ଚଢେଇ ଫାଶରେ ପଡିଲା ତମ୍ପ ସାପ, ଓୟୁଏଟିରେ କରାଗଲା ଅପରେସନ

ଭୁବନେଶ୍ୱର: ଚଢେଇ ଧରିବା ପାଇଁ ବିଲରେ ବସାଯାଇଥିଲା ଫାଶ  । ଫାଶରେ ଚଢେଇ ପଡିବା ପରିବର୍ତ୍ତେ ଫସିଗଲା ତମ୍ପ ସାପ । ଏଭଳି ଘଟଣା  ଘଟିଛି  ରାଜଧାନୀ ଭୁବନେଶ୍ୱରରେ । ଶୁକ୍ରବାର ସନ୍ଧ୍ୟା 8 ଟାରେ ଭୁବନେଶ୍ୱର ଚିଲି ପୋଖରୀ ଅଞ୍ଚଳରେ ଥିବା ଶିବ ନଗର ତେଲୁଗୁ ବସ୍ତିରେ ଏନ ତିରୁପତି ଙ୍କ ଘରୁ ଏକ ୫ ଫୁଟ ଲମ୍ବର  ତମ୍ପ ସାପ କୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ । ଉଦ୍ଧାର କଲା ବେଳେ ସାପ ଟିର ଲାଞ୍ଜ ଠାରୁ ପ୍ରାୟ ଏକ ଫୁଟ ଦୂରରେ ଏକ ପ୍ଲାଷ୍ଟିକ ଡୋର କଷି କରି ଚାପି ହୋଇଥିବା ଦେଖି ଅରୁଣ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ କୁ ସାପ ଟିକୁ ଆଣିଥିଲେ ।

ପରେ ପ୍ଲାଷ୍ଟିକ ଡୋର ଟିକୁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜରେ ସର୍ଜରୀ ବିଭାଗରେ ଅପରେସନ କରାଯାଇ କଟାଯାଇଥିଲା  ।  ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଅପରେସନ କରି ବାହାର କରିଥିଲେ । ତେବେ ଅପରେସନ କଲା ବେଳେ ସେହି ପ୍ଲାଷ୍ଟିକ ଡୋର ଟି କୌଣସି ଜାଲ ର ନୁହେଁ ବରଂ ଏକ ଗୋଲାକାର ଫାଶ ବୋଲି ଡାକ୍ତର ନାଥ ଦେଖିବାକୁ ପାଇଥିଲେ । ସେହି ଫାଶ ଟି ସମ୍ଭବତଃ ଏକ ଚଢେଇ ଧରିବା ପାଇଁ ଉଦ୍ଦିଷ୍ଟ ଫାଶ ବୋଲି ଜଣା ପଡିଥିଲା । ସର୍ଜରୀ ପୂର୍ବରୁ ଭିତର କ୍ଷତ ଅବସ୍ଥା ଜାଣିବା ପାଇଁ ସାପଟିର ଏକ୍ସରେ କରାଯାଇଥିଲା ।

ଅପରେସନ ପରେ ସାପ କୁ ଆଣ୍ଟିବାୟୋଟିକ ଇଂଜେକସନ ମଧ୍ୟ ଦିଆଯାଇଛି । ସାପ ଟିର ଅବସ୍ଥା ଭଲ ଅଛି, କିନ୍ତୁ ପ୍ଲାଷ୍ଟିକ ଡୋର ତାର ଚମଡା ଓ ମାଂସକୁ କାଟି ଦେଇଥିବାରୁ କ୍ଷତ ସ୍ଥାନ ଶୁଖିବା ପର୍ଯ୍ୟନ୍ତ ଅବଜରଭେସନ ରେ ରଖାଯିବ ବୋଲି ଡାକ୍ତର ନାଥ ପ୍ରକାଶ କରିଛନ୍ତି । ଏହି ଅପରେସନ ସମୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସିଲକା ସେଲୋନୀ ସହାୟତା କରିଥିଲେ ।

Leave a Reply