ଓଡ଼ିଶାର କଶ୍ମୀରରେ ତୁଷାରପାତ, ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ

ବାଲିଗୁଡ଼ା: ପ୍ରକୃତି ରାଣୀର କୋଳରେ ମହକୁଛି ଆଦିବାସୀ ମାଟି । ସବୁଆଡ଼େ ସବୁଜିମା, କାକରର ଛିଟା । ରାତି ଭିଜା କାକରରେ ସତେଜ ଥିବା ଫୁଲ ସକାଳର ସୂର୍ଯ୍ୟଙ୍କ ପହିଲି କିରଣ ସ୍ପର୍ଶରେ ଆହୁରି ଚମକୁଛି । ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ହେଉଛି ତୁଷାରପାତ ।ରବିବାର ଭଳି ସୋମବାର ଦାରିଙ୍ଗବାଡ଼ି, ସିମନବାଡ଼ି, ବାଡ଼ାବାଙ୍ଗା ଆଦି ଅଞ୍ଚଳରେ ତୁଷାରପାତ ହୋଇଛି । ବର୍ଷା ଛାଡ଼ିବା ପରେ ଜାରି ରହିଛି ଶୀତ ଲହରୀ । ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଦିନ ୧୦ଟା ଯାଏଁ ଘନ କୁହୁଡ଼ି ଲାଗି ରହୁଛି । ବଣ ପାହାଡ଼ ଘେରା ସବୁଜିମା ପରିବେଶରେ ପ୍ରକୃତିର ଏ ପ୍ରଫୁଲ୍ଲିତ ଦୃଶ୍ୟ ଦେଖିବାକୁ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ ।ଘନ କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ଜିଲ୍ଲାର ଅଧିକାଂଶ ଅଞ୍ଚଳ । ପ୍ରବଳ ଜାଡ଼ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ଟାଣି ଆଣୁଛି । ଜିଲ୍ଲାର ବାଲିଗୁଡ଼ା, କ.ନୂଆଗାଁ, ତୁମୁଡ଼ିବନ୍ଧ, କୋଟଗଡ଼, ବେଲଘର ଆଦି ଅଞ୍ଚଳରେ ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ ।ଶୀତ ଫେରିଥିବାରୁ ମନରେ ଆନନ୍ଦ ବଢ଼ିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ହିଲ୍ ଭିଉ, କଫି ବଗିଚା ସାଙ୍ଗକୁ ଲଭର୍ସ ପଏଣ୍ଟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତା ସାଙ୍ଗକୁ ଝାଉଁ ବଣରେ ଜମୁଛି ବଣଭୋଜିର ଆସର ।

Leave a Reply