୫୫ ବର୍ଷରେ ପାଦ ଥାପିଲେ ଭାଇଜାନ୍: ଜନ୍ମଦିନ ପାଳିବାକୁ ମନାକଲେ ସଲମାନ୍, ନିରାଶ ପ୍ରଶଂସକ

ମୁମ୍ୱାଇ: ୫୫ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ବା ସମସ୍ତ ଅତି ପ୍ରିୟ ଭାଇଜାନ୍ । ପ୍ରତିବର୍ଷ ଧୁମଧାମରେ ଜନ୍ମଦିନ ପାଳନ କରୁଥିବା ବଲିଉଡର ଏହି ଦବଙ୍ଗ ଷ୍ଟାର ଚଳିତ ବର୍ଷ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କରୁଛନ୍ତି । କରୋନା କଟକଣା ପାଇଁ ସେ ନିଜ ପ୍ରଶଂସକ ମାନଙ୍କୁ ଏକ ସ୍ବତନ୍ତ୍ର ଅପିଲ କରିଛନ୍ତି  । ଘର ଆଗରେ ଭିଡ଼ ନଜମାଇବାକୁ ଅନୁରୋଧ କରିବା ସହ କରୋନା କଟକଣା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି  ।

ଘର ଆଗରେ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଏକ ବ୍ୟାନର ଲଗାଇବା ସହ ଗାଲାକ୍ସି ଆପାର୍ଟମେଣ୍ଟରେ ଉପସ୍ଥିତ ନଥିବା ଜଣାଇଛନ୍ତି ସଲମାନ ।  ତେବେ ସେ ପାନଭେଲ୍ ସ୍ଥିତ ନିଜ ଫାର୍ମ ହାଉସରେ ନିଜ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି ସଲମାନ୍ ଖାନ୍ । ମଧ୍ୟରାତ୍ରୀ କେକ୍ କାଟିବା ସହିତ ସେଠାରେ ଉପସ୍ଥିତ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ବର୍ଷ ସମସ୍ତଙ୍କ ପାଇଁ ଦୁଃଖଦାୟକ ହୋଇଥିବାରୁ, ସେ ଏହି ଥର ନିଜ ଜନ୍ମଦିନ ପାଳିବାକୁ ଇଚ୍ଛା କରୁନଥିବା କହିଛନ୍ତି । ଏଥିସହିତ ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେବ ବୋଲି ଆଶା ରଖିଛନ୍ତି । ଏବଂ ସମସ୍ତଙ୍କୁ ସୁସ୍ଥ ରହିବା ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

୧୯୮୮ରେ ‘ବିୱି ହୋ ତୋ ୟେସି’ ଫିଲ୍ମରୁ ଡେବ୍ୟୁ କରିଥିଲେ ସଲମାନ । ସେବେଠାରୁ ଆଜି ଯାଏଁ ବଲିଉଡ଼ ଜଗତର ବେତାଜ ବାଦଶାହ ପାଲଟିଯାଇଛନ୍ତି ଭାଇଜାନ୍ । ନିଜର ବଳିଷ୍ଠ ଅଭିନୟ ଏବଂ ନିଆରା ଷ୍ଟାଇଲ୍ ଲାଗି ସେ  ସିନେ ସମାଲୋଚକଙ୍କ ଠାରୁ ପ୍ରଶଂସକଙ୍କ ସମସ୍ତଙ୍କ ପସନ୍ଦ ପାଲଟିଛନ୍ତି ।

 

          ତେବେ ଭାଇଜାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍‌ଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୋସିଆଲ୍ ମିଡିଆର ଶୁଭେଚ୍ଛାର ଜୁଆର ଦେଖିବାକୁ ମିଳିଛି । ସଲମାନଙ୍କ ପ୍ରଂଶସକ ତାଙ୍କ ଦ୍ୱାରା ଅଭିନିତ କିଛି ଫିଲ୍ମ ପୋଷ୍ଟର ସେୟାର କରିଛନ୍ତି ତ ଆଉ କିଏ ତାଙ୍କ ସହ ସହିତ ଉଠାଇଥିବା ଫଟୋକୁ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

 

Leave a Reply