ଅସ୍ତରଙ୍ଗ ବେଳାଭୂମିରେ ଅଜବ ବାକ୍ସ, ନାବିକଙ୍କ ପାଇଁ ବିପଦର ବନ୍ଧୁ

କୋଣାର୍କ: କୈାତୁହଳର ଲହଡ଼ିରେ ଭାସି ଆସୁଛି କଳଙ୍ଗୀ ଲଗା ବାକ୍ସ। ଯେତେ ପାଖକୁ ଆସୁଛି ସେତେ ଆତଙ୍କ ତିଆରି କରୁଛି। ଅସ୍ତରଙ୍ଗ ବେଳାଭୂମିରେ ହୁରି ପଡିଛି । କିଏ ଡରୁଛି, କିଏ ଡାକ ପାରୁଛି । ଡଙ୍ଗା ଓ ଜାହଜକୁ ଦେଖି ଦେଖି ବଡ଼ ହୋଇଥିବା ମତ୍ସ୍ୟଜୀବୀଙ୍କୁ ବି ନୂଆ ନୂଆ ଲାଗୁଛି ଏହି ଅପରିଚିତ ବାକ୍ସ । ଶେଷରେ ପୋଲିସ୍‌ ପହଞ୍ଚି ପରିଚୟ ଓ ଠିକଣା ଖୋଜିଛି । ବିସ୍ମୟ ସୃଷ୍ଟି କରିଥିବା ଏ ବାକ୍ସ ହେଉଛି ସମୁଦ୍ରପଥରେ ବିପଦର ବନ୍ଧୁ ।

ଇଂରାଜୀ ଏହାକୁ କହନ୍ତି ସି ମାର୍କର୍‌ । ସ୍ଥାନୀୟ ଭାଷାରେ ଏହାକୁ ବଇଁଆ ବୋଲି ମଧ୍ୟ ଡକା ଯାଏ । ସାଧାରଣତଃ ବନ୍ଦର ନିକଟସ୍ଥ ସମୁଦ୍ର ଭିତରେ ଏହାକୁ ଲଙ୍ଗର୍‌ ପକାଇ ସ୍ଥାପନ କରାଯାଇଥାଏ । ଉପରେ ଲାଗିଥାଏ ସୋଲାର୍‌ ଲାଇଟ୍‌ । ଯାହା ସମୁଦ୍ରରେ ଯାତାୟତ କରୁଥିବା ଜାହାଜଙ୍କୁ ଦେଖାଇ ଥାଏ ରାସ୍ତା । କେଉଁଠି ଢିପ ଅଛି, କେଉଁ ପଥରେ ବିପଦ ଅଛି, ଏସବୁର ସୂଚନା ପାଇଥାଏ ନାବିକ ।

ଏହାକୁ ଏମିତି ତିଆରି କରାଯାଇଥାଏ, ଯେ ଏହା ସବୁବେଳେ ସମୁଦ୍ରରେ ଭାସୁଥାଏ । ଗଭୀର ସମୁଦ୍ରରେ ଲଙ୍ଗର ପକାଇ ଏହାକୁ ରଖା ଯାଇଥାଏ । ଆଶଙ୍କା କରାଯାଉଛି, ଗତ ବାତ୍ୟା ସମୟରେ ଏହା ପାରାଦୀପ ବନ୍ଦର ନିକଟରୁ ଖସି ଆସିଛି। ଏବଂ ବିଭିନ୍ନ ଆଡ଼କୁ ଗତି କରିବା ପରେ ଭାସି ଭାସି ଆସି ଲାଗିଛି ପୁରୀ ଜିଲ୍ଲା ଅସ୍ତରଙ୍ଗର ତଣ୍ଡାହାର  ସମୁଦ୍ରକୂଳରେ।

Leave a Reply