ଭୁବନେଶ୍ୱର ଆସିଲା ହାଇ ରିସ୍କ ସେରୋ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱରରେ ହାଇ ରିସ୍କ ସେରୋ ସର୍ଭେ ରିପୋର୍ଟ ଆସିସାରିଛି । ହାଇରିସ୍କ ଗ୍ରୁପର ସେରୋ ସର୍ଭେ ମଧ୍ୟ କମ୍ୟୁନିଟି ଗ୍ରୁପ ସହ ସମାନ ରହିଛି । ପ୍ରାଥମିକ ରିପୋର୍ଟ ଏବଂ କମ୍ୟୁନିଟି ସହ ଏହା ସମାନ ଅଛି । ଶହେରେ ୧.୪ ପ୍ରତିଶତ ଲୋକଙ୍କ ଭିତରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି । ଜୁନ ମାସରେ ହୋଇଥିବା ସଂକ୍ରମଣକୁ ନେଇ କରାଯାଇଥିଲା ଏହି ପରୀକ୍ଷା ।

ଜୁଲାଇ ସଂକ୍ରମଣ ଜାଣିବା ପାଇଁ ଭୁବନେଶ୍ୱରରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଉଭୟ ହାଇ ରିସ୍କ ଓ କମ୍ୟୁନିଟି ଗ୍ରୁପକୁ ଟାର୍ଗେଟ କରାଯାଇଛି । ଆଜିଠାରୁ ଗଞ୍ଜାମରେ ଆରମ୍ଭ ହେଉଛି ସେରୋ ସର୍ଭେ । ୨୫ ଶହ ସାମ୍ପୁଲକୁ ନେଇ ହେବ ସର୍ଭେ । ୧୫ ଶହ କମ୍ୟୁନିଟି ହଜାରେ ହାଇ ରିସ୍କ ସାମ୍ପୁଲ କଲେକ୍ସନ କରି କରାଯିବ ସର୍ଭେ । ଖୁବଶୀଘ୍ର କଟକ ଜିଲ୍ଲାର ବଡମ୍ବା ଓ ନରସିଂପୁରରେ ହେବ ସେରୋଲୋଜି ସର୍ଭେ ।

ଅନ୍ୟପଟେ କରୋନା ସଂକ୍ରମଣ ଭୟ ଏବେ ନିଦ ଉଡ଼ାଇଛି । ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଶନିବାରରେ ୧୩୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୮୪ ଜଣ ସଂକ୍ରମିତ । ଏଥିମଧ୍ୟରୁ ୮୭୩ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୫୧୧ ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସେପଟେ ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଆଜି କରୋନାରେ ମୃତକଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି ହୋଇଛି ।  ବର୍ତ୍ତମାନ ସୁଦ୍ଧା ୨୧ ହଜାର ୯୫୪ ସୁସ୍ଥ ହୋଇଥିବା ବେଳେ ୧୪ ହଜାର ୦୯୫ଟି ସକ୍ରିୟ ମାମଲା ରହିଛି ।

Leave a Reply