ବନକଲାଗି ନୀତି ପାଇଁ ଆସନ୍ତାକାଲି ଶ୍ରୀମନ୍ଦିର ବନ୍ଦ…

ପୁରୀ: ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର। ଅପରାହଣ ୪ଘଟିକାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ ବନକଲାଗି ନୀତି। ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ଆରମ୍ଭ କରାଯିବ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, କେଶର, କର୍ପୁର, ଶଙ୍ଖ, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯାଇ ପ୍ରାକୃତିକ ଉପାୟରେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରାଯିବ। ଏହି ଗୁପ୍ତ ନୀତି ସମ୍ପାଦନ କରାଯାଉଥିବା ବେଳେ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ଦ୍ୱାର ବନ୍ଦ ରହିବ।

ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକଲାଗି ହୋଇଥାଏ। ବନକଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ। ନିୟମ ଅନୁଯାୟୀ ବୁଧବାର ଦିନ ବନକଲାଗି ହୋଇଥାଏ। ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ। ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ। ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।

Leave a Reply