ମହାରାଷ୍ଟ୍ରରେ ଶିବସେନାର କଳେବର ବୃଦ୍ଧି, ଆଶାଠାରୁ ଭଲ କରିଛି ଏନସିପି

1 min read

ହରିୟାଣା ପରେ ଏବେ ମହାରାଷ୍ଟ୍ରରେ ମଧ୍ୟ ବିଜେପିକୁ ଏକକ ବହୁମତ ମିଳୁନାହିଁ । ଶିବସେନା ସହ ମେଣ୍ଟରେ ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି । କିନ୍ତୁ ପୂର୍ବଭଳି ଏଥର ସେନା ଆଉ ବିଜେପିକୁ ସହଜରେ ସମର୍ଥନ ଦେବାଭଳି ମନେହେଉନି । ତାର କାରଣ ହେଲା ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ମନ୍ତବ୍ୟ । ୨୦୧୪ରେ ଯେଉଁ ବିଜେପି ୧୨୨ ଆସନରେ ବିଜୟଲାଭ କରିଥିଲା ଏଥର ବିଧାନସଭା ଆସନରେ ଦଳ ୧୦୦ ଛୁଇଁବା କଷ୍ଟକର ହେଉଛି । ବିଶେଷକରି ଫଡନବୀସ ସରକାରପ୍ରତି ଥିବା ଆଣ୍ଟି ଇନକମ୍ବାସିର ଏହା ଫଳ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ଏଭଳି ସ୍ଥିତିରେ ୨୦୧୪ରେ ୨୮୮ ଆସନରେ ପ୍ରାର୍ଥୀ ଦେଇ ମାତ୍ର ୬୩ ଆସନରେ ଜିତିଥିବା ଶିବସେନା ଏଥର ମାତ୍ର ୧୨୬ ଆସନରେ ପ୍ରାର୍ଥୀ ଦେଇ ୬୪ରୁ ଅଧିକ ଆସନ ଅକ୍ତିଆର କରିବାକୁ ଯାଉଛି । ସେନାର ଶକ୍ତି ବୃଦ୍ଧି ଏବଂ ଆଦିତ୍ୟ ଠାକରେଙ୍କ ଲୋକପ୍ରିୟତାକୁ ପାଥେୟ କରି ଏଥର ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଶିବସେନା ବହୁ ସର୍ତ୍ତ ରଖିପାରେ  । ସେଥିରେ ୫୦-୫୦ ଫର୍ମୁଲାକୁ ଦଳ ଅଧିକ ଗୁରୁତ୍ୱ ଦେବ ବୋଲି ଏବେଠାରୁ କହିସାରିଲାଣି ।

ତାହା ହେଲେ ଶାସନ ଗାଦିରେ ଅଢେଇ ବର୍ଷ ପାଇଁ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବସିବେ ଏବଂ ଆଉ ଅଢେଇବର୍ଷ ପାଇଁ ଶିବସେନାର ଜଣେ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବେ । ସେନା ପକ୍ଷରୁ ଏ ବାର୍ତ୍ତା ଦିଲ୍ଲୀ ଦରବାରକୁ ସ୍ପଷ୍ଟଭାବେ କୁହାଯାଇସାରିଛି । ଯଦି ସେଭଳି କିଛି ହୁଏ ତେବେ ପୁରା ବିଜେପି କବଜାରେ ଥିବା ମହାରାଷ୍ଟ୍ରରେ ଦଳର ଆଉ ସେଭଳି ଦବଦହା ରହିନପାରେ । ବିଜେପିର ୨୦ରୁ ୨୫ ସିଟ୍ ଖସିବା ପରୋକ୍ଷରେ ଏନସିପିକୁ ସହାୟତା କରିଥିବା ଚର୍ଚ୍ଚା ହେଉଛି । କାରଣ ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ମେଣ୍ଟ ଶହେ ଧରିବ ବୋଲି କେହି ଆଶାକରିନଥିଲେ । ଏଭଳି ସ୍ଥିତିରେ ଏନସିପିର ପ୍ରଦର୍ଶନ ଜବରଦସ୍ତ ରହିଛି । ପୁଣିଥରେ ସେନା ସରକାର ଗଠନ ପାଇଁ ଆଉ କଣ କଣ ସର୍ତ୍ତ ରଖୁଛି ତାକୁ ହିଁ ଅପେକ୍ଷା କରିଛନ୍ତି ରାଜନୀତିକ ବିଶ୍ଳେଷକ । ')}

Leave a Reply