୨୦୨୦ର ଏମିତି କିଛି ଘଟଣା ଯାହା ଆତଙ୍କିତ କରିଦେଇଥିଲା

1 min read

୨୦୨୦ ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ଷ ଶେଷରେ ଏହା ହେଉଛି ସ୍ମୃତିକୁ ତାଜା କରିବାର ବର୍ଷ। ୨୦୨୦ ଥିଲା ଏମିତି ଗୋଟିଏ ବର୍ଷ ଯାହାକୁ ଅନେକ ଲୋକ କ୍ୟାଲେଣ୍ଡରରୁ ଅଲ୍ଟ-ଡିଲିଟ୍ ପ୍ରେସ କରି ସବୁଦିନ ପାଇଁ ଲୋପ କରିବାକୁ ଚାହିଁବେ। କିନ୍ତୁ ଏହା ସମ୍ଭବ ନୁହେଁ । ଏହି ବର୍ଷ ବର୍ତ୍ତମାନ ପିଢିର ସ୍ମୃତିରେ ଯଦି ସବୁଦିନ ପାଇଁ ଛାପ ଛାଡିବ ତେବେ ଆସୁଥିବା ପିଢ଼ି ଏହାକୁ ଇତିହାସ ପୃଷ୍ଠାରେ ଖୋଜିବ। ୨୦୨୦କୁ ମାନବ ଇତିହାସ କରୋନାର ବର୍ଷ ଭାବେ ମନେ ରଖିବ। କିନ୍ତୁ ଖାଲି କରୋନା ମଣିଷକୁ ଏହି ବର୍ଷ ଡରାଇ ନଥିଲା। ଆହୁରି ଅନେକ କିଛି ଘଟିଥିଲା ଯେଉଁଥିପାଇଁ ୨୦୨୦କୁ ଆତଙ୍କର ବର୍ଷ ବୋଲି କୁହାଯାଇ ପାରିବ….

କରୋନା ମହାମାରୀ: ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ରାକ୍ଷସ ରୂପି କରୋନା ୨୦୨୦ରେ ସମଗ୍ର ବିଶ୍ୱକୁ ଗ୍ରାସ କରି ନେଇଛି। ଯେବେ ଠାରୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା, ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକେ ଏହି ଭୂତାଣୁର ଶିକାର ହେବା ସହ ଲକ୍ଷ ଲକ୍ଷ ଜୀବନ ମଧ୍ୟ ଯାଇଛି। ତେବେ ଭୂତାଣୁ ଚିହ୍ନଟ ହେବା ପରେ ସତର୍କତା ଦୃଷ୍ଟି ଦୀର୍ଘ ୮ ମାସ ତଳେ ସଂକ୍ରମଣ ରୋକିବା ପାଇଁ ଲାଗୁ କରାଯାଇଥିଲା ଲକଡାଉନ ଓ ଶଟଡାଉନ ଭଳି କଟକଣା। ଏଥି ଯୋଗୁ ବିଭିନ୍ନ ଶିଳ୍ପ, କମ୍ପାନୀ, ଦୋକାନ ବଜାର ଆଦି ସବୁକୁ ବନ୍ଦ କରିଦିଆଯାଇଥିଲା। ଫଳରେ ବହୁଲୋକ ନିଜର ଜୀବନ ଜୀବିକା ହରାଇ ବସିଥିଲେ। ପ୍ରବାସୀମାନେ ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସହରରେ କାମ ଧନ୍ଧା ହରାଇ ସେମାନେ ଖାଇବାକୁ ବି ପାଇଲେ ନାହିଁ ଫଳରେ କିଏ ପାଦରେ ଚାଲି ଚାଲି କିଏ ସାଇକେଲରେ ହଜାର ହଜାର କିମି ଯାତ୍ରା କରି ଗାଁରେ ପହଞ୍ଚିଥିଲେ। ଏବେ ବି କରୋନାର ଡର ଯାଇନାହିଁ। କିଛି ଦେଶରେ ଏବେ ବି ଲକଡାଉନ ଜାରି ରହିଛି। ସମସ୍ତେ ଏହି ଆଶାରେ ଅଛନ୍ତି ଯେ କରୋନା ଟିକା ଆସିଗଲେ ଏହି ମହାମାରୀରୁ ମୁକ୍ତି ମିଳିଯିବ।
ଆଳୁ ପିଆଜ ଦର ବୃଦ୍ଧି: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟରୁ ଆଳୁ ଓ ପିଆଜକୁ ବାଦ୍ ଦେଇଥିଲେ। ଯାହାପରେ ଆଳୁ ପିଆଜ ଦର ଆକାଶ ଛୁଆଁ ହୋଇଥିଲା। ଦିନକୁ ଦିନ ଏହାର ଦରରେ ଅହେତୁକ ବୃଦ୍ଧି ହେବା ଦେଖି ଖାଉଟି ଚିନ୍ତାରେ ପଡ଼ିଥିଲେ। ବିଶେଷ କରି ଗରିବ ଓ ମଧ୍ୟମ ଶ୍ରେଣୀର ପରିବାର ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଳୁ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦିଆଯିବା ଓ ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା। ଆଉ ତା’ପରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ଯେମିତି ବୋଝ ଉପରେ ନଳିତା ବିଡ଼ା ହୋଇଗଲା।

