ମାଓବାଦୀଙ୍କ ଆକ୍ରମଣରେ ସହିଦ ଯବାନଙ୍କ ପରିବାରରେ ଶୋକର ଛାୟା

1 min read
Sahid Family

ଭୁବନେଶ୍ୱର: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଥିଲେ ୨ଏସଓଜି ଯବାନ । ସହିଦ ଏସଓଜି ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ପହଞ୍ଚି ସହିଦଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସହିଦ ୨ ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ।

Sahid Family

ଅନୁଗୁଳ ଜିଲ୍ଲା ରାଜକିଶୋରନଗରର ଅଙ୍ଗପଡାର ଦେବାଶିଷ ସେଠୀ । ଚଳିତ ମାସ ୧୬ ତାରିଖରେ ନୂଆଖାଇବା ପାଇଁ ଛୁଟିରେ ଘରକୁ ଆସିବେ ବୋଲି ସେ କହିଥିଲେ । ହେଲେ ହଠାତ୍‌ ଏହି ଖବର ଶୁଣି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ସେ ଥିଲେ ଘରର ବଡ଼ ପୁଅ । ତାଙ୍କରି ରୋଜଗାରରେ ପରିବାର ଚଳେ । ତାଙ୍କର ୨ ସାନ ଭାଇ ଓ ଜଣେ ସାନ ଭଉଣୀକୁ ନେଇ ପରିବାର । ତାଙ୍କ ବିୟୋଗରେ ପୁରା ପରିବାର ଭାଙ୍ଗିପଡ଼ିଛନ୍ତି । କାନ୍ଧବୋବାଳିରେ ଫାଟି ପଡୁଛି ପରିବେଶ । ଗାଁରେ ଏକ ପ୍ରକାର ଶୋକ ଛାୟା ଖେଳିଯାଇଛି ।

Sahid Family

ଅନ୍ୟଜଣେ ସହିଦ ଏସଓଜି ଯବାନ ହେଉଛନ୍ତି ସୁଧିର କୁମାର ଟୁଡୁ । ବାରିପଦା ସାନଭଦୁଆ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ବାପା ସ୍ୱର୍ଗତ କୁଣ୍ଡିଆ ଟୁଡୁଙ୍କର ସେ ଥିଲେ ବଡ଼ପୁଅ । ସେ ଅବିବାହିତ ଥିଲେ । ସାନଭାଇ ଘରୋଇ ଗାଡ଼ିରେ ଡ୍ରାଇଭର ଅଛନ୍ତି । ବଡ଼ଭାଇର ସହିଦ ଖବର ପାଇ ମା’ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି । ତାଙ୍କ ଆଖିର ଲୁହ ଭାଷାରେ ପ୍ରକାଶ କରିବା କଷ୍ଟ । ଆଗାମୀ ଦୁର୍ଗାପୂଜାରେ ଘରକୁ ଆସିବେ ବୋଲି ଫୋନ୍‌ରେ କହିଥିଲେ ସୁଧିର । ହେଲେ ପୂଜା ପୂର୍ବରୁ ଆସିଲା ମରଶରୀର । ନିଜର ବିଧବା ରୋଗୀଣା ମାଆ ସାନ ଭାଇ ଦୁଃଖରେ ଭାଙ୍ଗିପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply