ସାରୁଅ ଜମି କେଳେଙ୍କାରୀ: ସମାଧାନର ବାଟ  ନବାହାରିବାରୁ ରାଜଭବନ ଆଗରେ ଧାରଣା ଦେଲେ ଠିକା କର୍ମଚାରୀ

ଭୁବନେଶ୍ୱର: ବଢୁଛି ଦିନ, ହେଲେ ଥମୁନି ବିବାଦ । ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ପରେ ସମାଧାନର ବାଟ  ନବାହାରିବାରୁ ଆଜି ରାଜଭବନ ଆଗରେ ଧାରଣା ଦେଇଛନ୍ତି ଠିକା କର୍ମଚାରୀ । ୫ ଦଫା ଦାବିରେ ଆନ୍ଦୋଳନ କରିବା ସହ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ ଆନ୍ଦୋଳନକାରୀ । ୩୩ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଜଣ ଅସୁସ୍ଥ ହୋଇ ମେଡିକାଲେ ଭର୍ତ୍ତି ହୋଇଛନ୍ତି । ମାସିକ ଦରମା ୧୫ ହଜାର, ଇପିଏଫ, ଇଏସଆଇ ଲାଗୁ ଭଳି ବିଭିନ୍ନ ଦାବି ନେଇ ରାଜଭବନ ଆଗରେ ଧାରଣା ଦେଇଛନ୍ତି ସାରୁଆ ଇନ୍‌ଫ୍ରାଟେକ୍‌ ଠିକା କର୍ମଚାରୀ ।

ସୂଚନା ଅନୁସାରେ, ଦଳିତଙ୍କ ଜମି ହଡପ କରି ସେମାନଙ୍କୁ ସାରୁଅ ଷ୍ଟୁଡିଅରେ ଚାକିରି ପ୍ରଦାନର ପ୍ରଲୋଭନ ଦେଖାଯ଼ାଇଥିଲା  । ହେଲେ ଅତି ନଗନ୍ୟ ପାରିଶ୍ରମିକ ଦେଇ କିଛି ଲୋକଙ୍କୁ ଚାକିରି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସମୁଦାୟ ୩୩ ଜଣଙ୍କୁ ଚାକିରିରୁ ବାହାର କାରଯାଇଥିଲା । ଚାକିରିରେ କୌଣସି ସୁବିଧା ପ୍ରଦାନ କରିନଥିଲା ଓଡିଶା ଇନଫ୍ରା ପ୍ରାଇଭେଟ ଲିମିଟେଡ  । ସଂସ୍ଥାର ଏପରି ମନମାନି ବିରୋଧରେ କର୍ମଚାରୀ ଆନ୍ଦୋଳନ କରିବା ସହ ଜିଲ୍ଲା ଶ୍ରମ ଅଧିକାରୀରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ୨ କର୍ମଚାରୀ ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇଥିବା ନେଇ ବାଘମାରୀ ଥାନାରେ ଏତଲା ଦେଇଥିଲେ । ପରବର୍ତ୍ତୀ ସମୟରେ ୨ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ସାରୁଅ ଷ୍ଟୁଡିଓ ମ୍ୟାନେଜରଙ୍କୁ ଗିରଫ କରାଯାଇଥିଲା । ପରେ ସର୍ତ୍ତମୂଳକ ଜାମିନ ମିଳିଥିଲା । ଜିଲ୍ଲା ଶ୍ରମ ଅଧିକାରୀ, ଯୁଗ୍ମ ଶ୍ରମ କମିଶନର ଘଟଣାସ୍ଥଳ ପରିଦର୍ଶନ କରି ସମ୍ପୃକ୍ତ କର୍ତ୍ତୃପକ୍ଷ ତଥା ଓଟିଭି ଏମ୍‌ଡି ଜଗି ପଣ୍ଡାଙ୍କୁ ଉତ୍ତର ରଖିବାକୁ ନୋଟିସ କରିଥିଲେ । କିନ୍ତୁ ଓଟିଭି କର୍ତ୍ତୃପକ୍ଷ ନୋଟିସର ଯାହା ଉତ୍ତର ରଖିଥିଲେ ସେଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରମ ଅଧିକାରୀ । ପରେ ପୁଣି ଉଭୟ ପକ୍ଷଙ୍କୁ ୧୧ତାରିଖ ଦିନ ୩ଟା ସମୟେର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ସାନି ନୋଟିସ ଜାରି କରିଥିଲେ ଡିଭିଜନାଲ ଶ୍ରମ ଆୟୁକ୍ତ । ମିଳିତ ଆଲୋଚନାରେ ନିର୍ଦ୍ଧାରିତ ସମୟରେ ଯଦିଓ ସାରୁଅ ଠିକା କର୍ମଚାରୀଙ୍କ ମଧ୍ୟରୁ ୮ଜଣ ଶ୍ରମ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ , ଓଟିଭି କର୍ତ୍ତୃପକ୍ଷ ଆଲୋଚନାରେ ସାମିଲ ହେବା ପରିବର୍ତ୍ତେ ପୁଣି ୧୦ ଦିନରେ ସମୟ ମାଗିଥିଲେ । ବର୍ତ୍ତମାନ ନିଷ୍ପତ୍ତି ଶ୍ରମ ଅଧିକାରୀଙ୍କ ହାତରେ । ଓଟିଭି କର୍ତ୍ତୃପକ୍ଷ ମାଗିଥିବା ସମୟ ତାଙ୍କୁ ଦେବେ , ଯଦି ଦେବେ କେତେଦିନ ଦେବେ ନା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବେ ତାହା ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ ।

Leave a Reply