ଏନଡିଏ ହେଉ କି ଆରଜେଡି ପ୍ଲସ୍, ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧା ଭାଗବଣ୍ଟା

ପାଟନା :  ବିହାର ବିଧାନସଭା ତାରିଖ ଘୋଷଣା ହୋଇସାରିଛି । ହେଲେ ରାଜ୍ୟରେ ଥିବା ଅଧଡର୍ଜନ ପ୍ରମୁଖ ରାଜନୈତିକ ଦଳ କେତେ ଆସନରେ ଲଢିବେ, ତାହା ସ୍ଥିର ହୋଇନାହିଁ । ଶାସନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ହେଉ କି ବିରୋଧୀ ଦଳର ମହାଗଠବନ୍ଧନ । ସବୁଠି ଆସ ଭାଗବଣ୍ଟାକୁ ନେଇ ଛକାପଞ୍ଝା ଜାରି ରହିଛି । କେତେକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ ମଧ୍ୟରେ ଏନଡିଏ ପ୍ରାଥମିକ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ହେଲେ ବର୍ତ୍ତମାନ ରାଜନୈତିକ ସ୍ଥିତି ସେପରି ନ ଥିବା ମନେ ହେଉଛି ।

Bihar Assembly Election With Out Lalu Prasad Yadav

ନୀତିଶଙ୍କୁ ଅଡୁଆରେ ପକାଇବାକୁ ଚାହାନ୍ତି ଚିରାଗ

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁର ରାଜନୈତିକ ପ୍ରଭାବକୁ ହ୍ରାସ କରିବା ପାଇଁ ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି(ଏଲଜେପି) ଚାହିଁ ବସିଛି । ସେଥିପାଇଁ ଦଳ ପକ୍ଷରୁ ୨୦୧୫ ମସିହା ଆଧାରରେ ୪୨ ସିଟରେ ଲଢିବାକୁ ଇଚ୍ଛା ପ୍ରକାଶ କରୁଛି । ହେଲେ ଏନଡିଏରେ ଜେଡିୟୁ ଏଲଜେପିକୁ ଏତେସଂଖ୍ୟକ ଆସନ ଦେବା ସପକ୍ଷରେ ନାହିଁ । ତେଣୁ ଏଲଜେପି ଏକା ଲଢିବା ପାଇଁ ମଧ୍ୟ ଚିନ୍ତା କରୁଛି । ଏଥିପାଇଁ କୁଆଡେ ବିଜେପିର ଗୋଟିଏ ଗୋଷ୍ଠୀ ଚିରାଗ ପାଶୱାନଙ୍କୁ ପ୍ରବର୍ତ୍ତାଉଛନ୍ତି । ଅନୁସୂଚିତ ଜାତି ଏବଂ ସବର୍ଣ୍ଣଙ୍କୁ ପ୍ରାର୍ଥୀ କରି ଜେଡିୟୁ ସଂଖ୍ୟା ହ୍ରାସ କରିବାକୁ ଚାହୁଁଛି । ହେଲେ ସାରା ରାଜ୍ୟରେ ଦଳପାଇଁ ପ୍ରଚାର କରିବାକୁ ଚିରାଗଙ୍କ ଆତ୍ମବିଶ୍ୱାସ ନ ଥିବା ପରି ମନେ ହେଉଛି । କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ମଧ୍ୟ ଅସୁସ୍ଥ ରହିଛନ୍ତି । ତେଣୁ ଏକାକୀ ଲଢିବା ଚିରାଗଙ୍କ ପାଇଁ ଏତେ ସହଜ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଆଜି ରାତିରେ ଭାଜପା ନେତା ଭୁପେନ୍ଦ୍ର ଯାଦବଙ୍କ ସହ ଚିରାଗ ପାଶୱାନ ଆଲୋଚନା କରିବେ । ତେଣୁ ଚିରାଗ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ତାହା ଏହି ବୈଠକ ପରେ ଜଣାପଡ଼ିବ ବୋଲି ଆଶା କରାଯାଉଛି ।

