ଚାଣକ୍ୟଙ୍କୁ ଚଣା ଖୁଆଇ ପଶାପାଲିକୁ ଏମିତି ଓଲଟପାଲଟ କରିଦେଲେ ଏହି ମହାନାୟକ

1 min read

ମୁମ୍ବାଇ: ଧୀରେ ଧୀରେ ବଦଳୁଛି ଜାତୀୟ ରାଜନୀତିର ଦୃଶ୍ୟପଟ୍ଟ । ଏକଦା ଜିତାପଟ ରାଜନୀତିର ଜାତକକୁ ନିଜ ପକେଟ୍‌ରେ ଧରି ବୁଲୁଥିବା ମୋଦି-ଶାହାଙ୍କ ଲୋକପ୍ରିୟତା କ୍ରମଶଃ ଘୁଣ ଖାଇବା ଆରମ୍ଭ କଲାଣି । ‘ମୋଦି ହୈ ତୋ ମୁମକିନ୍‌ ହୈ’ ବିଜେପିର ଏ ଅହଙ୍କାର ବାଣୀ ଆଉ ଶତ ପ୍ରତିଶତ ଶତ ନୁହେଁ ବୋଲି କହିଲେଣି ରାଜନୀତିକ ପଣ୍ଡିତ । ନିର୍ବାଚନ ରାଜନୀତିର କଷଟି ପଥରରେ କଡ଼ା ଆହ୍ୱାନର ସମ୍ମୁଖୀନ ହେବା ଆରମ୍ଭ କଲେଣି ବିଜେପିର ଏହି ଦୁଇ ପୋଷ୍ଟରବୟ । ମାତ୍ର କେଇମାସ ତଳେ ଧୂଳା ଉଡ଼େଇ ମ୍ୟାଜିକ ନମ୍ବରଠାରୁ ବହୁ ଅଧିକ ଆସନ ହାତେଇଥିବା ବିଜେପି, ମହାରାଷ୍ଟ୍ର ମ୍ୟାଜିକ ଚେୟାର ଚାମ୍ପିଅନସିପ୍‌ରେ ଚିତପଟାଙ୍ଗ ହୋଇଛି । ବିଫଳ ହେଲା ଗୈରିକ ଦଳର ତଥାକଥିତ ‘ଚାଣକ୍ୟ’ ଅମିତ ଶାହଙ୍କ ସବୁ ପ୍ଲାନ । ଚୌକି ଛକାପଞ୍ଝାର କସରତରେ ମାତ୍ ଖାଇ ୮୦ ଘଣ୍ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନବିସ୍ । ଅଧୁରା ରହିଗଲା ପୁଣି ପାଞ୍ଚବର୍ଷ ଗାଦିସୀନ ହେବାର ସ୍ୱପ୍ନ ।
ଯଦି ମହାରାଷ୍ଟ୍ର ମ୍ୟାଚ୍‌କୁ ନେଇ ପ୍ରାଇଜ ସେରିମନି କରାଯାଏ ତେବେ ରାଜନୀତି ବିଶେଷଜ୍ଞ ମତରେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ନିଶ୍ଚୟ ଯିବ ଶରଦ ପାଓ୍ୱାରଙ୍କ ପାଖକୁ । ଅମିତ ଶାହାଙ୍କ ଚକ୍ରବ୍ୟୁହକୁ ଭେଦ କରି ନିଜ ପାଓ୍ୱାର ପ୍ଲେ ଜରିଆରେ ବିଜେପି ପାଖରୁ ପାଓ୍ୱାର ଛଡ଼ାଇ ଆଣିଥିଲେ ମହାରାଷ୍ଟ୍ରର ଏନସିପି ପାଓ୍ୱାର ହାଉସ୍ । ଏଥିସହ ଭାରତ ରାଜନୀତିର ଏ ଭୀଷ୍ମ ପିତାମହ ଜଣାଇଦେଇଥିଲେ ଚାଣକ୍ୟ ଅମିତ୍ ଶାହା ନୁହେଁ, ସେ ନିଜେ ।

