ସୋମବାର ଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ

1 min read

ନୂଆଦିଲ୍ଲୀ: ସୋମବାର ଆରମ୍ଭ ହେବ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ । ସମସ୍ତ କୋଭିଡ୍‌-୧୯ କଟକଣା ସହ ସଂସଦର ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବ । ଏ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚିତ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା ଚାଲିବ। ଏପ୍ରିଲ୍‌ ୮ ତାରିଖ ଦିନ ଏହି ଅଧିବେଶନର ଦ୍ୱିତୀୟ ଭାଗ ଶେଷ ହେବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଜାନୁଆରି ୨୯ରେ ଆରମ୍ଭ ହୋଇଥିବା ସଂସଦର ବଜେଟ୍‌ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖ ଦିନ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଥିଲେ। ଦୁଇ ଭାଗ କରାଯାଇଥିବା ସଂସଦର ଏହି ବଜେଟ୍‌ ଅଧିବେଶନର ପ୍ରଥମ ଭାଗ ୯୯.୫% ଫଳପ୍ରଦ ହୋଇଥିବା କଥା ବାଚସ୍ପତି ବିର୍ଲା ସୂଚନା ଦେଇଛନ୍ତି। ୫୦ ଘଣ୍ଟା ଧାର୍ଯ୍ୟ କରାଯାଇଥିବା ୨୦୨୧ ବଜେଟ୍‌ ଅଧିବେଶନରେ ଲୋକସଭା ୪୯ ଘଣ୍ଟା ୧୭ ମିନିଟ୍‌ ଚାଲିଥିଲା ବୋଲି ସେ କହିଛନ୍ତି।

Leave a Reply