Coronavirus Vaccine: ଟିକାକୁ ନେଇ ମୁହାଁମୁହିଁ ହେଲେ ସିରମ୍ ଓ ଭାରତ ବାୟୋଟେକ୍ ମୁଖ୍ୟ

ଭାରତରେ କରୋନା ଭାଇରସର ଦୁଇଟି ଟିକାକୁ ମଂଜୁରୀ ମିଳିଛି । ଗୋଟିଏ ହେଉଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଅନ୍ୟଟି ଭାରତ ବାୟୋଟେକର କୋଭିସିଲ୍ଡ । ତେବେ ଏବେ ଦୁଇ କଂପାନୀର ମାଲିକ ଟିକାକୁ ନେଇ ପରସ୍ପର ବିରୋଧରେ ବୟାନ ଦେବା ଆରମ୍ଭ କରିଛନ୍ତି । ସିରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କୋଭାକ୍ସିନକୁ ଅନୁମତି ଦିଆଯିବାକୁ ବିରୋଧ କରିଥିଲେ । ଏବେ ଭାରତ ବାୟୋଟେକର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ କୃଷ୍ଣା ଏଲା ପାଲଟା ଆକ୍ରମଣ କରିଛନ୍ତି ।

କୃଷ୍ଣା ଏଲା ନିଜ ବୟାନରେ କହିଛନ୍ତି ଯେ, ଆମେ ଏଭଳି ପ୍ରତିକ୍ରିୟାର ଆଶା କରିନିଥିଲୁ । ଭ୍ୟାକ୍ସିନକୁ ନେଇ ରାଜନୀତି ନକରିବାକୁ ସେ ଅନୁରୋଧ କରିଛନ୍ତି ।ପୁନାୱାଲାଙ୍କ ନାମ ନନେଇ ସେ କହିଛନ୍ତି ଯେ, ‘‘ ଆମେ ୨ଶହ ପ୍ରତିଶତ ବିଶ୍ୱସନୀୟ କ୍ଲିନିକାଲ ଟ୍ରାଏଲ କରୁ ଓ ଏହାପରେ ଆମକୁ ଏଭଳି ପ୍ରତିକ୍ରିୟା ମିଳିଥାଏ । ଯଦି ମୁଁ ଭୁଲ ତେବେ ମୋତେ କୁହନ୍ତୁ । କିଛି କଂପାନୀ ଆମ ଭ୍ୟାକ୍ସିନକୁ ପାଣି ଭଳି କହୁଛନ୍ତି । ମୁଁ ଏହାକୁ ଖଣ୍ଡନ କରୁଛି। ଆମେ ବୈଜ୍ଞାନିକ।’’

ସୂଚନାଯୋଗ୍ୟ ଯେ, ରବିବାର ଦିନ ଏକ ଟିଭିକୁ ଦେଇଥିବା ସାକ୍ଷାତକାରରେ ଆଦର ପୁନାୱାଲା କହିଥିଲେ ଯେ, କେବଳ ଫାଇଜର,ମଡର୍ଣ୍ଣ ଓ ଅକ୍ସଫୋର୍ଡ ଟିକାର ବିଶ୍ୱସନୀୟତା ପ୍ରମାଣିତ ହୋଇଛି ଓ ବାକି ସବୁ ଭ୍ୟାକ୍ସିନ୍ ପାଣି ଭଳି ସୁରକ୍ଷିତ।

ଏଲା କହିଛନ୍ତି ଯେ, ଆମେରିକା ଓ ୟୁରୋପ ଅକ୍ସଫୋର୍ଡ ଟିକାର ଟ୍ରାଏଲ ଡାଟା ନେବାକୁ ମନା କରିଦେଇଥିଲେ । କାରଣ ଏହି ଡାଟାରେ ପାରଦର୍ଶିତା ନଥିଲା । କିନ୍ତୁ କେହି ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇ ନଥିଲେ । ଏଲାଙ୍କ ଅଭିଯୋଗ ଯେ, ଟିକା ଟ୍ରାଏଲ ପୂର୍ବରୁ ଅକ୍ସଫୋର୍ଡ ଭଲ୍ୟୁଣ୍ଟରଙ୍କୁ ପାରାସିଟାମଲ ଟାବଲେଟ୍ ଖାଇବାକୁ ଦେଇଥିଲା । ଯଦି ତାଙ୍କ କମ୍ପାନୀ ଭାରତରେ ଏଭଳି କରିଥାନ୍ତା ତେବେ ରେଗୁଲଟର୍ସ ଟ୍ରାଏଲକୁ ବନ୍ଦ କରିଦେଇଥାନ୍ତା ।
ଏଲା କହିଛନ୍ତି ଯେ, ଆମେ ଭଲ୍ୟୁଣ୍ଟର୍ସଙ୍କୁ ପାରାସିଟାମଲ ଦେଇନଥିଲୁ,ତେଣୁ ଭଲ କିମ୍ବା ଖରାପ ଯାହା ମଧ୍ୟ ପ୍ରତିକ୍ରିୟା ଆସିଲା ତାକୁ ୧୦୦ ପ୍ରତିଶତ ସେହି ଭଳି ନିଆଯାଇଛି । ଏହି ରିଆକ୍ସନକୁ ରିୟଲ ଟାଇମରେ କ୍ୟାପଚର କରାଯାଇଥିଲା ।

ଏଲା ମଧ୍ୟ ଏମସ ମୁଖ୍ୟ ରଣଦୀପ ଗୁଲେରିଆଙ୍କ ବୟାନକୁ ନେଇ ଆପତ୍ତି କରିଛନ୍ତି । ଗୁଲେରିଆ କୋଭାକ୍ସିନର ବ୍ୟବହାର ଅନ୍ୟ ଭ୍ୟକ୍ସିନର ବ୍ୟାକଅପ୍ ଭାବେ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ଏଲା କହିଛନ୍ତି ଯେ,ଏହା ଗୋଟିଏ ଟିକା,ବ୍ୟାକଅପ୍ ନୁହେଁ । ଏଭଳି ବୟାନ ଦେବା ପୂର୍ବରୁ ଲୋକଙ୍କୁ ନିଜ ଦାୟିତ୍ୱ ବାବଦରେ ସଚେତନ ହେବାକୁ ପଡ଼ିବ ।

ଏଲା କହିଛନ୍ତି ଯେ, ଏକ ଭାରତୀୟ କମ୍ପାନୀ ଭାବେ ଭାରତ ବାୟୋଟେକ୍ ଏଷ୍ଟ୍ରାଜେନେକା କିମ୍ବା ଫାଇଜର ଭଳି ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ତୁଳନାରେ ବିନା କୌଣସି ବ୍ୟାକଅପରେ ଏକୁଟିଆ ସଂଘର୍ଷ କରୁଛି । ଆମ ସବୁ ଡାଟାକୁ ପାରଦର୍ଶୀ ଭାବେ ରଖୁ । ଆମେ ସବୁ ସମିତି ସାମନାରେ ଏହି ଡାଟାକୁ ରଖିଥିଲୁ ,ଯାହା ପରେ ଆମକୁ ଅନୁମତି ମିଳିଛି ।

Leave a Reply