ନଛୋଡବନ୍ଧା ନୀତିଶ

ବାରମ୍ବାର ସାଥୀ ସହଯୋଗୀ ବଦଳାଇଥିବା ନୀତିଶଙ୍କୁ ଲାଲୁ ଯାଦବ ପଲ୍ଟୁରାମ ବୋଲି କହିଥାଆନ୍ତି । ଏତେ ସବୁ ରାଜ୍ୟସ୍ତରୀୟ ସବୁ ଦଳର ନେତାମାନଙ୍କ ମଧ୍ୟରେ ସେ ଲୋକପ୍ରିୟ  । ତେଣୁ ୨୦୦୫ରେ ସେ ରହିଥିବା ଅଂଶୀଦାର ହିଁ କ୍ଷମତାରେ ରହିଆସିଛି । ତେଣୁ ତାଙ୍କୁ ବିଜେପି ଏତେଟା ଉପେକ୍ଷା କରି ନ ପାରେ । ମାତ୍ର ବିଜେପି ମଧ୍ୟ ନୀତିଶଙ୍କ ଉପରେ ଅଙ୍କୁଶ ଲଗାଇବା ସହ ନିଜର ଆସନ ବୃଦ୍ଧି କରିବାକୁ ଚାହୁଁଛି । ଭାଜପା ଏଲଜେପି, ଉପେନ୍ଦ୍ର କୁଶୱା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ଏନଡିଏକୁ ଆଣିବାକୁ ଚାହୁଁଛନ୍ତି । ହେଲେ ନୀତିଶ କେବଳ ଜିତନରାମ ମାଝୀଙ୍କୁ ନେବା ସପକ୍ଷରେ ଅଛନ୍ତି । ତେଣୁ ଜେଡିୟୁ ନିଜ ଆସନରୁ ଭାଜପାର ନିକଟସ୍ଥ ଅଂଶୀଦାରଙ୍କୁ ଦେବାକୁ ଚାହିଁବ ନାହିଁ । ନୀତିଶ କେବଳ ଜୀତନ ରାମ ମାଝୀଙ୍କୁ ହାତଗଣତି ସିଟ ଲଢିବାକୁ ଦେବେ ବୋଲି ସ୍ପଷ୍ଟ ହୋଇଛି । ୨୦୧୦ର ଫର୍ମୁଲା ଅନୁଯାୟୀ ନୀତିଶ ଏକାକୀ ୧୪୧ ଆସନରେ ଲଢିବା ପାଇଁ ଚାହୁଁଛନ୍ତି । ହେଲେ ବିଜେପି ଏଥିରେ ରାଜି ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

ବିରୋଧୀ ମେଣ୍ଟରେ ବି ସମଦଶା

ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି),କଂଗ୍ରେସ,ଏନସିପି ଏବଂ ବାମମେଣ୍ଟକୁ ନେଇ ଗଠିତ ହେବାକୁ ମହାଗଠବନ୍ଧନରେ ଆସନ ଭାଗବଣ୍ଟା ଅଛିଣ୍ଡା ରହିଛି । ଉପେନ୍ଦ୍ର କୁଶୱା ଏହି ମେଣ୍ଟ ଛାଡୁଥିବା ଜଣାପଡିଛି । କେତେକ ସୂଚନା ଅନୁଯାୟୀ କଂଗ୍ରେସକୁ ୫୮ ବିଧାନସଭା ଏବଂ ବାଲ୍ମିକୀନଗର ଲୋକ ସଭା ଆସନ ଦେବାକୁ ଚାହୁଁଛି । ହେଲେ କଂଗ୍ରେସ ଏକାକୀ ୭୦ ଆସନ ଲଢିବାକୁ ଚାହୁଁଥିବା ଜଣାପଡିଛି । ସେହିପରି ବାମଦଳକୁ କେତୋଟି ଆସନ ଦିଆଯିବ, ତାହା ମଧ୍ୟ ଜଣାପଡିନାହିଁ । କେତେକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କଂଗ୍ରେସ ସ୍କ୍ରିନିଂ କମିଟି ମୁଖ୍ୟ ଅବିନାଶ ପାଣ୍ଡେ ୨୪୩ ଜଣିଆ ଏକ ପ୍ରାର୍ଥୀତାଲିକା ନେଇ ନୂଆଦିଲ୍ଲୀ ଫେରିଛନ୍ତି । ଯାହା ବିରୋଧୀଙ୍କୁ ଅଧିକ ଚିନ୍ତାରେ ପକାଇଛି । ତେଣୁ ବିରୋଧୀଙ୍କ ମଧ୍ୟରେ ସହମତି ଆସୁଛି ନା ନାହିଁ, ତାହା ଉପରେ ମଧ୍ୟ ନଜର ରହିବ ।

Leave a Reply