଜେଲରେ ଥିବା ରଞ୍ଜିତଙ୍କୁ ସୋର ଥାନା ଅଧିକାରୀ ଅଭିଯୁକ୍ତଭାବେ ଦର୍ଶାଇଥିଲେ । ନଭେମ୍ବର ୧ ତାରିଖରେ ସୋର ଥାନା ଅଧିକାରୀ ପୁଣିଥରେ ରଞ୍ଜିତ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏ ଘଟଣା ପରେ ସୋର ଥାନାକୁ ଯାଇ ନିଜ ସ୍ୱାମୀଙ୍କ ସଂପର୍କରେ ପଚାରି ବୁଝିଥିଲେ ରଂଜିତଙ୍କ ସ୍ତ୍ରୀ । ସେତେବେଳେ ପୋଲିସ କହିଥିଲା ରଂଜିତଙ୍କୁ ପାଇଲେ ଖବର ଦେବେ । ଏ ସବୁ ଘଟଣା ପରେ ବହୁ ପ୍ରଶ୍ନ ସାମ୍ନାକୁ ଆସିଛି । ଜେଲରେ ଥିବା ବେଳେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିଲେ କେମିତି ରଞ୍ଜିତ ? ବାଲେଶ୍ୱର ପୋଲିସ କାହା ଚାପରେ ଏଭଳି କରିନାହିଁ ତ ? ଜଣେ ଦୋଷ ନକରି ଜେଲ୍ ଯିବା ଆମ ବ୍ୟବସ୍ଥା ପ୍ରତି ଉପହାସ ନୁହେଁ ତ ? ଘରେ ଗର୍ଭବତୀ ସ୍ତ୍ରୀ ଥିବା ସମୟରେ ସ୍ୱାମୀ ହାଇକୋର୍ଟରୁ ଜାମିନ୍ ପାଇ ଆସିଥିବାବେଳେ ପୁଣି ଥରେ ତାଙ୍କୁ ମିଛ ମାମଲାରେ ଫସାଇବା କି ପ୍ରକାରର ନିୟମ ?

ଏ ଘଟଣା ସାମ୍ନାକୁ ଆସିବା ପରେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୋର ଥାନାର ଏଏସଆଇ ତଥା ତଦନ୍ତକାରୀ ଅଧିକାରୀ ମୀନକେତନ ସିଂଙ୍କୁ ନିଲମ୍ବନ କରାଯାଇଛି ।

Leave a Reply