ଆମାଜନରେ ନିଆଁ: ବିଶ୍ୱର ସବୁଠାରୁ ବଡ଼ ରେନ୍ଫରେଷ୍ଟ ବ୍ରାଜିଲର ‘ଆମାଜନ୍’ରେ ନିଆଁ ଲାଗିବା ଘଟଣା ବି ଲୋକମାନଙ୍କୁ ଆତଙ୍କିତ କରିଦେଇଥିଲା। ୨୦୧୯ ଅଗଷ୍ଟରୁ ଲାଗିଥିବା ଭୟଙ୍କର ନିଆଁ ୨୦୨୦ରେ ଯେଉଁଭଳି ଭାବେ ମାଡ଼ିଚାଲିଲା, ସମ୍ପୂର୍ଣ୍ଣ ଜଙ୍ଗଲ ପାଉଁଶ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଯାହା କି ବ୍ରାଜିଲ ପାଇଁ ଚିନ୍ତାର କାରଣ ପାଲଟିଥିଲା। ବିଶ୍ୱର ମୋଟ ଅମ୍ଲଜାନର ୨୦ ପ୍ରତିଶତ ଏହି ଜଙ୍ଗଲ ଯୋଗାଉଥିବାବେଳେ ଏହାର ସବୁଜିମା ନିଆଁର ପ୍ରକୋପ ଆଗରେ ହାର ମାନି ନେଇଥିଲା। ଏହାର ଜୈବ ବିବିଧତା ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଗଲା। ଲକ୍ଷ ଲକ୍ଷ ଗଠ ପୋଡ଼ି ହେବା ସହ ବହୁ ବନ୍ୟ ଜନ୍ତୁ ମଧ୍ୟ ଏହି ନିଆଁରେ ଜଳିଯାଇଥିଲେ। ଏହି ଘଟଣାରେ ପ୍ରାୟ ୫.୪ ନିୟୁତ ଏକର (୨.୨ ନିୟୁତ ହେକ୍ଟର) ଜଙ୍ଗଲ ଜଳି ପୋଡ଼ି ପାଉଁଶ ହୋଇଗଲା।