https://nandighoshatv.commagic-touch-of-modi-shaw-became-impactless/

ଅକ୍ଟୋବର ୨୪ ନିର୍ବାଚନ ଫଳାଫଳ ବାହାରିବା ପରଠୁ ଓ ଶିବସେନା ସହ ବିଜେପିର ସଂପର୍କ ତୁଟିବା ପରେ ଶରଦ ପାଓ୍ୱାର ହିଁ ବନିଥିଲେ ମେଣ୍ଟ ସରକାରର ବିଶ୍ୱକର୍ମା । ସୋନିଆ ଗାନ୍ଧିଙ୍କୁ ବୁଝେଇବା ହେଉ କି ଅଜିତ୍ ପାଓ୍ୱାରଙ୍କୁ ମନାଇ ପୁଣି ନିଜ ନୀଡ଼କୁ ଫେରାଇଆଣିବା କିମ୍ବା ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତ୍ତି ସବୁକିଛି ସମ୍ଭବ ହୋଇଥିଲା ଶରଦଙ୍କ ଗୋଟିଚାଳନା ପାଇଁ । ଏକ ଉଗ୍ର ହିନ୍ଦୁବାଦୀ ଦଳକୁ ଧର୍ମନିରପେକ୍ଷତାର ମୁକୁଟ ପିନ୍ଧାଇ ଇତିହାସ ବଦଳାଇଦେଲେ ପାଓ୍ୱାର । କେହି କେହି ତ କହୁଛନ୍ତି ଦୁର୍ନୀତି ବିରୋଧୀ ମାମଲାକୁ ରଫାଦଫା କରିବା ପାଇଁ ରାତିରାତି ସରକାର ଗଠନର ଡ୍ରାମା ରଚି ଅଜିତ ପାଓ୍ୱାରଙ୍କୁ ବ୍ୟବହାର କରିଥିଲେ ମହାରାଷ୍ଟ୍ରର ଏହି ମାଷ୍ଟର ଷ୍ଟ୍ରାଟେଜିଷ୍ଟ । ତେଣୁ ପ୍ରକୃତ ଚାଣକ୍ୟ କିଏ ? ଅମିତ ଶାହା ନା ଶରଦ ପାଓ୍ୱାର ?
ପାଓ୍ୱାରଷ୍ଟ୍ରୋକ୍‌
୧୯୭୭ ମସିହାର କଥା । ଜରୁରୀକାଳିନ ପରିସ୍ଥିତି ହଟିବା ପରର ସାଧାରଣ ନିର୍ବାଚନ । ବିପୁଳ ପରାଜୟ ଦେଖିଥିଲା କଂଗ୍ରେସ । ସେତେବେଳେ ମହାରାଷ୍ଟ୍ରରେ ଥାଏ କଂଗ୍ରେସ ଶାସନ । ପରାଜୟ ପାଇଁ ନୈତିକତା ମୁଣ୍ଡେଇ ଇସ୍ତଫା ଦେଲେ ମୁଖମନ୍ତ୍ରୀ ଶଙ୍କର ରାଓ ଚୌହାନ । ବସନ୍ତ ଦାଦା ପାଟିଲ ହେଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । କିନ୍ତୁ ପ୍ରଦେଶ ଶାଖାରେ ଅସନ୍ତୋଷ କାରଣରୁ ଦୁଇ ଭାଗ ହୋଇଗଲା କଂଗ୍ରେସ । କଂଗ୍ରେସ ଆଇ ଏବଂ କଂଗ୍ରେସ ୟୁ । ଶରଦ ଥାନ୍ତି ୟୁ ପଟରେ । ତାପର ବର୍ଷ ବିଧାନସଭା ନିର୍ବାଚନରେ କେହି ବି ପାଇଲେନି ବହୁମତ । ୯୯ ସିଟ୍‌ ପାଇ ବୃହତ ଦଳ ଭାବେ ଉଭା ହେଲା ଜନତା ଦଳ । କିନ୍ତୁ ଏଭଳି ସ୍ଥିତିରେ କନ୍ଦଳ ଭୁଲି ଦୁଇ କଂଗ୍ରେସ ଶକ୍ତି ପୁଣି ଏକାଠି ହୋଇ ବସନ୍ତ ଦାଦାଙ୍କ ନେତୃତ୍ୱରେ ସରକାର ଗଢ଼ିଲେ । କିନ୍ତୁ ତାହାର ଆୟୁ ବେଶୀ ଦିନ ନଥିଲା । ମାତ୍ର ପାଞ୍ଚ ମାସ ପରେ ଶରଦ ଖେଳିଲେ ଗେମ୍‌ । ୧୨ ଜଣ ବିଧାୟକଙ୍କୁ ନିଜ ସପକ୍ଷରେ ନେଇ ୧୯୭୮ରେ ଜନତା ଦଳ ସହ ମିଶି ୩୮ ବର୍ଷ ବୟସରେ ମହାରାଷ୍ଟ୍ରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ଥିଲା ଯୁବ ଶରଦଙ୍କ ସେତେବେଳର ପାଓ୍ୱାରଷ୍ଟ୍ରୋକ୍‌।
ଚାଣକ୍ୟ ଚାଲ୍‌
କିଛି ବର୍ଷ ପରେ କଂଗ୍ରେସକୁ ପୁଣି ଫେରିଥିଲେ ପାଓ୍ୱାର । ୧୯୮୮ରେ ଦଳ ତାଙ୍କୁ କରିଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ୧୯୯୦ରେ ଯେତେବେଳେ ବିଜେପି ଶିବସେନା ମେଣ୍ଟ ପାଇଁ ସଂଖ୍ୟା ଖେଳରେ ଗାଦି ହରାଇବାକୁ ଯାଉଥିଲା କଂଗ୍ରେସ ସେତେବେଳେ ଶରଦଙ୍କ ଚତୁର ଗୋଟି ଚାଳନାରେ ୧୨ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପାଇଥିଲା ଦଳ । ବଜାୟ ରଖିଲା କ୍ଷମତା ।
ଏନ୍‌ସିପି ଗଠନ
୧୯୯୯ରେ କଂଗ୍ରେସ ସଭାପତି ହୋଇଥିଲେ ସୋନିଆ ଗାନ୍ଧି । ଯାହାକୁ ବିରୋଧ କରିଥିଲେ ଶରଦ ପାଓ୍ୱାର । କାରଣ ସୋନିଆ ଥିଲେ ଇଟାଲୀ ଜନ୍ମିତ । ଜଣେ ବିଦେଶୀ ଜନ୍ମିତଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ସପକ୍ଷରେ ନଥିଲେ ପାଓ୍ୱାର । ତେଣୁ ଏହାକୁ ବିରୋଧ କରି ଦଳ ଛାଡ଼ିଥିଲେ । ଗଠନ କରିଥିଲେ ଏନସିପି । ଆଉ ସେହି ଏନ୍‌ସିପି ଆଜି ବିଜେପି ଭଳି କ୍ଷମତାସୀନ ଦଳକୁ ପାଣି ପିଆଇଛି । କିଙ୍କ ମେକର ଭୂମିକାରେ ବସିଛନ୍ତି ଶରଦ ପାଓ୍ୱାର ।

Leave a Reply