ଅନଲକ ୫.୦ରେ ଖୋଲିବ ସିନେମା ହଲ୍‌ ହେଲେ ବନ୍ଦ ରହି ସ୍କୁଲ, ଅକ୍ଟୋବର ୧୫ ପରେ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଅନଲକ ୫.୦ । ଏନେଇ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ବା ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଲକଡାଉନ ଯୋଗୁଁ ବେଶି ପ୍ରଭାବିତ ହୋଇଛି ସିନେମା ଓ ଥିଏଟର । ଏନେଇ ସବୁ ଫିଲ୍ମ ହଲ୍ ଓ ଥିଏଟର ଖୋଲିବାକୁ ନିଷ୍ଷତ୍ତି ନେଇଛନ୍ତି ସରକାର । ତେବେ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଖୋଲିଲେ ସାମଜିକ ଦୂରତା ରକ୍ଷା କରାଯାଇ ପାରିବ । ସେହିଭଳି ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ଅନୁମତି ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ ଅକ୍ଟୋବର ୧୫ ପରେ ରାଜ୍ୟମାନେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପର୍ଯ୍ୟାୟକ୍ରମେ ଖୋଲିବା ସଂପର୍କରେ ନିଷ୍ପତ୍ତି ନେଇପାରିବେ । ତେବେ ରାଜ୍ୟ ସରକାରମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ।

ଅନ୍ୟପକ୍ଷରେ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ବଜାୟ ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଯେଉଁ ପିଲାମାନେ ସ୍କୁଲ ଯିବାକୁ ଚାହିଁବେ, ସେମାନେ ନିଜ ଅଭିଭାବକଙ୍କ ଲିଖିତ ଅନୁମତି ନେଇ ଯାଇପାରିବେ । କିନ୍ତୁ ସ୍କୁଲ ଓ ଶିକ୍ଷାନୁଷ୍ଠାନମାନେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରିପାରିବେ ନାହିଁ । ଯେଉଁ ସ୍କୁଲମାନେ ଖୋଲିବାକୁ ଚାହିଁବେ ସେମାନେ ନିଜ ରାଜ୍ୟର ଶିକ୍ଷା ବିଭାଗ ଦ୍ୱାରା ଜାରି ଏସଓପି ପାଳନ କରିବାକୁ ବାଧ୍ୟ ହେବେ । ଅନ୍ୟପଟେ କିନ୍ତୁ ଏହି ନୂଆ ଗାଇଡ୍‌ଲାଇନ୍‌ରେ କଣ୍ଟେନମେଣ୍ଟ ଜୋନ୍‌ରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର ।

କଣ୍ଟେନମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାରମାନେ କୌଣସି ପ୍ରକାରର ସ୍ଥାନୀୟ ଲକଡାଉନ୍‌ ଲାଗୁ କରିପାରିବେ ନାହିଁ। ଯଦି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଭିଡ୍‌-୧୯ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍‌ ବାହାରେ କୌଣସି ଅଞ୍ଚଳରେ ସ୍ଥାନୀୟ ଲକ୍‌ଡାଉନ୍‌ ଲଗାଇବାକୁ ଚାହିଁବେ, ତେବେ ସେ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପୂର୍ବରୁ ଜଣାଇ ଏଥିପାଇଁ ଅନୁମତି ଆଣିବେ। ସେହିଭଳି ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନଗୁଡିକ ଚଳାଚଳ ବନ୍ଦ ରହିବ ବୋଲି ଗାଇଡ୍ ଲାଇନ୍ ଜାରି ହୋଇଛି।

Leave a Reply