ସ୍ମାର୍ଟ ସିଟି ହେବ କିନ୍ନର ଭିକାରୀ ମୁକ୍ତ; ସଂଘ ସହ ଆଲୋଚନା କଲା ବିଏମସି…

ଭୁବନେଶ୍ୱର: ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବାକୁ ବିଏମସି ପଦକ୍ଷେପ ନେଇଛି । ଧାର୍ମିକ ସ୍ଥଳରୁ ଭିକ୍ଷୁକଙ୍କୁ ବାରଣ କରାଯିବା ପରେ ଏବେ ଟ୍ରାଫିକ ଛକମାନଙ୍କରେ କିନ୍ନରଙ୍କୁ ଭିକ୍ଷାବୃତ୍ତି ନକରିବାକୁ କୁହାଯାଇଛି । ଯାହାକୁ ନେଇ ଭୁବନେଶ୍ବରର ବିଭିନ୍ନ କିନ୍ନର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଛି ପୃଥକ୍ ପୃଥକ୍ ବୈଠକ । ବୈଠକରେ କିନ୍ନରଙ୍କ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି । ପ୍ରଶାସନର ଅନୁରୋଧକୁ ରକ୍ଷା କରି କିନ୍ନରମାନେ ପୂର୍ବଭଳି ଏଣିକି ଟ୍ରାଫିକ ଛକମାନଙ୍କରେ ଭିକ୍ଷା ବୃତ୍ତି ନକରିବାକୁ ନିଷ୍ପତ୍ତି ହୋଇଛି । ସଂଘର ନିଷ୍ପତ୍ତିକୁ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି। କିଛି କିନ୍ନରଙ୍କ ପାଇଁ ବଦନାମ ହେଉଛି ସମଗ୍ର କିନ୍ନର ଜାତି ।

ଅନ୍ୟପକ୍ଷରେ କିନ୍ନରମାନଙ୍କ ପକ୍ଷରୁ ଦାବି ମଧ୍ୟ ଉଠିଛି । ପ୍ରଥମେ ଟ୍ରେନରେ ଭିକ୍ଷାବୃତ୍ତି କରି ଗୁଜରାଣ କରୁଥିବା କିନ୍ନରଙ୍କୁ ଟ୍ରେନରେ ବାରଣ କରାଗଲା । ବର୍ତ୍ତମାନ ପୁଣି ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବାକୁ ଯାଇ ଟ୍ରାଫିକ ଛକରୁ ଭିକ୍ଷାବୃତ୍ତିକୁ କିନ୍ନରଙ୍କୁ ବାରଣ କରାଗଲା ।

ତେବେ ରୋଜଗାରର କୌଣସି ବିକଳ୍ପ ପନ୍ଥା ନଥିବା ଦର୍ଶାଇ ସରକାରଙ୍କ ପକ୍ଷରୁ ଘୋଷିତ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ କିନ୍ନରମାନେ ଦାବି କରିଛନ୍ତି । ସେପଟେ କେବଳ କିନ୍ନରଙ୍କୁ ନୁହେଁ ବରଂ ରାଜ୍ୟ ବାହାରୁ ଆସି ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ କରିବାକୁ ଦାବି କରିଛନ୍ତି କିନ୍ନର।

Leave a Reply