ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର: କରୋନା କବଳରେ ରାଜ୍ୟର ଆଉ ଜଣେ ବିଧାୟକ । ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା ହୋଇଛି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି ନିଜେ ବିଧାୟକ । ସୋସିଆଲ୍ ମିଡିଆରେ ସେ ଏନେଇ ସୂଚନା ଦେଇଛନ୍ତି । ଗତକାଲି ବିଧାୟକଙ୍କ ଡ୍ରାଇଭର କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । ତା’ପରଠାରୁ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ଆଇସୋଲେସନରେ ଥିଲେ ।

ଆଜି ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଅନ୍ୟ କର୍ମଚାରୀ ଓ ପରିବାର ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ବିଧାୟକ ଏବେ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ବର୍ତ୍ତମାନ ବିଧାୟକଙ୍କ ଠାରେ କରୋନାର କୌଣସି ବାହ୍ୟ ଲକ୍ଷଣ ନାହିଁ । ତାପମାତ୍ରା, ଅକ୍ସିଜେନ୍ ଲିଭେଲ ଠିକ୍ ରହିଛି । ତେବେ, ସେ ପୂର୍ବରୁ ଡାଏବେଟିସରେ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଥିବା ସୂଚନା ଦେଇଛନ୍ତି ।

ମୋଟାମୋଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ବିଧାୟକ ସୂଚନା ଦେଇଛନ୍ତି । ବିଧାୟକ ଏବେ ଜରୁରୀ କାମକୁ ଟେଲିଫୋନ କନଫେରେନ୍ସ ଜରିଆରେ କରୁଛନ୍ତି । ଏବଂ ଏବେ କିଛିଦିନ ପାଇଁ ଛୋଟକଥାରେ ଯୋଗାଯୋଗ ନ କରିବାକୁ ସେ ଅନୁରୋଧ କରୁଛନ୍ତି । ଏହା ପୂର୍ବରୁ ସାଲେପୁର ବିଧାୟକ, ନୀଳଗିରି ବିଧାୟକ, ଖଣ୍ଡପଡ଼ା ବିଧାୟକ କରୋନାରେ ସଂକ୍ରମିତ ହୋଇଥିଲେ ।

Leave a Reply