ମ୍ୟାନେଜମେଣ୍ଟରେ ପିଏଚଡି କଲେ ମାଲକାନଗିରିର କୃଷକଙ୍କ ପୁଅ

କାଲିମେଳା(ମାନସ ରଞ୍ଜନ ଜେନା): ଅଖ୍ୟାତ ପଲ୍ଲୀରୁ ଉଚ୍ଚଶିକ୍ଷା ପାଇଁ ଦେଖିଥିଲେ ସ୍ୱପ୍ନ । ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଜଣେ ବାପା ପକ୍ଷେ ପୁଅକୁ ପାଠ ପଢାଇବା କାଠିକର ପାଠ ହୋଇଥିଲା । କିନ୍ତୁ ସବୁ ବାଧା ବିଘ୍ନକୁ ପଛରେ ପକାଇ ଶେଷରେ ପୁଅ କୃତକାର୍ଯ୍ୟ ହୋଇଛି । ମ୍ୟାନେଜମେଣ୍ଟ ବିଭାଗରେ ଡକ୍ଟରେଟ ହାସଲ କରି ପରିବାର ଓ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣି ପାରିଛନ୍ତି ।

ମାଲକାନଗିରିରୁ ପଣ୍ଡିଚେରୀ । ଲକ୍ଷ୍ୟ ପୂରଣ ପାଇଁ ଗରିବୀର ଅର୍ଗଳିକୁ ପାର କରି ଘରୁ ବାହାରକୁ ଗୋଡ଼ କାଢିଥିଲେ ଗଣନାଥ ଖିଲ । ଏତେ ସହଜ ନଥିଲା ଏରାସ୍ତା । କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ସବୁ ପ୍ରତିବନ୍ଧକ । ଶେଷରେ ମ୍ୟାନେଜମେଣ୍ଟ ବିଭାଗରେ ଡକ୍ଟରେଟ ପାଇ ନିଜ ଗାଁ ଓ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି ସେ । ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଜଣେ ବାପା ପାଇଁ ପୁଅର ଏ ସଫଳତା ବେଶ ଖୁସି ଆଣି ଦେଇଛି ।

ମାନ୍ୟକୋଣ୍ଡା ପଞ୍ଚାୟତର ବଣ ପାହାଡ଼ ଘେରା ଆଦିବାସୀଗାଁକୁ ଆଜି ବି ଭଲ ରାସ୍ତା ନାହିଁ । ବିକାଶଠାରୁ ଯୋଜନ ଯୋଜନ ଦୂରରେ ଥିବା ଆଦିବାସୀ ଗାଁ ନକ୍ସଲ କବଳିତ । ଦୁର୍ଗମ ଇଲାକାରୁ ସବୁ ପ୍ରତିବନ୍ଧକକୁ ପାର କରି ଗଣନାଥ ମାନ୍ୟକୋଣ୍ଡା ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ପରେ ଗୋବିନ୍ଦପାଲିରେ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ  । ଏତିକିରେ ଥମିନଥିଲା ତାଙ୍କ ଉଚ୍ଚଭିଳାସା ।

ଉଚ୍ଚଶିକ୍ଷା ପାଇଁ ସ୍ୱପ୍ନ ଦେଖିଥିବା ଗଣନାଥ ବ୍ରହ୍ମପୁରରେ ଏମଫିଲ୍ ପାଠପଢା ଶେଷ କରିଥିଲେ । ପରେ ପଣ୍ଡିଚେରୀ ଯାଇ ପିଏଚଡିରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏ ସଫଳତା ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇ ପାରିଛନ୍ତି । କଠିନ ପରିଶ୍ରମ ଦେଲା ସଫଳତା । ନିଜ ସ୍ୱପ୍ନ ପୂରା ହେବା ସହ ସମସ୍ତଙ୍କ ପାଇଁ ଗଣନାଥ ଉଦାହରଣ ପାଲଟିଛନ୍ତି ।

Leave a Reply