ଉଚ୍ଛେଦ ବେଳେ ହଟ୍ଟହଟା ହେଲା BDA, ମହିଳା ଗୋଷ୍ଠୀ ଦେଲେ ସାମୂହିକ ଆତ୍ମହତ୍ୟା ଧମକ

SHG Group

ଭୁବନେଶ୍ୱର: ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ହଟହଟା ହେବାକୁ ପଡିଛି ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡକୁ । ମହିଳା ସ୍ୱୟଂସହାୟିକା ଗୋଷ୍ଠି ସଦସ୍ୟାଙ୍କ ପ୍ରତିବାଦ ଓ ଆତ୍ମହତ୍ୟା ଧମକ ପରେ ପଛଘୁଞ୍ଚା ଦେଇଛି ବିଡିଏ । ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଲାଗି ରହିଥିଲା ଚାପା ଉତ୍ତେଜନା । ବଡ଼ଗଡ଼ ବ୍ରିଟ୍ କଲୋନୀର ଏହି ଦୃଶ୍ୟ ସମଗ୍ର ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

 ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍ କଲୋନୀରେ ସାଇ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ଦଖଲରେ ସରକାରୀ ଜମି । ଦୀର୍ଘ ଦିନ ଧରି ଏହି ଜମିରେ ନିଜ କାର୍ଯ୍ୟାଳୟ କରି ସମ୍ପୃକ୍ତ ଅଞ୍ଚଳର ବହୁ ମହିଳା ସ୍ୱାବଲମ୍ବୀ ହୋଇଆସୁଥିଲେ । ଜବରଦଖଲ ଉଚ୍ଛେଦ କରିବାକୁ ଘଟଣାସ୍ଥଳରେ ପୋଲିସ ସହ ପହଁଞ୍ଚିଥିଲା ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ । ଡାକବାଜି ଯନ୍ତ୍ର ଯୋଗେ ଅଞ୍ଚଳ ଖାଲି କରିବାକୁ ଘୋଷଣା କରାଯାଇଥିଲା । ତେବେ ହଠାତ୍ ସାଇ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠିର କାର୍ଯ୍ୟାଳୟକୁ ଉଚ୍ଛେଦ କରିବା ପାଇଁ ବିଡିଏର ଉଦ୍ୟମକୁ ତୀବ୍ର ବିରୋଧ କରିଥିଲେ ମହିଳା । କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରି ଉଚ୍ଛେଦକୁ ବିରୋଧ କରିଥିଲେ । ଏପରିକି ନିଜେ ପ୍ରସ୍ତୁତ କରିଥିବା ଫିନାଇଲ ବୋତଲ ଧରି ସାମୁହିକ ଆତ୍ମାହତ୍ୟା ଧମକ ମଧ୍ୟ ଦେବାକୁ ପଛାଇ ନଥିଲେ ମହିଳା ଗୋଷ୍ଠୀ । ଫଳରେ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପୂର୍ବରୁ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ତଥାପି ପୁଣି ସେଠାରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ଯାହାକୁ ଉଚ୍ଛେଦ ପାଇଁ ଆସିଥିବାବେଳେ ଏନ୍‌ଫୋର୍ସମେଣ୍ଟ ଟିମକୁ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି । ବର୍ତ୍ତମାନ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇ ଥିଲେ ସୁଦ୍ଧା ଆଗକୁ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ।

Leave a Reply