ସରୁଆ ଜମି କେଳେଙ୍କାରୀ ପ୍ରସଙ୍ଗ: ମନୋରଞ୍ଜନ-ଶିବ ପ୍ରସାଦ ମୁହାଁମୁହିଁ ଜେରା , ବଢିଲା ରିମାଣ୍ଡ ଅବଧି

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲା । ଗିରଫ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ମୁହାଁମୁହିଁ ଜେରା କରାଯାଉଛି ।  ଚଞ୍ଚକତାର ସହ କିଭଳି ଭାବେ ଜମି କିଣାବିକା ହୋଇଥିଲା, ସେ ନେଇ ପଚରାଉଚରା ଚାଲିଛି ।  ସେହିପରି ପୂର୍ବରୁ ଗିରଫ ହୋଇଥିବା ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି ।  ତେଣୁ ତଦନ୍ତ ସମ୍ପର୍କରେ ଅଧିକ ପଚରାଉଚରା କରିବା ପାଇଁ ତାଙ୍କ ରିମାଣ୍ଡ ଅବଧିକୁ ଗୋଟିଏ ଦିନ ବୃଦ୍ଧି କରାଯାଇଛି ।

ଜମିହଡ଼ପ କେଳେଙ୍କାରୀରେ ଗିରଫ ହେବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଓଡିଶା ଇନଫ୍ରାଟେକର କର୍ମଚାରୀ । ଆଗକୁ ମଧ୍ୟ ଗିରଫଦାରୀର ତାଲିକା ଆହୁରି ଲମ୍ବିବାର ସମ୍ଭାବନା ରହିଛି  । ଓଡିଶା ଇନଫ୍ରାଟେକ୍ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।  ଜମି କିଣା ବିକା ବେଳେ କେଉଁମାନେ ସାମିଲ ଥିଲେ ? ଏସସି ଏସଟିମାନଙ୍କ ଜମି କିଭଳି ଜାଲିଆତି କରି କିଣାଗଲା ? ନିୟମ ଅନୁସାରେ ଏସସି ଏସଟି ଜମିକୁ କେବେଳ ସେହିମାନେ କିଣି ପାରିବେ, କିନ୍ତୁ ଇନଫ୍ରାଟେକ୍ କମ୍ପାନୀ କିପରି କିଣିଲା ? ଏ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ର କାରୀ କିଏ ? ଜମି କିଣା ବିକା ବେଳେ କେତେ ଟଙ୍କାର କାରବାର ହୋଇଥିଲା ? କେଉଁ ଜମିକୁ କେତେ ଟଙ୍କାରେ କିଣା ହୋଇଥିଲା ? କାଗଜପତ୍ର ରେ କେତେ ଟଙ୍କା ଦର୍ଶାଯାଇଛି ? ଏଭଳି ଅନେକ ପ୍ରଶ୍ନ କରୁଛି କ୍ରାଇମବ୍ରାଞ୍ଚ ।

ଏ ମାମଲାରେ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍ ଜାଲ୍, ପ୍ରତାରଣା ଓ ଭୟ ଦେଖାଇ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି କିଣିଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଅଭିଯୋଗ ହେବା ପରେ ପ୍ରଥମେ ବାଘମାରୀ ପୋଲିସ ଘଟଣାର ତଦନ୍ତ କରୁଥିଲା । ପୂର୍ବରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲୁ  । ୨ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଥିଲେ ।  ୨୯ ତାରିଖରେ ସାରୁଅରେ କ୍ରାଇମବ୍ରାଞ୍ଚ ଟିମ୍‌ ସରଜମିନ ତଦନ୍ତ କରିବା ସହ ଲୋକଙ୍କ ମତ ନେଇଥିଲା । ଗତ ୧୪ ତାରିଖରେ ବହୁ ଚର୍ଚ୍ଚିତ ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି ହଡପ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ।

Leave a Reply