‘କଙ୍ଗନାଙ୍କୁ ସାକ୍ଷାତ ପାଇଁ ରାଜ୍ୟପାଳଙ୍କ ସମୟ ଅଛି, କୃଷକଙ୍କ ପାଇଁ ନାହିଁ’

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ହଟଚମଟ । ଦିଲ୍ଲୀ ପରେ ମୁମ୍ବାଇରେ କୃଷି ଆଇନକୁ ବିରୋଧ କରି ଅଡି ବସିଛନ୍ତି ଚାଷୀ ନେତା । ତିନିଟୋ କୃଷି ଆଇନକୁ ଖାରଜ କରିବା ଦାବିରେ ସ୍ୱର ଉଠାଇଛନ୍ତି ଚାଷୀ । ମୁମ୍ବାଇର ଆଜାଦ ମୈଦାନରେ ହଜାର ହଜାର ସଂଖ୍ୟାରେ କୃଷକ ଏକଜୁଟ ହେବାରେ ଲାଗିଛନ୍ତି । ଯେଉଁଥିରେ ଯୋଗଦେଇଛନ୍ତି ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାର ।

ଏହି ପ୍ରତିବାଦ ସଭାରେ ଶରଦ ପାୱାର ଯୋଗଦେବା ସହ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଉପରେ ଗର୍ଜିଛନ୍ତି । ସରକାର ବହୁ ମତରେ ବିଲ ପାରିତ କରିଛନ୍ତି । କିନ୍ତୁ କୃଷି ଆଇନ କୃଷକଙ୍କ ବିରୋଧରେ ହିଁ ହୋଇଛି । କୃଷି ଏବଂ କୃଷକଙ୍କୁ ହତ୍ୟା କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଶରଦ ।

ସେହିପରି ଏନସିପି ମୁଖ୍ୟ କହିଛନ୍ତି, ମହାରାଷ୍ଟ୍ରର ରାଜ୍ୟପାଳ ଅଭିନେତ୍ରୀ କଙ୍ଗନା ରଣୱାତଙ୍କୁ ଦେଖା କରିବାକୁ ସମୟ ପାଉଛନ୍ତି, କିନ୍ତୁ ଚାଷୀଙ୍କ ଦାବି ଶୁଣିବାକୁ ସମୟ ପାଉ ନାହାଁନ୍ତି । ଏହି ପ୍ରତିବାଦ ଶୋଭାଯାତ୍ରା ମାଧ୍ୟମରେ ଆଜାଦ ମୈଦାନରୁ ରାଜଭବନ ପର୍ଯ୍ୟନ୍ତ ଯିବାର ଥିଲା । କିନ୍ତୁ ଚାଷୀ ଏଥିପ୍ରତି ନାରାଜ ଅଛନ୍ତି । ପ୍ରତିନିଧି ମଣ୍ଡଳୀ ହିଁ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ଶରଦ ପାୱାର ।

Leave a Reply