ପୁଣି ବିଜେପି ବିଧାୟକଙ୍କ ଦାଦାଗିରି, ଧମକାଇ ପଶିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ! ଭିଡିଓ ଭାଇରାଲ..

1 min read
MLA jayanarayan Mishra

ସମ୍ବଲପୁର: ସମ୍ବଲପୁର ବିଧାୟକଙ୍କ ଦାଦାଗିରି । ମହାମାରୀ ସମୟରେ କୋଭିଡ ନିୟମ ଉଲଂଘନ କରି ଜିଲ୍ଲାପାଳ ଅଫିସରେ ଧସେଇ ପଶିଲେ ଜୟନାରାୟଣ ମିଶ୍ର । ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ବିରାଟ ପଟୁଆରରେ ବାହାରିଥିଲେ ସମ୍ବଲପୁର ବିଜେପି ବିଧାୟକ ଓ ୨୦ରୁ ଅଧିକ ସମର୍ଥକ ।

Jayanarayan Mishra

ସେମାନଙ୍କ ମଧ୍ୟରେ ନା ଥିଲା ସମାଜିକ ଦୂରତା, ନା ଥିଲା କୋଭିଡ୍‌ କଟକଣାର ଭୟ । କୋଭିଡ୍‌ ନିୟମ ଅନୁସାରେ, ଏଭଳି କାର୍ଯ୍ୟକ୍ରମରେ ୭ରୁ ଅଧିକ ଲୋକ ଯାଇପରିବେ ନାହିଁ । ଏପରିକି ସମସ୍ତଙ୍କ ମଧ୍ୟରେ ୨ ହାତ ଦୂରତା ରଖିବାର ବି ନିୟମ ରହିଛି । ହେଲେ କୌଣସି ନିୟମକୁ ଖାତିର କରିନାହାନ୍ତି ବିଧାୟକ । ସବୁଠାରୁ ବଡ଼ କଥା ହେଲା ଏହି କୋଭିଡ୍‌ ନିୟମ ଖୋଦ୍‌ କେନ୍ଦ୍ର ସରକାର କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଏହାକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ହେଲେ ଓଡ଼ିଶାରେ ଖୋଦ ବିଜେପି ନେତା ହିଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ମାନୁନଥିବା ଦେଖାଯାଇଛି ।

Jayanarayan Mishra

ବିଧାୟକ ଜୟନାରାଣ ମିଶ୍ର କିଭଳି କୋଭିଡ୍‌ ନିୟମ ଭାଙ୍ଗିଛନ୍ତି, ସେନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି, ବିଧାୟକଙ୍କ ଦାଦାଗିରି । ପ୍ରଥମେ ଏକ ପଟୁଆରରେ ଆସି ଜୟନାରାୟଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଆଉ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅଫିସ ପକ୍ଷରୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।

Jayanarayan Mishra

ଏମିତିକି ସେଠାରେ ନିୟୋଜିତ ଡିଏସ୍‌ପି ତପନ ମହାନ୍ତିଙ୍କ ସହ ବିଧାୟକ ବଚସା କରୁଥିବେ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି । ଏହି ବଚସା ସମୟରେ ଗହଳି ଏପରି ହୋଇଗଲା, ସତେ ଯେପରି କରୋନା କଟକଣା ବୋଲି କିଛି ନାହିଁ । ଏହା ପରେ ଗେଟକୁ ଠେଲାପେଲା ସହ ଅନ୍ୟ ଜଣେ ପୋଲିସକୁ ଗାଳି କରି ଜିଲ୍ଲାପାଳଙ୍କ ଚ୍ୟାମ୍ବରରେ ପଶିଲେ ବିଜେପିର ଏହି ବରିଷ୍ଠ ନେତା । ତାଙ୍କ ସହ ଅନ୍ୟ ସମସ୍ତ ବିଜେପି ନେତା ବି ଜିଲ୍ଲାପାଳଙ୍କ ଅଫିସରେ ଗହଳି କଲେ । ସେମାନେ ଏପରି ପ୍ରବେଶ କଲେ ଯେ ଜିଲ୍ଲାପାଳ ଅଫିସର ଜଣେ ମହିଳା କର୍ମଚାରୀ ପଛରେ ଠିଆ ହୋଇ ଥରହର ହୋଇଥିଲେ ।

Jayanarayan Mishra

ଅନ୍ୟପଟେ କୋଭିଡ ନିୟମ ଉଲଂଘନ ଅଭିଯୋଗ ବିଜେପି ନେତାଙ୍କ ବିରୋଧରେ ନୂଆ ନୁହେଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିନା ମାସ୍କ ପଟୁଆରା ବା ସାମାଜିକ ଦୂରତା ଉଲଂଘନ ଭିଡିଓ ସବୁ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ପୂର୍ବତନ କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିରାଟ ବାଇକ ରାଲି ବି କରିବାକୁ ପଛାଇ ନଥିଲେ । ତେବେ ସମ୍ବଲପୁର ବିଧାୟକଙ୍କ ବିରୋଧରେ ନିୟମ ଭଙ୍ଗ ଅଭିଯୋଗ ନୂଆ ନୁହେଁ । ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇ ବିଧାୟକ ମହାଶୟ ବହୁ ବାର ଗିରଫ ବି ହୋଇଛନ୍ତି । ଏପରିକି ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଜଣେ ବିଜେଡି କର୍ମୀଙ୍କ ହତ୍ୟା ଅଭିଯୋଗରେ ଗିରଫ ବି ହୋଇଥିଲା ଜୟନାରାୟଣ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡି ନିୟମ ପାଳନ ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ତାଙ୍କ ଦଳୀୟ ହେଭିଓ୍ୱେଟ୍‌ ନେତା ହି ଏହାକୁ ଉଲଂଘନ କରିବାରେ ବ୍ୟସ୍ତ ।

Leave a Reply