ଆମ୍ଫାନ: ୨୦୨୦ରେ ଆଉ ଏକ ଭୟାବହ ଘଟଣା ଥିଲା ବାତ୍ୟା ‘ଆମ୍ଫାନ’। ଦୀର୍ଘ ବର୍ଷ ପରେ ଗତ ମେ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ଭାରତ ସମେତ ପଡ଼ୋଶୀ ବାଂଲାଦେଶରେ ବ୍ୟାପକ କ୍ଷତି ଘଟାଇଥିଲା। ଅମ୍ଫାନ ପ୍ରଭାବରେ ସର୍ବାଧିକ କ୍ଷତି ସହିଥିଲା ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରେ ଆମ୍ଫାନ ଏକପ୍ରକାରର ସର୍ବନାଶ କରିଦେଇଥିଲା। ହଜାର ହଜାର ଘର ଭାଙ୍ଗି ଯାଇଥିବା ବେଳେ ଲକ୍ଷାଧିକ ବିଜୁଳି ଖୁଣ୍ଟ ନଷ୍ଟ ହୋଇଥିଲା। ବଡ଼ବଡ଼ କୋଠା ଠାରୁ ଆରମ୍ଭ କରି ପାଚେରୀ ଓ ଗଛ କେହି ବି ଅମ୍ଫାନ ତାଣ୍ଡବରୁ ରକ୍ଷା ପାଇନଥିଲେ। ସବୁଠି ଅମ୍ଫାନର ଧ୍ୱଂସବିଧ୍ୱସ୍ତ ରୂପ ଦେଖିବାକୁ ମିଳିଥିଲା।

ମହାରାଷ୍ଟ୍ରରେ ନିସର୍ଗ: ପଶ୍ଚିମବଙ୍ଗରେ ଅମ୍ଫାନ୍ ପରେ ମହାରାଷ୍ଟ୍ରରେ ବାତ୍ୟା ‘ନିସର୍ଗ’ ମଧ୍ୟ ଖୁବ ତାଣ୍ଡବ ରଚିଥିଲା। କରୋନା ଭାଇରସ୍ କବଳରେ ଫସିଥିବା ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ‘ନିସର୍ଗ’ର ତାଣ୍ଡବ ଦେଖିବାକୁ ମିଳିଥିଲା।କିଛି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ୟ ହୋଇଥିଲା, ଯେଉଁଥିରେ ଅନେକ ଗଛ ଭାଙ୍ଗିଯାଇଥିଲା। ଲୋକମାନେ ବହୁ ଭୟବୀତ ଓ ଆତଙ୍କିତ ଅବସ୍ଥାରେ ଥିଲେ। ବାତ୍ୟାର ପବନରେ ବିଭିନ୍ନ ବିଲ୍ଡିଂର ଛାତ ମଧ୍ୟ ଉଡ଼ିଯିବା ସହ ଏକାଧିକ ଗାଡ଼ି ମଧ୍ୟ ଚୁରମାର୍ ହୋଇଯାଇଥିଲା। ଏହି ବାତ୍ୟାର ପ୍ରଭାବ ମୁମ୍ବାଇର ବସ୍ତି ଲୋକଙ୍କ ଉପରେ ସବୁଠାରୁ ଅଧିକ ପଡ଼ିଥିଲା।
ବେରୁଟ ବିସ୍ଫୋରଣ: ଲେବାନନର ରାଜଧାନୀ ବେରୁଟର ବନ୍ଦର ଅଞ୍ଚଳରେ ଅଗଷ୍ଟ ୪ରେ ହୋଇଥିଲା ଏକ ଭୟାନକ ବିସ୍ଫୋରଣ। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହି ଛୋଟ ଦେଶଟିର ପ୍ରାୟ ସମସ୍ତ ଅଞ୍ଚଳକୁ ଏହାର ଶବ୍ଦ ଶୁଣାଯାଇଥିଲା। ଏପରିକି ସେଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ସାଇପ୍ରସ୍ର ରାଜଧାନୀ ନିକୋସିଆ ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଏହି ବିସ୍ଫୋରଣ ଯୋଗୁ ବନ୍ଦର ଅଞ୍ଚଳ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ, ଆଖପାଖର ଅନେକ ବଡ଼ ବଡ଼ ଅଟ୍ଟାଳିକା, ଘରଦ୍ୱାର, ଗାଡ଼ି ମୋଟର ଓ ରାସ୍ତାଘାଟ ଆଦି ନଷ୍ଟ ହୋଇଥିଲା।

Leave a Reply