ଦିବ୍ୟାଙ୍ଗ ହେଲେବି ସ୍ୱାବଲମ୍ୱି: ଧୂପକାଠି, ଝୁଣା ଓ ରଙ୍ଗ ବେରଙ୍ଗର ମହମବତୀ କରୁଛନ୍ତି ତିଆରି

ସାଲେପୁର: ଦିବ୍ୟାଙ୍ଗ ହେଲେବି ସ୍ୱାବଲମ୍ୱି । ନିଜର କିଛି କରିବାର ଇଚ୍ଛା ଶକ୍ତି, ତାଙ୍କୁ ଆଜି ଦେଇଛି ପରିଚୟ  । ମାତ୍ର ୨୫ ବର୍ଷ ବୟସରୁ ଦିବ୍ୟାଙ୍ଗ ପାଲଟିଥିବା ସୁଲୋଚନା ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଉଦାହରଣ  । ନିଜେ ଛୋଟିଆ ବ୍ୟବସାୟ କରି ରୋଜଗାରକ୍ଷମ ହେବା ସହ ଅନ୍ୟକୁ ଦେଖାଇଛନ୍ତି ସାମର୍ଥ୍ୟର ରାସ୍ତା  ।

ଏ ହେଉଛନ୍ତି ଦିବ୍ୟାଙ୍ଗ ସୁଲୋଚନା  । ମାତ୍ର ୨୫ ବର୍ଷ ବୟସରେ ଶରୀରରେ ଦେଖାଦେଇଥିଲା କିଛି ଅସୁସ୍ଥତା । କିଛି ଦିନ ପରେ ରୋଗରୁ ସିନା ଆରୋଗ୍ୟ ହୋଇଗଲେ, କିନ୍ତୁ ଶରୀରର କିଛି ଅଂଶ ଅଚଳ ହୋଇଗଲା । ହଲେ ସେଥିରେ ଭାଙ୍ଗି ପଡ଼ିନଥିଲେ ସୁଲୋଚନା । ନିଜର ଦିବ୍ୟାଙ୍ଗ ଭିତରେ ବି ଜାରି ରଖିଥିଲେ ନିଜେ ବଞ୍ଚିବା ଓ କିଛି କରିଦେଖାଇବାର ସଂଘର୍ଷ  । ଯାହା କି ତାଙ୍କୁ ଆଜି ଦେଇଛି ପରିଚୟ  ।

୧୯୯୯ ମହାବାତ୍ୟା ପରେ ପରେ ଆରମ୍ଭ କରିଥିଲେ ଏକ ଧୂପକାଠି ସଂସ୍ଥା  । ଯାହାର ନାମ ରଖିଥିଲେ ଶ୍ରୀରାମ ଦର୍ଶନ ଧୂପକାଠି  । ଯେଉଁଥିରେ ନିଜର ପରିବାର ଚଳାଇବା ସହ ଅନ୍ୟମାନଙ୍କୁ କରିଥିଲେ ସ୍ୱାବଲମ୍ୱି  ।  ଖାଲି ଧୂପକାଠି ନୁହଁ ଝୁଣା, ରଙ୍ଗ ବେରଙ୍ଗର ମହମବତୀ ଭଳି ବିଭିନ୍ନ ଦ୍ରବ୍ୟ ତିଆରି କରନ୍ତି ସୁଲୋଚନା ଓ ତାଙ୍କ ସାଥୀ ମାନେ। ହେଲେ ଦୀର୍ଘ ଦିନରୁ ଚାଲି ଆସିଥିବା ସଂସ୍ଥାକୁ ଏଯାଏଁ ମିଳିନି କୌଣସି ସରକାରୀ ସୁବିଧା  । ଯଦି ପ୍ରଶାସନ କିଛି ସରକାରୀ ସୁବିଧା ଯୋଗାଇ ଦିଅନ୍ତା ତାହେଲେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ସୁଲୋଚନାଙ୍କ ସହକର୍ମୀ ।

Leave a Reply